Black Belt Magazine
ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ବ୍ଲକ୍ ଧୋୟାଞ୍ଚଳ ପେଣ୍ଠପାଳ ପଞ୍ଚାୟତ କୂଳସାହି ଗ୍ରାମରେ ଗତକାଲି ରାତିରେ କୁମ୍ଭୀର ଆକ୍ରମଣର ଶିକାର ହୋଇଥିବା ଅମୂଲ୍ୟ ଦାସ ଓରଫ ଟିକିଲି ବାବାଙ୍କ ମୁଣ୍ଡ ଆଜି କୂଳସାହି ପ୍ରାଥମିକ ବିଦ୍ୟାଳୟ ବ୍ରାହ୍ମଣୀ ନଦୀ ପଠାରୁ ଉଦ୍ଧାର କରାଯାଇଛି। ବାବାଙ୍କ ଶରୀରର ଅନ୍ୟ ଅଂଶ ଠାବ କରାଯାଇ ପାରିନାହିଁ। ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ମୁଣ୍ଡ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ସୂଚନା ଅନୁସାରେ, ବାବାଙ୍କ ମୁଣ୍ଡ ଦିନ ପ୍ରାୟ ୧୦ଟା ସମୟରେ ସେଠାରେ ଭାସୁଥିବା ଲୋକେ ଦେଖିବାକୁ ପାଇଥିଲେ। ଖବରପାଇ ପଟ୍ଟାମୁଣ୍ଡାଇ ତହସିଲଦାର ଦିଲ୍ଲୀପ ସେଠୀ, ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ରଂଜିତ ମହାନ୍ତି, ଚୌଦକୁଲାଟ ଫାଣ୍ଡି ଅଧିକାରୀ ନୃସିଂହ ମହାନ୍ତି ଘଟଣାସ୍ଥଳରେ ପହଂଚି ଅଗ୍ନିଶମ ବାହିନୀ ସହାୟତାରେ ଟିକିଲି ବାବାଙ୍କ ମୁଣ୍ଡ ଉଦ୍ଧାର କରିଥିଲେ।
ଉଲ୍ଲେଖ ଥାଉ କି, ଟିକିଲି ବାବା ଅଭିରାମ ପରମହଂସଙ୍କ ଭକ୍ତ ଥିଲେ। ସେ ଭିକ୍ଷା ବୃତ୍ତି କରି ଚଳୁଥିଲେ। ଅବିବାହିତ ଥିଲେ। ତାଙ୍କର ଦୁଇଭାଇ ଅଛନ୍ତି। କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଅନ୍ତିମ ସଂସ୍କାର ପାଇଁ ପଟ୍ଟାମୁଣ୍ଡାଇ ତହସିଲଦାର ଦିଲ୍ଲୀପ କୁମାର ସେଠୀ ୧୦ ହଜାର ଟଙ୍କାର ସହାୟତା ପ୍ରଦାନ କରିଥିବା ବେଳେ ବନ ବିଭାଗ ପକ୍ଷରୁ ୬୦ ହଜାର ଟଙ୍କା ପ୍ରଦାନ କରାଯାଇଥିବା ଜଣାପଡିଛି। ଅନ୍ୟପଟେ ବନ ବିଭାଗର ଉଦାସୀନତା ଯୋଗୁଁ ଧୋୟାଞ୍ଚଳରେ ବାରମ୍ବାର କୁମ୍ଭୀର ଆକ୍ରମଣ ଘଟଣା ଘଟୁଥିବା ଲୋକେ ଅଭିଯୋଗ କରିଛନ୍ତି। ଏ ନେଇ ଅଂଚଳବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବନବିଭାଗ ପକ୍ଷରୁ କୁମ୍ଭୀର ସୁରକ୍ଷା ପାଇଁ ନଦୀକୂଳରେ ସୁରକ୍ଷା ପ୍ରାଚୀର ନିର୍ମାଣ ଦିଗରେ ପଦକ୍ଷେପ ନିଆଯାଉ ନ ଥିବା ବେଳେ କୁମ୍ଭୀର ପ୍ରତି ସତର୍କ ରହିବା ପାଇଁ ସତର୍କ ସୂଚନା ଫଳକ ବି ଲଗା ଯାଉନାହିଁ।
Follow Us