ଜଗଦେବଙ୍କ ଗିରଫଦାରୀ ନେଇ ଗୃହକୁ ଜଣାଇଲେ ବାଚସ୍ପତି

ବିଜେଡିରୁ ନିଲମ୍ବନ ସଂକ୍ରାନ୍ତ ଚିଠି ବିଧାନସଭାକୁ ଆସିନି

ଜଗଦେବଙ୍କ ଗିରଫଦାରୀ ନେଇ ଗୃହକୁ ଜଣାଇଲେ ବାଚସ୍ପତି

ଭୁବନେଶ୍ୱର : ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଗିରଫଦାରୀ ସମ୍ପର୍କରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ସୂଚନା ଦେଇଛନ୍ତି। ଶୁକ୍ରବାର ଅପରାହ୍ନରେ ଗୃହରେ ଖୋର୍ଦ୍ଧା ଏସ୍‌ପିଙ୍କର ଏ ସଂକ୍ରାନ୍ତ ଚିଠି ବିଧାନସଭାକୁ ଆଜି ମିଳିଛି ବୋଲି ବାଚସ୍ପତି ଅବଗତ କରାଇଥିଲେ।

ବାଚସ୍ପତି କହିଥିଲେ ଯେ ଗତ ୨୨ ତାରିଖରେ ବିଧାୟକଙ୍କୁ ପୁଲିସ ଭୁବନେଶ୍ୱରରୁ ଗିରଫ କରିଛି। ବାଣପୁର ଥାନାରେ ରୁଜୁ ହୋଇଥିବା ମାମଲା ଆଧାରରେ ବିଧାୟକ ଶ୍ରୀ ଜଗଦେବଙ୍କୁ ଗିରଫ କରାଯାଇ ବାଣପୁର ଉପକାରାଗାରକୁ ପଠାଇ ଦିଆଯାଇଥିବା ଖୋର୍ଦ୍ଧା ଏସ୍‌ପି ୨୩ ତାରିଖର ଚିଠି ମାଧ୍ୟମରେ ଜଣାଇଛନ୍ତି।

ଏସ୍‌ପିଙ୍କ ଚିଠି ବିଧାନସଭା ପକ୍ଷରୁ କେଉଁ ତାରିଖରେ ଗ୍ରହଣ କରାଯାଇଛି ବୋଲି ବାଚସ୍ପତିଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡ଼ିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ବାଚସ୍ପତି କହିଥିଲେ ଯେ ଚିଠିଟି ୨୩ ତାରିଖରେ ଟାଇପ୍ ହୋଇଛି। କିନ୍ତୁ ୨୫ ତାରିଖରେ ଅର୍ଥାତ ଆଜି ବିଧାନସଭା ସଚିବଙ୍କ ଦ୍ବାରା ପ୍ରାପ୍ତ ହୋଇଛି। ଶ୍ରୀ ମିଶ୍ର କହିଥିଲେ ଯେ ବିଧାୟକଙ୍କ ଗିରଫଦାରୀ ସମ୍ପର୍କରେ ସ୍ଥାନୀୟ ଆଇଆଇସି ଓ ଏସ୍‌ପି ତୁରନ୍ତ ବିଧାନସଭାକୁ ଅବଗତ କରାଇବା ଆବଶ୍ୟକ। ଯଦି ଗିରଫର ଦୁଇ ଦିନ ପରେ ବିଧାନସଭାକୁ ସେହି ଚିଠି ଆସିଥିବ, ତେବେ ତାହା ସ୍ବାଧିକାର ଭଙ୍ଗ ବୋଲି ଧରାଯିବ। ଏହାକୁ ଅନୁଧ୍ୟାନ କରିବାକୁ ସେ ଦାବି କରିଥିଲେ।

ବିଧାୟକ ଶ୍ରୀ ଜଗଦେବ ବିଜେଡିରୁ ନିଲମ୍ବିତ ହେବା ସଂକ୍ରାନ୍ତରେ ଯେଉଁ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି, ତାହାର ଘୋଷଣା ଗୃହରେ ବାଚସ୍ପତି କରିଛନ୍ତି କି ବୋଲି ଶ୍ରୀ ମିଶ୍ର ପଚାରିଥିଲେ। ବାଚସ୍ପତି କହିଥି‌ଲେ ବିଧାୟକ ଶ୍ରୀ ଜଗଦେବଙ୍କ ନିଲମ୍ବନ ସମ୍ପର୍କରେ କୌଣସି ଚିଠି ଆମ ପାଖକୁ ଆସିନି। ଏହା ମୋ ଜ୍ଞାତସାରରେ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe