ସିଣ୍ଡିକେଟ୍‌ରୁ କମିବ ବାବୁଙ୍କ ପତିଆରା: ଫେରିବ ସିନେଟ୍‌ ବ୍ୟବସ୍ଥା

Advertisment

ବିଶ୍ବବିଦ୍ୟାଳୟରେ ନିଯୁକ୍ତିରେ ଅଚଳାବସ୍ଥା ଯୋଗୁ ଉଚ୍ଚଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହି ଅଚଳାବସ୍ଥାର ମୂଳ କାରଣ ହୋଇଛି ବିବାଦୀୟ ଓଡ଼ିଶା ବିଶ୍ବବିଦ୍ୟାଳୟ(ସଂଶୋଧନ) ଅଧିନିୟମ-୨୦୨୦।

ବିଶ୍ବବିଦ୍ୟାଳୟରେ ନିଯୁକ୍ତିରେ ଅଚଳାବସ୍ଥା ଯୋଗୁ ଉଚ୍ଚଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହି ଅଚଳାବସ୍ଥାର ମୂଳ କାରଣ ହୋଇଛି ବିବାଦୀୟ ଓଡ଼ିଶା ବିଶ୍ବବିଦ୍ୟାଳୟ(ସଂଶୋଧନ) ଅଧିନିୟମ-୨୦୨୦।

ବାଣୀବିହାରରୁ ଉଠିଲା ସାଇନ୍‌ ଡାଏ

ଭୁବନେଶ୍ବର: ବିଶ୍ବବିଦ୍ୟାଳୟରେ ନିଯୁକ୍ତିରେ ଅଚଳାବସ୍ଥା ଯୋଗୁ ଉଚ୍ଚଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହି ଅଚଳାବସ୍ଥାର ମୂଳ କାରଣ ହୋଇଛି ବିବାଦୀୟ ଓଡ଼ିଶା ବିଶ୍ବବିଦ୍ୟାଳୟ(ସଂଶୋଧନ) ଅଧିନିୟମ-୨୦୨୦। ଚାରି ବର୍ଷ ଧରି ପୂର୍ବ ସରକାର ଓ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ମଧ୍ୟରେ ବିବାଦ ଯୋଗୁ ମାମଲା ଏବେ ସୁପ୍ରିମକୋର୍ଟରେ। ବର୍ତ୍ତମାନର ସରକାର ଆଉ ୟୁଜିସି ସହିତ ମୁକାବିଲା କରିବାକୁ ଚାହୁନାହାନ୍ତି। ତେଣୁ ଅଧିନିୟମକୁ ସଂଶୋଧନ କରି ନିଯୁକ୍ତିରେ ଅଚଳାବସ୍ଥା ହଟାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ତେବେ ସିଧାସଳଖ ସଂଶୋଧନ ନକରି ସରକାର ବୁଦ୍ଧିଜୀବୀ ଓ ଶିକ୍ଷାବିତ୍‌ମାନଙ୍କ ମତ ଲୋଡ଼ିଛନ୍ତି। ଦୁଇ ଦିନ ତଳେ ନିଜେ ଉଚ୍ଚଶିକ୍ଷା ମନ୍ତ୍ରୀ ଏକ ବୈଠକ କରି ଏ ସମ୍ପର୍କରେ ଆଲୋଚନା କରିଥିଲେ। ‌ସରକାର ଖୁବ୍ ଶୀଘ୍ର ଏ ନେଇ ପ୍ରକ୍ରିୟା ଆରମ୍ଭ କରିବେ ବୋଲି ସୂଚନା ମିଳିଛି। କେବଳ ଅଧ୍ୟାପକ ନିଯୁକ୍ତି ନୁହେଁ, କୁଳପତି ନିଯୁକ୍ତି ଓ ସିଣ୍ଡିକେଟ୍‌ ଢାଞ୍ଚା ମଧ୍ୟ ବଦଳାଯିବ। 

ସିଣ୍ଡିକେଟ୍‌ ବୈଠକରେ ସରକାରୀ ଅଧିକାରୀମାନେ ଅଧିକ ହସ୍ତକ୍ଷେପ ଯେପରି କରିପାରିବେ ନାହିଁ, ସେଥି ପାଇଁ ବ୍ୟବସ୍ଥା କରାଯାଉଛି। ଉଚ୍ଚଶିକ୍ଷା ସଚିବଙ୍କ ପ୍ରତିନିଧି ସିଣ୍ଡିକେଟ୍‌ରେ ରହିବେ ନାହିଁ କିମ୍ବା ବିଶ୍ବବିଦ୍ୟାଳୟକୁ ରିପୋର୍ଟ ତଲବ କରିବେ ନାହିଁ। ସରକାରୀ ଅଧିକାରୀ ଭାବେ କେବଳ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ସିଣ୍ଡିକେଟ୍‌ ସଦସ୍ୟ ଭାବେ ବୈଠକରେ ଯୋଗଦେଇପାରିବେ। କେବଳ ସେତିକି ନୁହେଁ, ବିଶ୍ବବିଦ୍ୟାଳୟକୁ ପୁଣିଥରେ ସିନେଟ୍‌ ଫେରିବ। ମାତ୍ର ସେଥିରେ ସଦସ୍ୟଙ୍କ ସଂଖ୍ୟା ହ୍ରାସ ପାଇବ। ସିନେଟ୍‌ ସମ୍ପୂର୍ଣ୍ଣ ଭାବେ ସରକାରୀ ବାବୁଙ୍କ ହସ୍ତକ୍ଷେପ ମୁକ୍ତ ହେବ। ପ୍ରଫେସର, କଲେଜ ଅଧ୍ୟକ୍ଷ, କୁଳସଚିବ, ପିଜି କାଉଲସିଲ ଅଧ୍ୟକ୍ଷ, କଲେଜ ଅଧ୍ୟାପକ, ଛାତ୍ରଛାତ୍ରୀଙ୍କୁ ନେଇ ଗଠିତ ହେବାକୁ ଥିବା ସିନେଟ୍‌ ବିଶ୍ବବିଦ୍ୟାଳୟ ଉନ୍ନତି ଦିଗରେ ବିଭିନ୍ନ ପଦକ୍ଷେପ ନେବ। ସିନେଟ୍‌ ପକ୍ଷରୁ ବିଭିନ୍ନ ପ୍ରସ୍ତାବ ଦିଆଯିବା ସହ ତାହାକୁ କାର୍ଯ୍ୟକାରୀ କରିବା ଦିଗରେ ସିଣ୍ଡିକେଟ୍‌କୁ ସୁପାରିସ କରିବ।

ବିଶ୍ବବିଦ୍ୟାଳୟ ନିଯୁକ୍ତି ପାଇଁ ବାଟ ଫିଟିବ
ଫେରିବ ସିନେଟ୍‌ ବ୍ୟବସ୍ଥା
କୁଳପତି ଚୟନରେ ହସ୍ତକ୍ଷେପ ରହିବ ନାହିଁ
୫ ବର୍ଷ ହୋଇପାରେ କୁଳପତିଙ୍କ କାର୍ଯ୍ୟକାଳ

ଓଡ଼ିଶା ବିଶ୍ବବିଦ୍ୟାଳୟ(ସଂଶୋଧନ) ଅଧିନିୟମରେ ସଂଶୋଧନ କରାଯାଇ ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ବଦଳରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ବାରା ପ୍ରଫେସର, ଆସୋସିଏଟ୍‌ ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସର ଚୟନ କରାଯିବ। ଶିକ୍ଷାବିତ୍‌ମାନଙ୍କୁ ନେଇ ଗଠିତ ହେବାକୁ ଥିବା କମିଟି ଏହି ଚୟନ ପ୍ରକ୍ରିୟା କରିବ। ୟୁଜିସି ନିୟମାବଳୀ ଅନୁସାରେ ବିଶ୍ୱବିଦ୍ୟାଳୟରେ କମିଟି ଗଠନ କରି ଅଧ୍ୟାପକ ନିଯୁକ୍ତି ଦେବ। କିଭଳି ଭାବେ ବିଶ୍ୱବିଦ୍ୟାଳୟ ଦ୍ବାରା ଅଧ୍ୟାପକ ନିଯୁକ୍ତି ଦିଆଯିବ ସେଥିପାଇଁ ଆଇନ ସଂଶୋଧନ କରିବା ସହ ୟୁଜିସିକୁ ପ୍ରସ୍ତାବ ଦିଆଯିବ। ବର୍ତ୍ତମାନ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ୧୧୮୭ ଅଧ୍ୟାପକ ପଦବି ଖାଲି ରହିଛି। ବିଧାନସଭାର ଶୀତ ଅଧିବେଶନ ବେଳକୁ ଏନେଇ ବ୍ୟାପକ ଆଲୋଚନା କରାଯାଇ ସଂଶୋଧନ ପରେ ଚୟନ ପ୍ରକ୍ରିୟା କରାଯିବ ବୋଲି ଜଣାପଡ଼ିଛି।

କେବଳ ସେତିକି ନୁହେଁ, ବିଶ୍ବବିଦ୍ୟାଳୟ କୁଳପତି ଚୟନରେ ମଧ୍ୟ ବ୍ୟାପକ ପରିବର୍ତ୍ତନ ଆଣିବାକୁ ଆଲୋଚନା ଚାଲିଛି। ୨୦୨୦ର ସଂଶୋଧିତ ଅଧି‌ନିୟମ ଅନୁଯାୟୀ କୁଳପତିଙ୍କ କାର୍ଯ୍ୟାଳୟ ୪ ବର୍ଷ ରହିଛି। କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ କୁଳପତିମାନଙ୍କ ପରି ଓଡ଼ିଶାର ବିଶ୍ବବିଦ୍ୟାଳୟଗୁଡ଼ିକ କୁଳପତିଙ୍କ କାର୍ଯ୍ୟକାଳ ୫ ବର୍ଷ କରିବାକୁ ପ୍ରସ୍ତାବ ଦିଆଯାଇଛି। କୁଳପତିଙ୍କ କାର୍ଯ୍ୟକାଳ ୩ କିମ୍ବା ୪ ବର୍ଷ ହେବା ଦ୍ବାରା ସେମାନେ ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ କରିପାରୁ ନାହାନ୍ତି। ତାହାକୁ ନଜରରେ ରଖି ରାଜ୍ୟ ସରକାର ଏଭଳି ପଦକ୍ଷେପ ନେବାକୁ ଯାଉଛନ୍ତି। ସେହିପରି କୁଳପତି ଚୟନ ପାଇଁ ଗଠିତ ହେଉଥିବା କମିଟିରେ ରାଜ୍ୟ ସରକାରଙ୍କ ପ୍ରତିନିଧି ରହିବା ସମ୍ପର୍କରେ ପୂର୍ବ ସରକାର ଯେଉଁ ନିଷ୍ପତ୍ତି ନେଇଥିଲେ ସେଥିରେ ସଂଶୋଧନ କରାଯିବ। ପୂର୍ବଭଳି ୟୁଜିସି ଓ କୁଳାଧିପତିଙ୍କ ପ୍ରତିନିଧି କୁଳପତି ଚୟନ କମିଟିରେ ରହିବେ। ରାଜ୍ୟ ସରକାର କିମ୍ବା ସରକାରୀ ଅଧିକାରୀମାନଙ୍କ କୌଣସି ହସ୍ତକ୍ଷେପ ରହିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe