ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ଘର, ଜରିପାଲ ତଳେ ବିତୁଛି ଜୀବନ

Advertisment
ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ଘର, ଜରିପାଲ ତଳେ ବିତୁଛି ଜୀବନ

ରାଜସୁନାଖଳା : ଗରିବ, ଅସହାୟ, ନିଷ୍ପେଷିତମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଦୀର୍ଘ ବର୍ଷ ହେବ ଆବାସ ଯୋଜନା କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ ଏହା ବାସ୍ତବ କ୍ଷେତ୍ରରେ ବିଫଳ। ରଣପୁର ବ୍ଲକ୍‌ ରାଜସୁନାଖଳା ଗ୍ରାମପଞ୍ଚାୟତ ଗୋପୀନାଥପୁର ସାହିର ପୂର୍ଣ୍ଣଚନ୍ଦ୍ର ନାୟକ (୬୦) ଏହାର ଉଦାହରଣ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କା ଘର ଯୋଜନାରେ ଗ୍ରାମାଞ୍ଚଳର ଲୋକମାନଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାର ପକ୍କା ଘର ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି। ମାତ୍ର ପୂର୍ଣ୍ଣଚନ୍ଦ୍ର ଜଣେ ଯୋଗ୍ୟ ହିତାଧିକାରୀ ହୋଇଥିବା ବେଳେ ତାଙ୍କ ପାଇଁ ବାସଗୃହ ଯୋଜନା ସାତ ସପନ ପାଲଟିଛି। ପକ୍କା ଘର ଖଣ୍ତିଏ ପାଇବା ପାଇଁ ବାରମ୍ବାର ପୂର୍ଣ୍ଣଚନ୍ଦ୍ର ଗୁହାରି କରୁଥିଲେ ମଧ୍ୟ କେହି ଶୁଣୁନାହାନ୍ତି।

publive-image

ଗତ ୧୭ ତାରିଖରେ ରଣପୁର ବ୍ଲକ୍‌ କାର୍ଯ୍ୟଳୟରେ ୨୦୧୯–୨୦ ପାଇଁ ପ୍ରଧାନମନ୍ତ୍ରୀ ଆବାସ (ଗ୍ରାମୀଣ) ଯୋଜନାରେ ପକ୍କାଘର କରିବା ପାଇଁ କାର୍ଯ୍ୟଦେଶ ବଣ୍ଟନ କରାଯାଇଛି। କିନ୍ତୁ ପୂର୍ଣ୍ଣଚନ୍ଦ୍ରଙ୍କ ନାମ ସେଥିରେ ନଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି। ଥିଲାବାଲା ଏହି ଯୋଜନାରେ ସାମିଲ ହୋଇଥିବା ବେଳେ ନଥିଲାବାଲା ପାଇଁ ଏହା ସ୍ବପ୍ନ ପାଲଟିଛି। ପୂର୍ଣ୍ଣଚନ୍ଦ୍ର ମୂଲ ଲାଗିଲେ ପରିବାର ଚଳେ। ଘର ବୋଲି କହିଲେ ଚାଳ ଛପରରେ ଜରି ପାଲ ଘେରା ମାଟି ଘର। ଘରେ ଛିଡ଼ା ହୋଇ ଆକାଶକୁ ଚାହିଁଲେ ଦିନରେ ସୂର୍ଯ୍ୟ ଓ ରାତିରେ ଚନ୍ଦ୍ର ଦିଶୁଛନ୍ତି। ବର୍ଷା ଓ ଖରାଦିନେ ଘରେ ରହିବା କଷ୍ଟକର ହୋଇପଡୁଛି। ବର୍ଷା ଦିନେ ନାହିଁ ନଥିବା ହଇରାଣ ହେଉଥିବା ବେଳେ ରୋଷେଇ କରି ଖାଇବା ସମ୍ଭବ ହେଉନାହିଁ। ତଥାପି ଭାଗ୍ୟକୁ ଆଦରି ଜରାଜୀର୍ଣ୍ଣ ଅବସ୍ଥାରେ ଜୀବନ ଅତିବାହିତ କରୁଛନ୍ତି ପୂର୍ଣ୍ଣଚନ୍ଦ୍ର ଓ ତାଙ୍କ ପତ୍ନୀ।

ତାଙ୍କର ଏକମାତ୍ର ପୁଅ ଅନ୍ୟ ସ୍ଥାନରେ ରହି ମୂଲ ଲାଗୁଛନ୍ତି। ପତିପତ୍ନୀ ଏହି ଘରେ ରହି ବାତ୍ୟା ତିତ୍‌ଲି ଓ ହୁଡୁହୁଡୁ ଦେଖିଛନ୍ତି। ସେ ସମୟରେ ମଧ୍ୟ ଘର ଭାଙ୍ଗି ଯାଇଥିଲା। ପୁଣି ନିଜେ ଅର୍ଥ ଯୋଗାଡ଼ କରି ଘର ତିଆରି କରିଥିଲେ। ସରକାର ସେତେବେଳେ ମଧ୍ୟ ବାତ୍ୟାରେ ଭାଙ୍ଗି ଯାଇଥିବା ଘରକୁ ପକ୍କାଗୃହ ଯୋଗାଇ ଦେବାକୁ ଘୋଷଣା କରିଥିଲେ ମଧ୍ୟ ରାଜନେତା ଓ ପ୍ରଶାସନିକ ଅଧିକାରୀଙ୍କ ଇଚ୍ଛାଶକ୍ତିର ଅଭାବ ଯୋଗୁ ତାହା ବିଫଳ ହୋଇଥିଲା। ବାତ୍ୟା ‘ଫନି’ ପ୍ରଭାବରେ ଘରର କାନ୍ଥ ଭାଙ୍ଗିଯାଇଛି। କୌଣସି ମୁହୂର୍ତ୍ତରେ ଘର ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇପାରେ। ପୂର୍ଣ୍ଣଚନ୍ଦ୍ର ପକ୍କା ଘରଟିଏ ପାଇବା ପାଇଁ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟଠାରୁ ଆରମ୍ଭ କରି ବ୍ଲକ୍‌ରେ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ। ପ୍ରଶାସନ ଏ ଦିଗରେ ସ୍ବତନ୍ତ୍ର ଦୃଷ୍ଟି ଦେଇ ତାଙ୍କୁ ପକ୍କାଘର ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe