ବଗଲା ଧର୍ମଶାଳା ପ୍ରସଙ୍ଗ : ଷଡ଼୍‌ଯନ୍ତ୍ର କରାଯାଇନି: ପର୍ଯ୍ୟଟନ ମନ୍ତ୍ରୀ

ବିଜେଡି କହିଲା ପୁରୀର ବିକାଶ ଶ୍ରୀ ପାତ୍ର ଚାହୁଁନାହାନ୍ତି

ବଗଲା ଧର୍ମଶାଳା ପ୍ରସଙ୍ଗ : ଷଡ଼୍‌ଯନ୍ତ୍ର କରାଯାଇନି: ପର୍ଯ୍ୟଟନ ମନ୍ତ୍ରୀ

Twitter

ଭୁବନେଶ୍ୱର : ବଗଲା ଧର୍ମଶାଳା ପ୍ରସଙ୍ଗରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ୍‌ ପାତ୍ରଙ୍କ ଅଭିଯୋଗ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ। ସେ କହିଛନ୍ତି, ବଗଲାକୁ ନେଇ ସରକାର କେବେ ବି କୌଣସି ପ୍ରକାର ଷଡ଼ଯନ୍ତ୍ର କରିନାହାନ୍ତି। ଅବଢ଼ା କାର୍ଯ୍ୟକ୍ରମ ଜରିଆରେ ପୁରୀର ସର୍ବାଙ୍ଗୀନ ବିକାଶ ପାଇଁ ଯୋଜନା କରାଯାଇଛି। ଏହି ପ୍ରସଙ୍ଗରେ ବିଜୁ ଜନତା ଦଳ ମଧ୍ୟ ଶ୍ରୀ ପାତ୍ରଙ୍କୁ ଜବାବ ଦେଇଛି। ଦ​ଳ କହିଛି ପୁରୀର ବିକାଶକୁ ପ୍ରସଙ୍ଗ କରି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ରାଜନୀତି କରିବାକୁ ଚାହୁଁଛନ୍ତି। ସେ ଯେପରି ଅଭିଯୋଗ ଆଣିଛନ୍ତି ସେଥିରୁ ଜଣାପଡ଼ୁଛି ଯେ ଶ୍ରୀ ପାତ୍ର ପୁରୀର ବିକାଶ ଚାହୁଁନାହାନ୍ତି।

ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ କହିଛନ୍ତି, ବଗଲାରେ ଇଣ୍ଟରପ୍ରିଟେସନ୍‌ ସେଣ୍ଟର ସହିତ ରାସ୍ତା ନିର୍ମାଣ ପାଇଁ ଜମିଜମା ସଂକ୍ରାନ୍ତ ଯେଉଁ ସମସ୍ୟା ରହିଛି ସେ ସମ୍ପର୍କରେ ପୂର୍ତ୍ତ ବିଭାଗକୁ ଜଣାଇ ଦିଆଯାଇଛି। ପୁରୀର ଉନ୍ନତି ପାଇଁ ରାଜ୍ୟ ସରକାର ସବୁବେଳେ ଚେଷ୍ଟିତ। ଅନ୍ୟପଟେ ବିଜୁ ଜନତା ଦଳ ପକ୍ଷରୁ ମୁଖପାତ୍ର ଲେନିନ୍‌ ମହାନ୍ତି ପ୍ରେସ୍‌ ବିବୃତି ଜାରି କରି କହିଛନ୍ତି, ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅସତ୍ୟ ତଥ୍ୟ ଦେଇ ଅଭିଯୋଗ କରିଛନ୍ତି। ଏହା ଦୁର୍ଭାଗ୍ୟଜନକ। ଏପରି କରି ସେ କେବଳ ରାଜନୈତିକ ଫାଇଦା ଉଠାଇବାକୁ ଉଦ୍ୟମ କରିଛନ୍ତି। ନିର୍ବାଚନରେ ହାରିଯିବା ପରେ ହତୋତ୍ସାହ ହୋଇ ଅବାନ୍ତର ଯୁକ୍ତି କରୁଛନ୍ତି। ଏପରି ଦୁର୍ବଳ ତଥ୍ୟ ଦେଇ ସେ କେବେ ବି ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରିବାରେ ସଫଳ ହେବେନି। ଯଦି ତାଙ୍କ ପାଖରେ କିଛି ପ୍ରମାଣ ରହିଛି, ତାହେଲେ ସେ ନ୍ୟାୟାଳୟରେ ରଖନ୍ତୁ। ନ୍ୟାୟାଳୟ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବେ। ନଚେତ୍‌ ରାଜ୍ୟ ସରକାରଙ୍କ ବିରୋଧରେ ଏପରି ଅଭିଯୋଗ ଆଣି ପୁରୀର ବିକାଶରେ ବାଧା ଉପୁଜାଇବାକୁ ଉଦ୍ୟମ କରୁଛନ୍ତି। ଯେଉଁଥିପାଇଁ ଓଡ଼ିଶାବାସୀ ତାଙ୍କୁ କେବେ ବି କ୍ଷମା ଦେବେନି ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe