ଛୁଆ ହାତୀ ଗଲା କପିଳାସ ଚିଡ଼ିଆଖାନା

Advertisment
ଛୁଆ ହାତୀ ଗଲା କପିଳାସ ଚିଡ଼ିଆଖାନା

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ସୁରଳ ଚିଙ୍ଗୁଡ଼ି ଘେରିରୁ ମତ୍ସ୍ୟଜୀବୀ ଯୁବକଙ୍କ ଦ୍ବାରା ଉଦ୍ଧାର ହାତୀ ଛୁଆକୁ ଆଜି କପିଳାସ ଚିଡ଼ିଆଖାନାକୁ ସ୍ଥାନାନ୍ତର କରାଯାଇଛି। ହାତୀପଲ ଗୋଠଛଡ଼ା କରି ଛାଡ଼ି ଚାଲି ଯାଇଥିବା ଛୁଆ ହାତୀ ବ୍ରହ୍ମପୁର ବନ ବିଭାଗ ହେପାଜତରେ ଥିଲା। ଟମଣା ସେକ୍ସନ୍‌ କାର୍ଯ୍ୟାଳୟରୁ ଆଜି ଏକ ସ୍ବତନ୍ତ୍ର ଗାଡ଼ି ଯୋଗେ କପିଳାସ ଚିଡ଼ିଆଖାନାକୁ ପଠାଯାଇଛି।

ଦୁଇ ଦିନ ପୂର୍ବେ ସୁରଳ ନିକଟବର୍ତ୍ତୀ କଇଠା ଗ୍ରାମ ନିକଟ ଚିଙ୍ଗୁଡ଼ି ଘେରିରେ ଫସି ଯାଇଥିଲେ ୧୪ ଟିକିଆ ହାତୀପଲ। ବଡ଼ ହାତୀ ଘେରିରୁ ବାହାରି ଯାଇଥିବା ବେଳେ ଛୁଆ ହାତୀଟି ବାହାରି ପାରି ନଥିଲା। ମତ୍ସ୍ୟଜୀବୀ ଯୁବକମାନେ ଡଙ୍ଗାରେ ଯାଇ ତାକୁ ଉଦ୍ଧାର କରିଥିଲେ। ବନବିଭାଗ କର୍ମଚାରୀ ତାକୁ ଟମଣା ସେକ୍ସନ କାର୍ଯ୍ୟାଳୟରେ ରଖିଥିଲେ। ଆଜି ଏକ ସ୍ବତନ୍ତ୍ର ଗାଡ଼ି ଯୋଗେ କପିଳାସ ଚଡ଼ିଆଖାନା ପଠାଯାଇଛି। ଗାଡ଼ିରେ ପ୍ରଥମେ କୁଟା ବିଛା ଯାଇଥିଲା। ଏହାପରେ ଏକ ଗଦି ପକା ଯାଇଥିଲା। ଛୁଆ ହାତୀକୁ ଯେଭଳି ଆଘାତ ନ ଲାଗେ ସେଥିଲାଗି ସମସ୍ତ ପଦକ୍ଷେପ ଗ୍ରହଣ କରା ଯାଇଥିଲା। ହାତୀ ଛୁଆକୁ ଗାଡ଼ିକୁ ନିଆଯିବା ପରେ ଲାକ୍ଟୋଜେନ୍‌ ପିଇବାକୁ ଦିଆ ଯାଇଥିଲା। ଏହାପରେ ଉକ୍ତ ଗାଡ଼ିରେ ଛୁଆ ହାତୀ ସହ ୪ଜଣ ବନ କର୍ମଚାରୀ କପିଳାସ ଯାଇଛନ୍ତି। ଏହାର ବୟସ ୬ରୁ ୯ମାସ ମଧ୍ୟରେ ହେବ ବୋଲି ଜଣାପଡ଼ିଛି। ଛୁଆ ହାତୀ ସ୍ଥାନାନ୍ତର ପ୍ରକ୍ରିୟାକୁ ଏସିଏଫ୍‌ ଅଶୋକ କୁମାର ବେହେରା ତଦାରଖ କରିଥିଲେ। ଅନ୍ୟପକ୍ଷରେ ୧୪ ଟିକିଆ ହାତୀପଲ ଚିକିଟି ଅଞ୍ଚଳରେ ଡେରା ପକାଇ ଥିବା ବନବିଭାଗ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe