ତାଣ୍ଡିଗାଁ ସ୍କୁଲରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର

ଅସ୍ଥାୟୀ ଛାଉଣି ତଳେ ଛାତ୍ରଛାତ୍ରୀ, ବର୍ଷା ହେଲେ ପାଠପଢ଼ା ଠପ୍‌

ତାଣ୍ଡିଗାଁ ସ୍କୁଲରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର

ଗୁଡ଼ଭେଲା: ଗୁଡ଼ଭେଲା ବ୍ଲକ୍‌ ତାଣ୍ଡିଗାଁ ସ୍କୁଲର ବିକଳ ଚିତ୍ର ଅଭିଭାବକଙ୍କୁ ଚିନ୍ତାରେ ପକାଇଛି। ସ୍କୁଲ ‌କୋଠା ଅଧପନ୍ତରିଆ ହୋଇ ରହିଛି। ଅସ୍ଥାୟୀ ଛାଉଣି ତଳେ ବସି ଛାତ୍ରଛାତ୍ରୀମାନେ ପାଠ ପଢ଼ୁଛନ୍ତି। ପୁଣି ବର୍ଷା ହେଲେ ପାଠପଢ଼ା ଠପ୍‌ ହୋଇଯାଉଛି।

ସୂଚନା ଅନୁସାରେ, ଏହି ସ୍କୁଲ ୧୯୬୦ ମସିହାରେ ସ୍ଥାପିତ ହୋଇଥିଲା। ଏହା ଗାଁର ଜଣେ ବ୍ୟକ୍ତିଙ୍କ ରୟତି ଜମିରେ ଥିବା ଏବଂ କୋଠରିଗୁଡ଼ିକ ଜରାଜୀର୍ଣ୍ଣ ଅବସ୍ଥାରେ ଥିବାରୁ ବିଇଓଙ୍କ ନିର୍ଦ୍ଦେଶରେ ଅନ୍ୟତ୍ର ସ୍କୁଲ ସ୍ଥାନାନ୍ତର କରାଯାଇ ସ୍ଥାନୀୟ ଅଙ୍ଗନବାଡ଼ି କେନ୍ଦ୍ରର ଏକ ଛୋଟିଆ ଗୃହରେ କାର୍ଯ୍ୟାଳୟ ଖୋଲାଯାଇଛି। ଏହା ସହ ସ୍କୁଲ ଉନ୍ନୟନ ପାଣ୍ଠିରୁ କିଛି ଖର୍ଚ୍ଚ କରାଯାଇ ବରଗଛ ମୂଳରେ ଏକ ଅସ୍ଥାୟୀ ଛାଉଣି କରି ସେଠାରେ ପାଠପଢ଼ା ଚାଲିଛି।

ଅନ୍ୟପକ୍ଷରେ ଗାଁ ଲୋକମାନେ ନିଜ ମଧ୍ୟରେ ଚାନ୍ଦା ଆଦାୟ କରି ସ୍କୁଲ ପାଇଁ ଜମି କିଣିବା ସହ କୋଠା ମଧ୍ୟ ନିର୍ମାଣ କରାଯାଇଛି। ହେଲେ ପ୍ରାୟ ୬ ମାସ ହେଲଳା ଛାତପକା କାମ ସାରି ଦେଇ ବାକି କାମ ବିଭାଗୀୟ ଯନ୍ତ୍ରୀଙ୍କ ଖାମଖିଆଲି ଯୋଗୁ ଅଧପନ୍ତରିଆ ଅବସ୍ଥାରେ ପଡ଼ିରହିଛି। ଚଳିତ ଶିକ୍ଷାବର୍ଷରେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ୧୦୫ ଜଣ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ହେଲେ ବର୍ଷା ସମୟରେ ପାଠପଢ଼ାରେ ବ୍ୟାହତ ହେଉଛି। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏନେଇ ବିଇଓ ଗୋବର୍ଦ୍ଧନ ଭୋଇଙ୍କୁ ପଚରାଯିବାରୁ କୌଣସି ସମସ୍ୟା ରହିଛି, ତାହା ବୁଝିବେ ବୋଲି ସେ କହିଥିଲେ। ଜେଇ ବର୍ଷାରାଣୀ ବହଳିଆଙ୍କୁ ପଚରାଯିବାରୁ ଦ୍ୱିତୀୟ କିସ୍ତି ଟଙ୍କା ଆସିବାରେ ବିଳମ୍ବ ଯୋଗୁ କାମ ହୋଇ ପାରି ନଥିଲା, ଏବ‌େ ଟଙ୍କା ଆସିଯାଇଛି, ଏକ ସପ୍ତାହ ଭିତରେ କାମ ଆରମ୍ଭ ହେବ ବୋଲି ସେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe