ବଡ଼ବାଗ ବାଣ ବିସ୍ଫୋରଣ ମାମଲା: ମୃତକଙ୍କ ଘରୁ ଜବତ ହେଲା ବିପୁଳ ବାରୁଦ, ବାଣ ସାମଗ୍ରୀ

ଜଗତସିଂହପୁର ସହର ବଡ଼ବାଗ ବାଣ ବିସ୍ଫୋରଣରେ ଦମ୍ପତିଙ୍କ ମୃତ୍ୟୁ ଘଟଣାର ତୃତୀୟ ଦିନରେ ତନାଘନା କରିଛି ପୁଲିସ୍‌। ସମ୍ପୂର୍ଣ୍ଣ ଛାତ ଭଙ୍ଗାଯିବା ପରେ ପୋଡ଼ା ବାରୁଦ, ବିପୁଳ ପରିମାଣର ପୋଡ଼ା ବାଣ ଜବତ କରାଯାଇଛି।

dgdgdg

ଜଗତସିଂହପୁର: ଜଗତସିଂହପୁର ସହର ବଡ଼ବାଗ ବାଣ ବିସ୍ଫୋରଣରେ ଦମ୍ପତିଙ୍କ ମୃତ୍ୟୁ ଘଟଣାର ତୃତୀୟ ଦିନରେ ତନାଘନା କରିଛି ପୁଲିସ୍‌। ସମ୍ପୂର୍ଣ୍ଣ ଛାତ ଭଙ୍ଗାଯିବା ପରେ ପୋଡ଼ା ବାରୁଦ, ବିପୁଳ ପରିମାଣର ପୋଡ଼ା ବାଣ ଜବତ କରାଯାଇଛି। ଖାଲି ସେତିକି ନୁହେଁ, ମୃତ ରାଜେଶଙ୍କ ବାପା ସୁଶୀଲ ଦାସ ରହୁଥିବା ଘରୁ ବିପୁଳ ପରିମାଣର ବାରୁଦ, ବାଣ ତିଆରିରେ ବ୍ୟବହୃତ କାଗଜ, ଗୋଡ଼ି, ବାଉଁଶ ପାତିଆ ଜବତ କରାଯାଇଛି। ତହସିଲଦାରଙ୍କ ଉପସ୍ଥିତିରେ ବିପୁଳ ପରିମାଣର ବାଣ ଜବତ କରିଛି ଜଗତସିଂହପୁର ଥାନା ପୁଲିସ୍‌। ମୃତକଙ୍କ ଘରୁ ବିପୁଳ ପରିମାଣର ବାରୁଦ, ବାଣ ତିଆରି ସାମଗ୍ରୀ ଜବତ ହେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଜବତ ବାରୁଦକୁ ପୁଲିସ୍‌ ଟ୍ରାକ୍ଟର ସାହାଯ୍ୟରେ ନେଇଛି। ମୂଳ ମାମଲାର ତଦନ୍ତରେ ଏହା ଯୋଡ଼ି ହୋଇଯିବ ବୋଲି ପୁଲିସ୍‌ ‌କହିଛି। ଯଦି ଆଉ କାହାର ସମ୍ପୃକ୍ତି ଥିବା ଜଣାପଡ଼େ ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି। ଆଜି ମଧ୍ୟ ମୃତ ଦମ୍ପତିଙ୍କର ଶରୀରର କିଛି ଅଂଶ ଘଟଣାସ୍ଥଳରୁ ଜବତ କରାଯାଇଛି। 

ତୃତୀୟ ଦିନରେ ପୁଲିସର ଛାନ୍‌ଭିନ୍, ବୟାନ ରେକର୍ଡ
ବେଆଇନ ବାଣ ପ୍ରସ୍ତୁତି ଉପରେ ଚଢ଼ଉ ହେବ

ସୁଶୀଲଙ୍କ ଘରୁ ପ୍ରାୟ ୫ କେଜିରୁ ଅଧିକ ଓଜନର ବାରୁଦ, ବାଣ ତିଆରି ସାମଗ୍ରୀ ପୁଲିସ୍‌ ଜବତ କରିଛି। ବାହାଘର ଋତୁ ଥିବାରୁ ବେପାରୀମାନେ ବାଣ ତିଆରି ପାଇଁ ଅର୍ଡର୍‌ ଦେଇଥିଲେ। ବେପାରୀଙ୍କୁ ଲକ୍ଷାଧିକ ଟଙ୍କାର ବାଣ ଯୋଗାଇବାକୁ ରାଜେଶ ବାଣ ତିଆରି କରୁଥିଲେ ବୋଲି ଜଣାପଡ଼ିଛି। କେବଳ ସୁଶୀଲଙ୍କ ଘର ନୁହେଁ ଆଉ କେତେକ ସ୍ଥାନରେ ମଧ୍ୟ ବେଆଇନ ବାଣ ତିଆରି ହେଉଥିବା ସୂଚନା ମିଳିଛି। ପୁଲିସ୍‌ ସେହିସବୁ ସ୍ଥାନରେ ଖୁବଶୀଘ୍ର ଚଢ଼ଉ କରିବାକୁ ଯୋଜନା ପ୍ରସ୍ତୁତ କରିଛି। ଜିଲ୍ଲାରେ ଦୁଇ ବର୍ଷ ବ୍ୟବଧାନରେ ଏହା ଦ୍ବିତୀୟ ଘଟଣା ହୋଇଥିବାରୁ ପୁଲିସ୍‌ ମଧ୍ୟ ଗମ୍ଭୀରତାର ସହ ନେଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ଚାଲିଥିବା ବେଆଇନ ବାଣ କାରଖାନା ଉପରେ ଚଢ଼ଉ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ଗତ ୩ ତାରିଖ ରାତିରେ ବଡ଼ବାଗରେ ଭୟଙ୍କର ବାଣ ବିସ୍ଫୋରଣ ହୋଇଥିଲା। ଏଥିରେ ସୁଶୀଲ ଦାସଙ୍କ ବଡ଼ ପୁଅ ରାଜେଶ ଓ ତାଙ୍କ ପତ୍ନୀ ସୁଚିସ୍ମିତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ବିସ୍ଫୋରଣରେ ଶରୀର ଖଣ୍ଡଖଣ୍ଡ ହୋଇ ଏଣେତେଣେ ପଡ଼ିଥିଲା। ସେହିପରି ମଝିଆ ପୁଅ ପରେଶ ଓ ତାଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ଆହତ ହୋଇ ଏସ୍‌ସିବିରେ ଭର୍ତ୍ତି ହୋଇଥିଲେ। ଲକ୍ଷ୍ମୀପ୍ରିୟା ଡିସ୍‌ଚାର୍ଜ ହୋଇଥିବା ବେଳେ ପରେଶଙ୍କର ଦୁଇ ଗୋଡ଼ ଭାଙ୍ଗି ଯାଇଥିବାରୁ ସେ ଏବେ ଚିକିତ୍ସାଧୀନ ଅଛନ୍ତି। ଏନେଇ ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe