ସୁନ୍ଦରଗଡ଼/ କୁତ୍ରା: ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ବ୍ଲକ ଗୋଏରବାହାଲ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଆୟୁଷ ଡାକ୍ତର ସାରଦା ପ୍ରସନ୍ନ ବେହେରା ଭିଜିଲାନ୍ସ ହାତରେ ଧରାପଡ଼ିଥିବାର ଖବର ମିଳିଛି। ଏକ ଅଟୋ ଦୁର୍ଘଟଣା ଲୁଚାଇବାକୁ ଚାଳକ ସୁଲେମାନ ଖାଲକୋ ନାମକ ଜଣେ ବ୍ୟକ୍ତିଙ୍କଠାରୁ ୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଆୟୁଷ ଡାକ୍ତର ସାରଦା ପ୍ରସନ୍ନ ବେହେରାଙ୍କୁ ଗିରଫ କରିଛି ଭିଜିଲାନ୍ସ।
ସୂଚନାଯୋଗ୍ୟ, ଗତ ୧୭ ତାରିଖରେ କୁତ୍ରା- ଝାରଖଣ୍ଡ ସୀମାନ୍ତ ଛୁରିଚଖା ଛକରେ ଏକ ଅଟୋ ଦୁର୍ଘଟଣା ହୋଇଥିଲା। ଏଥିରେ ଜଣେ ମହିଳା ଗୁରୁତର ଆହତ ହୋଇଥିଲେ। ଅଟୋ ଚାଳକ ମହିଳାଙ୍କୁ ନେଇ ଡାକ୍ତରଙ୍କ ପାଖରେ ପହଞ୍ଚିଥିଲେ। ଡାକ୍ତର ଦୁର୍ଘଟଣା ସମ୍ପର୍କରେ ପୁଲିସକୁ ସୂଚନା ନ ଦେବାକୁ ୧୫ ହଜାର ଟଙ୍କ ଲାଞ୍ଚ ମାଗିଥିଲେ। କଥା ୧୨ ହଜାରରେ ତୁଟିଥିଲା। ଚାଳକ ସେଦିନ ୮ ହଜାର ଦେଇଥିବା ବେଳେ ବାକି ୪ ହଜାର ଟଙ୍କା ତୁରନ୍ତ ନଦେଲେ ପୁଲିସକୁ କହିଦେବେ ବୋଲି ଧମକ ଦେଇଥିଲେ।
ଅଟୋ ଚାଳକ ଏନେଇ ସୁନ୍ଦରଗଡ଼ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ଭିଜିଲାନ୍ସ ଏକ ମାମଲା ରୁଜୁ କରି ଡାକ୍ତରଙ୍କୁ ଧରିବାକୁ ଯୋଜନା କରିଥିଲା। ଯୋଜନା ମୁତାବକ ଆଜି ସକାଳ ସାଢେ ୭ଟାରେ ଅଟୋ ଚାଳକ ଡାକ୍ତରଙ୍କୁ ଗୋଏରବାହାଲ ଡାକ୍ତରଖାନା ପରିସରସ୍ଥିତ ସରକାରୀ ନିବାସରେ ବାକି ୪ ହଜାର ଟଙ୍କା ଦେଉଥିବାବେଳେ ସେଠାରେ ଛକିଥିବା ଭିଜିଲାନ୍ସ ଟିମ୍ ମାଡ଼ି ବସିଥିଲା। ତାଙ୍କ ପ୍ୟାଣ୍ଟ ପକେଟରୁ ରଙ୍ଗବୋଳା ଲାଞ୍ଚ ଟଙ୍କା ଜବତ କରି ଟିମ୍ ଡାକ୍ତରଙ୍କୁ ସୁନ୍ଦରଗଡ଼ ଭିଜିଲାନ୍ସ ଡିଏସପି ଅଫିସ ନେଇ ଆସିଥିବା ସୂଚନା ମିଳିଛି। ତାଙ୍କର ସରକାରୀ ଘରେ ବି ଯାଞ୍ଚ ଚାଲିଛି।
Follow Us