କଳାବାଡ଼ିଆ: ବୁଲା କୁକୁର କାମୁଡ଼ାରେ ଗୋଟିଏ ବାଛୁରୀର ମୃତ୍ୟୁ ଘଟିବା ପରେ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ୍ ଜଗନ୍ନାଥଖୁଣ୍ଟା ଗାଁରେ ଆତଙ୍କ ଖେଳିଯାଇଛି। ଉକ୍ତ ବାଛୁରୀ ମା’ ପାଖରୁ କ୍ଷୀର ଖାଇଥିବା ୨୦ରୁ ଅଧିକ ଲୋକ ଡାକ୍ତରଙ୍କ ପରାମର୍ଶକ୍ରମେ କୁକୁର କାମୁଡ଼ା ଇଞ୍ଜେକ୍ସନ ନେଇଛନ୍ତି। ଜଗନ୍ନାଥଖୁଣ୍ଟା ଗାଁର ଜଣେ ବ୍ୟକ୍ତି ଗୋପାଳନ କରିବା ସହ ଆଖପାଖ ଗ୍ରାମରେ କ୍ଷୀର, ଦହି ବିକ୍ରି କରି ନିଜ ପରିବାର ପୋଷଣ କରନ୍ତି। ୧୫ ଦିନ ତଳେ ତାଙ୍କର ଏକ କ୍ଷୀର ପିଉଥିବା ବାଛୁରୀକୁ କୁକୁର କାମୁଡ଼ି ଦେଇଥିଲା। ସେତେବେଳେ ଗୋପାଳକ ଜଣକ ଏହାକୁ ବିଶେଷ ଗୁରୁତ୍ବ ଦେଇନଥିଲେ ଓ ଚିରାଚରିତ ଭାବେ ଗାଈକ୍ଷୀରକୁ ନିଜ ଗରାଖଙ୍କୁ ଯୋଗାଇ ଆସୁଥିଲେ। ତେବେ ୫ ଦିନ ତଳେ କଅଁଳା ବାଛୁରୀଟି ହଠାତ୍ କୁକୁର ଭଳି ରଡ଼ି ଛାଡ଼ିବା ସହ ମରିଯାଇଥିଲା।
The News Minuteଏହାପରେ ଗୋପାଳକଙ୍କ ମନରେ ଛନକା ପଶିଥିଲା। ସେ ବାଙ୍ଗିରିପୋଷି ଡାକ୍ତରଖାନାକୁ ଯାଇ ଡାକ୍ତରଙ୍କ ପରାମର୍ଶ ନେବା ପରେ ନିଜ ପରିବାର ଲୋକଙ୍କ ସହ କୁକୁର କାମୁଡ଼ା ଇଞ୍ଜେକ୍ସନ୍ ନେଇଥିଲେ। ଏଥିସହ ତାଙ୍କଠାରୁ କ୍ଷୀର ନେଇଥିବା ପରିବାରଙ୍କୁ ମଧ୍ୟ ଇଞ୍ଜେକ୍ସନ୍ ନେବା ପାଇଁ କହିଥିଲେ ଡାକ୍ତର। ଜଳାତଙ୍କ ରୋଗ ଭୟରେ ଉକ୍ତ ଗାଈର କ୍ଷୀର ପିଇଥିବା ୨୦ରୁ ଅଧିକ ଲୋକ ବାଙ୍ଗିରିପୋଷି ଓ କୁଳିଅଣା ଡାକ୍ତରଖାନାରୁ ପ୍ରତିଷେଧକ ଇଞ୍ଜେକ୍ସନ୍ ନେଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଗତ କିଛି ଦିନ ହେଲା ୫/୬ଟି ବୁଲା କୁକୁର ଲୋକଙ୍କୁ ଦେଖିଲେ କାମୁଡ଼ିବାକୁ ଗୋଡ଼ାଉଥିବାରୁ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହି କୁକୁରଙ୍କୁ ଧରିବା ପାଇଁ ଗ୍ରାମବାସୀ ବ୍ଳକ ପ୍ରଶାସନକୁ ଅନୁରୋଧ କରିଛନ୍ତି।
Follow Us