ବିଳମ୍ବିତ ରାତିରେ ନନ୍ଦିଘୋଷ ରଥରେ ସଂଯୋଗ ହେଲା ନୂଆ ଅଖ

Advertisment
ବିଳମ୍ବିତ ରାତିରେ ନନ୍ଦିଘୋଷ ରଥରେ ସଂଯୋଗ ହେଲା ନୂଆ ଅଖ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଅଖ ଭଙ୍ଗା ବୋଲି ଜଣାପଡ଼ିବା ପରେ ବିଳମ୍ବିତ ରାତିରେ ଜେସିବିରେ ଖୋଳା ଯାଇଥିଲା। ତାପରେ ରଥ ଅଖକୁ ପରିବର୍ତ୍ତନ କରାଯାଇଛି। ସୂଚନାଯୋଗ୍ୟ, ନନ୍ଦିଘୋଷ ଅଖକୁ ବଦଳାଇବାକୁ ଉଚ୍ଚସ୍ତରୀୟ ରଥ ଯାଞ୍ଚ କମିଟି ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ପରେ ଶୁକ୍ରବାର ବିଳମ୍ୱିତ ରାତିରେ ବଡ଼ଦାଣ୍ଡକୁ ଖୋଳାଯାଇଥିଲା। ଖନନ ଶେଷପରେ ଆଜି ଭୋର୍ ପ୍ରାୟ ୪ଟା ବେଳେ ଅଖ ପରିବର୍ତ୍ତନ କରାଯାଇଥିବା ଜଣାପଡ଼ିଛି।
ତିନି ରଥ ନନ୍ଦିଘୋଷ, ତାଳଧ୍ବଜ ଓ ଦର୍ପଦଳନ ରଥର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଥିବାବେଳେ ଆଜି ତିନି ରଥର ଚାରିନାହାକା ଉଠିଛି। ପ୍ରତ୍ନତତ୍ତ୍ବ ବିଭାଗ କୋର୍ କମିଟି ସଦସ୍ୟ, ରେଳ ବିଭାଗ, ପୂର୍ତ୍ତ ବିଭାଗ, ଶ୍ରୀମନ୍ଦିର ପ୍ରଶାସନ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ନେଇ ଗଠିତ ରଥ ଯାଞ୍ଚ କମିଟି ତିନି ରଥର ଯାଞ୍ଚ୍ପରେ ନନ୍ଦିଘୋଷ ରଥ ଅଖ ଭାଙ୍ଗି ପଡ଼ିଥିବା ଜଣାପଡ଼ିଥିଲା। ଦୁଇ ଚକରେ ଲାଗିଥିବା ଏହି ଅଖ ତୁମ୍ବ ପାଖରୁ ଦୁଇଫାଳ ହୋଇଯାଇଥିଲା। ଅଖର ଦୁଇଫାଳରୁ ଗୋଟିଏ ପାର୍ଶ୍ବ ବି ଉପରକୁ ଉଠିଯାଇଥିବା ଏବଂ ଏହାଉପରେ ଲାଗିଥିବା ଦଣ୍ଡା, ଗୁଜ, ଜଳଯନ୍ତ୍ର, ଗୟଳ ସବୁ ଗୋଟିଏ ପାର୍ଶ୍ବକୁ ଢଳି ପଡ଼ିଥିବା ଦେଖିବାକୁ ମିଳିଥିଲା। ମହାରଣାମାନେ ଏହି ଫାଟରେ ଲୁହା କ୍ଲାମ୍ପ୍ଦେଇ ସମ୍ଭାଳିବାକୁ ଚେଷ୍ଟା କରିଥିଲେ ବି ସମ୍ଭବ ହୋଇ ନଥିଲା।

publive-image
ଅଖର ପରିବର୍ତ୍ତନ ପାଇଁ ରାତି ପ୍ରାୟ ୧୧ଟାରେ ପୂର୍ତ୍ତ ବିଭାଗ ପକ୍ଷରୁ ଧଳା ଗାର ଚିହ୍ନ ଦେଇ ଡ୍ରିଲିଂ ମେସିନ୍ ଜରିଆରେ ଖନନ କରାଯାଇଥିଲା। ପ୍ରଥମେ ଡ୍ରିଲିଂ ମେସିନ୍ରେ ଦୁଇ ଚକ ତଳ ଖନନ କରାଯାଇଥିଲା। ପରେ ଜେସିବି ଲଗାଇ ବଡ଼ବଡ଼ ଗାତ ଖୋଲାଯାଇଥିଲା। ପରେ ଏହି ଗାତ ଦେଇ ଦୁଇ ଚକ ଅଖ ସହ ବାହାରିବା ପରେ ପୁନର୍ବାର ଅଖ ବଦଳାଇ ନୂଆ ଅଖ ସଂଯୋଗ କରି ପୁଣି ରଥରେ ପୂର୍ବ ସ୍ଥାନରେ ରଖାଯିବ ବୋଲି ଜଣାପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe