ମୁଖ୍ୟ ଚିକିତ୍ସାଳୟରେ ଶିଶୁ ବିକ୍ରି ଉଦ୍ୟମ!

Advertisment
ମୁଖ୍ୟ ଚିକିତ୍ସାଳୟରେ ଶିଶୁ ବିକ୍ରି ଉଦ୍ୟମ!

Telegraph India

ଯାଜପୁରସଦର : ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ନବଜାତ ଶିଶୁ ବିକ୍ରି ଉଦ୍ୟମ ପଣ୍ଡ ହୋଇଛି। ଜଣେ ନାବାଳିକା ମା’ର ଶିଶୁ ପୁତ୍ରକୁ କିଛି ଦଲାଲ ଛଡ଼ାଇ ନେଇ ବିକ୍ରି ଉଦ୍ୟମ କରୁଥିବା ବେଳେ ଗଣମାଧ୍ୟମର ହସ୍ତକ୍ଷେପ ଯୋଗୁଁ ଏହା ଭଣ୍ଡୁର ହୋଇଛି।‌  ଶିଶୁ ବିଭାଗରେ ମାଳମାଳ ସିସି କ୍ୟାମେରା ଓ ସୁରକ୍ଷା କର୍ମୀଙ୍କ ଉପସ୍ଥିତିରେ ଏପରି କାର୍ଯ୍ୟ କିପରି ହେଉଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପ୍ରକାଶ ଯେ, ଦାନଗଦୀ ବ୍ଲକ୍‌ ମାନପୁର ଅଞ୍ଚଳର ଜଣେ ନାବାଳିକା ଗର୍ଭବତୀ ହେବାପରେ ସେଠାକାର ଆଶା କର୍ମୀ ତାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସ‌ାଳୟରେ ଭର୍ତ୍ତି କରିଥିଲେ। ଏଠାରେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ସମ୍ପୃକ୍ତ ନାବାଳିକାଙ୍କୁ ଛାଡ଼ି ଆଶା ପଳାଇଥିବା ବେଳେ ଦଲାଲଙ୍କ ନଜର ନବଜାତ ଶିଶୁପୁତ୍ର ଉପରେ ପଡ଼ିଥିଲା। ଦୁଇଦିନ ହେଲା କିଛି ଦଲାଲ ଏହି ଶିଶୁପୁତ୍ରକୁ ନେଇ ବିକ୍ରି କରିବାକୁ ଉଦ୍ୟମ କରିଥିଲେ। ଗତକାଲି ରାତିରେ କିଛି ଯୁବକ ଶିଶୁପୁତ୍ରଟିକୁ କିଣି ନେବାକୁ ଉଦ୍ୟମ କରିଥିଲେ। ଏନେଇ ସେହି ୱାର୍ଡରେ ରହୁଥିବା କିଛି ରୋଗୀଙ୍କ ସଂପର୍କୀୟ ଗଣମାଧ୍ୟମକୁ ଖବର ଦେଇଥିଲେ। ଗଣମାଧ୍ୟମ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଅବଗତ କରାଯାଇଥିଲା। ଏହାପରେ ଚାଇଲ୍ଡ ଲାଇନ୍‌ର ସଦସ୍ୟ ପହଞ୍ଚି ନାବାଳିକା ଓ ତାଙ୍କ ପୁଅକୁ ସୁରକ୍ଷା ଦେଇଛନ୍ତି।

ଅଭିଯୋଗ ଅନୁଯାୟୀ, ବିଭିନ୍ନ ସମୟରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏପରି କାରବାର ଚାଲିଛି। ହେଲେ ଜିଲ୍ଲା ସ୍ବାସ୍ଥ୍ୟ ପ୍ରଶାସନ ସବୁ ଜାଣି ନିରବ ରହୁଛି। ମୁଖ୍ୟ ଚିକିତ୍ସାଳୟ ପ୍ରସୂତି ବିଭାଗରେ ମହିଳା ଦଲାଲ୍‌ମାନେ ଖୋଲାମେଲାରେ ବୁଲୁଛନ୍ତି। ଏମାନଙ୍କୁ କିଏ ଅନୁମତି ଦେଇଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଦଲାଲମାନେ ବିଭିନ୍ନ ସମୟରେ ଗର୍ଭବତୀ ମହିଳାଙ୍କୁ ମୁଖ୍ୟ ଚିକିତ୍ସାଳୟରୁ ନେଇଯାଇ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରୁଥିବା ଅଭିଯୋଗ ହୋଇଛି। ଉନ୍ନତମାନର ସ୍ବାସ୍ଥ୍ୟସେବା ଯୋଗାଇବା ନାଁରେ ସେମାନଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ ହେଉଛି। ପ୍ରସବ ଗୃହ ନିକଟରେ ୨/୩ ଜଣ ମହିଳା ଦଲାଲ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ବୁଲୁଥିବା ବେଳେ ସୁରକ୍ଷା କର୍ମୀ ଏହାର ପ୍ରତିବାଦ କରୁନାହାନ୍ତି। ତେଣୁ ଏଥିରେ ସମସ୍ତଙ୍କର ସଂପୃକ୍ତି ରହୁଛି ବୋଲି ରୋଗୀ ସମ୍ପର୍କୀୟ ଅଭିଯୋଗ କରୁଛନ୍ତି। ଏହି ଶିଶୁବିକ୍ରି ଉଦ୍ୟମ ଘଟଣାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ବିରଞ୍ଚି ନାରାୟଣ ବାରିକ ସ୍ବୀକାର କରିବା ସହ ଶିଶୁ ଓ ତାର ମା’କୁ କିପରି ସୁରକ୍ଷା ଯୋଗାଇ ଦିଆଯିବ ସେନେଇ ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe