Portrait an unknown male doctor holding a stethoscope behind
ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ପାଇଁ ବିଭିନ୍ନ କୋଭିଡ୍ କେୟାର ସେଣ୍ଟର, ହସ୍ପିଟାଲ ଓ ଆରଆରଟିରେ ନିୟୋଜିତ ହୋଇଥିବା ଆୟୁଷ ଡାକ୍ତରମାନଙ୍କୁ ୮ ମାସ ପରେ ତୁରନ୍ତ କୋଭିଡ୍ ଡ୍ୟୁଟିରୁ ମୁକ୍ତ କରିବା ଲାଗି ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି। ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ ଆୟୁଷ ଡାକ୍ତରମାନଙ୍କୁ ନିଜ ନିଜ ଡିସ୍ପେନସାରି ଗୁଡ଼ିକରେ ଯୋଗ ଦେବା ଲାଗି କୁହାଯାଇଛି। ଏ ନେଇ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ସବୁ ପୌର କମିସନର ଓ ସିଡିଏମ୍ଓମାନଙ୍କୁ ଚିଠି ଲେଖିଛନ୍ତି।
ରାଜ୍ୟରେ ୧ମାସରୁ ଅଧିକ ସମୟ ହେବ କରୋନା ସଂକ୍ରମଣ ହ୍ରାସ ପାଇଛି। ଏପରିକି କିଛି ଜିଲ୍ଲାରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୫ରୁ ମଧ୍ୟ କମ୍ ରହିଛି। ଏଭଳି ପରିସ୍ଥିତିରେ କୋଭିଡ୍ ଡ୍ୟୁଟିରେ ନିୟୋଜିତ ହୋଇଥିବା ଆୟୁଷ ଡାକ୍ତରମାନଙ୍କୁ ସ୍ଥାନୀୟ ସିଡିଏମ୍ଓ ଓପିଡି ଡ୍ୟୁଟିରେ ନିୟୋଜିତ କରିବାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଗୋଟିଏ ପଟେ ଆୟୁଷ ଡିସ୍ପେନସାରି ଖାଲି ପଡ଼ିଥିବା ବେଳେ ଅନ୍ୟ ପଟେ ସେମାନଙ୍କୁ କୋଭିଡ୍ ଡ୍ୟୁଟିରୁ ରିଲିଭ୍ କରା ନ ଯିବାକୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଆୟୁଷ ଡିସ୍ପେନସାରି ଗୁଡ଼ିକରେ କୋଟି କୋଟି ଟଙ୍କାର ଔଷଧ ରହିଥିଲେ ହେଁ, ଏସବୁକୁ ରୋଗୀଙ୍କୁ ପ୍ରଦାନ କରିବା ଲାଗି ଡିସ୍ପେନସାରିରେ ଡାକ୍ତର ନ ଥିଲେ। ଏ ନେଇ ରାଜ୍ୟ ଆୟୁଷ ନିର୍ଦେଶକ ସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖିଥିଲେ। ଆଜି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୋଭିଡ୍ ଡ୍ୟୁଟିରେ ନିୟୋଜିତ ହୋଇଥିବା ଆୟୁଷ ଡାକ୍ତରମାନଙ୍କୁ ଦାୟିତ୍ବ ମୁକ୍ତ କରିବା ଲାଗି ନିର୍ଦେଶ ଦିଆଯାଇଛି।
Follow Us