ଭୁବନେଶ୍ବର : ଆୟୁଷ ଡାକ୍ତର ସଂଘର ଏକ ରାଜ୍ୟସ୍ତରୀୟ ବୈଠକ ରାଜଧାନୀ କଳା ସଂସଦରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆୟୁଷ ଡାକ୍ତର ସଂଘ ଓ ଆର୍ବିଏସ୍କେ ସଂଘର ପ୍ରତିନିଧି ଓ ବିଭିନ୍ନ ଜିଲ୍ଲାର ଡାକ୍ତରମାନେ ଯୋଗ ଦେଇଥିଲେ। ଏଲୋପାଥି ଡାକ୍ତରଙ୍କ ଅଭାବ ପୂରଣ କରୁଥିବା ଆୟୁଷ ଡାକ୍ତରମାନେ ୧୧ ବର୍ଷ ହେଲା ସ୍ବାସ୍ଥ୍ୟ ସେବା ଯୋଗାଇ ଦେଇ ଆସୁଥିଲେ ମଧ୍ୟ ସରକାର ଚାକିରି ସ୍ଥାୟୀ କରୁ ନ ଥିବାରୁ ବୈଠକରେ କ୍ଷୋଭ ପ୍ରକାଶ ପାଇଥିଲା। ବାରମ୍ବାର ସରକାରଙ୍କ ପାଖରେ ଦାବି ପରେ ୨୦୧୬ ମସିହାରେ ଆୟୁଷ ଡାକ୍ତରଙ୍କୁ ସ୍ଥାୟୀ କରିବାକୁ ସ୍ବାସ୍ଥ୍ୟ ବିଭାଗ ୧୪୮୫ ପଦବି ସୃଷ୍ଟି କରିବାକୁ ନିଷ୍ପତ୍ତି ନେଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ତାହା ଅର୍ଥ ବିଭାଗର ଅନୁମୋଦନ ପାଇପାରି ନାହିଁ। ଆୟୁଷ ଡାକ୍ତରମାନେ ୨୦୦୭ ଓ ୨୦୦୮ରେ ମାର୍କ ଭିତ୍ତିରେ ମନୋନୟନରେ ନିଯୁକ୍ତି ପାଇଥିଲେ ଏବଂ ଏବେ ଓପିଏସ୍ସି ପରୀକ୍ଷା ଦେବା ପାଇଁ ସେମାନଙ୍କ ବୟସସୀମା ପାର ହୋଇଗଲାଣି। ସଂଘ ପକ୍ଷରୁ ଦାବି କରାଯାଇଛି, ଆୟୁଷ ନିର୍ଦ୍ଦେଶକଙ୍କ ପ୍ରସ୍ତାବ ଅନୁସାରେ ସେମାନଙ୍କୁ ୱାନ୍ଟାଇମ୍ ମେଜର୍ରେ ଓପିଏସି କନ୍କରେନ୍ସ କରି ନିୟମିତ କରାଯାଉ। ଓପିଏସ୍ସି ପରୀକ୍ଷାରେ ଆବଶ୍ୟକ ମାର୍କ ଓ ବୟସ କୋହଳ କରାଯାଇ ନିୟମିତ କରାଯାଉ ବା ଭେଲିଡେସନ୍ ଆକ୍ଟରେ ସରଳ ଉପାୟରେ ନିୟମିତ କରାଯାଉ। ସବୁ ପ୍ରକାର ସ୍କିମ୍ ଆୟୁଷ ଡାକ୍ତରଙ୍କୁ ରାଜ୍ୟ ସରକାରଙ୍କ ଅଧୀନ ଡାକ୍ତରଙ୍କ ପରି ୬ ବର୍ଷ ପରେ ନିୟମିତ କରିବାକୁ ନୀତି ନିର୍ଦ୍ଧାରଣକରାଯାଉ। ଦାବି ପୂରଣ ନ ହେଲେ ଆନ୍ଦୋଳନ ଜୋର୍ଦାର୍ ହେବ ବୋଲି ଆୟୁଷ ସଂଘର ସଭାପତି ଜ୍ୟୋତିରଞ୍ଜନ ଗାହାଣ ଓ ଆର୍ବିଏସ୍କେ ସଂଘ ସଭାପତି ସୁଶିଲ ମହାପାତ୍ର ଚେତାବନୀ ଦେଇଛନ୍ତି। ବୈଠକରେ ପ୍ରଭାକର ଦାସ, ସୁବ୍ରତ ମହାପାତ୍ର ଓ ସୁବ୍ରତ ପଣ୍ଡା ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।
ଆୟୁଷ ଡାକ୍ତର ସଂଘର ଆନ୍ଦୋଳନ ଧମକ
Advertisment
Follow Us