୫୦ ହଜାର ଟଙ୍କାରେ ଶିଶୁପୁତ୍ର ବିକ୍ରି! ଦମ୍ପତି ସ୍ବୀକାର କଲେ, ତଦନ୍ତ ନିର୍ଦ୍ଦେଶ

Advertisment
୫୦ ହଜାର ଟଙ୍କାରେ ଶିଶୁପୁତ୍ର ବିକ୍ରି! ଦମ୍ପତି ସ୍ବୀକାର କଲେ, ତଦନ୍ତ ନିର୍ଦ୍ଦେଶ

ଦଶରଥପୁର: ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍‌ରୁ ଆସିଛି ପିଲାବିକ୍ରି ଅଭିଯୋଗ। ଦଶରଥପୁର ବ୍ଲକ୍‌ ବିହାରୀ ପଞ୍ଚାୟତ ସାଉଣ୍ଡି ଗ୍ରାମର ଗୋଟିଏ ପରିବାର ନିଜର ନବଜାତ ଶିଶୁପୁତ୍ରକୁ ୫୦ ହଜାର ଟଙ୍କାରେ ବିକ୍ରିକରି ଦେଇଥିବା ଅଭିଯୋଗ ହୋଇଛି। ଶିଶୁଟିକୁ ବିଂଝାରପୁର ବ୍ଲକ୍‌ ଅଳକୁଣ୍ଡ ଥାନା ବରିକୁଳ ଗ୍ରାମରେ ବିକ୍ରି ହୋଇଥିବା କୁହାଯାଉଛି।

ଘଟଣାରୁ ପ୍ରକାଶ ଯେ ସାଉଣ୍ଡି ଗ୍ରାମର ସିଲୁ ଜେନାଙ୍କ ପତ୍ନୀ ସଂଜୁ ଗତ ୧୮ ତାରିଖରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଏହି ଦମ୍ପତିଙ୍କ ପୂର୍ବରୁ ଏକ ୩ ବର୍ଷର ପୁଅ ଅଛି। ଗତକାଲି ଏହି ଦମ୍ପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଘରକୁ ଫେରିଥିଲେ। ତେବେ ସେମାନଙ୍କ କୋଳରେ ଶିଶୁପୁତ୍ର ନଥିଲା। ଏ ନେଇ ସନ୍ଦେହ ହେବାରୁ ଗ୍ରାମବାସୀ ପଚରାଉଚରା କରିଥିଲେ। ଶିଶୁଟିକୁ ୫୦ ହଜାର ଟଙ୍କାରେ ଜଣେ ବ୍ୟକ୍ତିଙ୍କୁ ବିକ୍ରି କରିଥିବା ସେମାନେ ସ୍ୱୀକାର କରିଥିଲେ ବୋଲି ଗ୍ରାମବାସୀ କହିଛନ୍ତି।

ଏସଂପର୍କରେ ଅଭିଯୋଗ ପାଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର ତଦନ୍ତ ନିର୍ଦେଶ ଦେଇଛନ୍ତି। ଆସନ୍ତା ମଙ୍ଗଳବାର ଏ ସଂପର୍କରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କହିଛନ୍ତି। ସିଡିପିଓ ଶାନ୍ତିଲତା ସେଠୀଙ୍କ ସହ ଯୋଗାଯୋଗ କରାଯିବାରୁ ଲୋକଙ୍କ ଅଭିଯୋଗ ପାଇ ଏ ସଂପର୍କରେ ତଦନ୍ତ କରାଯାଇଛି। ଏହି ଦମ୍ପତି ନିଜର ଜଣେ ସଂପର୍କୀୟଙ୍କୁ ଶିଶୁଟିକୁ ପାଳିବା ପାଇଁ ଦେଇଥିବା କହିଛନ୍ତି। ଏସଂପର୍କିତ କାଗଜପତ୍ର ଶିଶୁ ସୁରକ୍ଷା ବିଭାଗକୁ ପ୍ରଦାନ କରାଯାଇଛି ବୋଲି ସିଡିପିଓ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe