ବଗଲା ବିବାଦ : ସାମ୍ନାକୁ ଆସିଲା ପ୍ରଶାସନ

Advertisment

ବିସ୍ଥାପିତଙ୍କୁ ଦିଆଯାଇଛି କେବଳ ୧୨% ଜମି: ଜିଲ୍ଲାପାଳ

ବିସ୍ଥାପିତଙ୍କୁ ଦିଆଯାଇଛି କେବଳ ୧୨% ଜମି: ଜିଲ୍ଲାପାଳ

ବଗଳା ଧର୍ମଶାଳା ଜମି କାହାରିକୁ ବିକ୍ରି କରାଯାଇନାହିଁ, କେବଳ ୧୨% ଜମିରେ ବିସ୍ଥାପିତଙ୍କୁ ଥଇଥାନ କରାଯାଇଛି : ପୁରୀ ଜିଲ୍ଲା ପ୍ରଶାସନର ସ୍ପଷ୍ଟୀକରଣ

ବିସ୍ଥାପନ ନୀତି ଆଧାରରେ ହୋଇଛି
ବଗଲାରେ ହେବ ୧୦ ହଜାର ଲୋକଙ୍କ ରହଣି ବ୍ୟବସ୍ଥା ‌

ପୁରୀ : ପୁରୀରେ ବଗଲା ଧର୍ମଶାଳା ବିକ୍ରି ପ୍ରସଙ୍ଗକୁ ନେଇ ସବୁ ଆଡୁ ଚାପ ପଡ଼ିବା ପରେ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ଆଜି ବାଧ୍ୟ ହୋଇ ଏହି ପ୍ରସଙ୍ଗରେ ନିଜ ପ୍ରତିକ୍ରିୟା ରଖିବାକୁ ଯାଇ ଏକ ‌ପ୍ରେସ ବିଜ୍ଞପ୍ତି ଜାରି କରିଛନ୍ତି। ଏଥିରେ କୁହାଯାଇଛି ଯେ ବଗଲା ଜମି ବିକ୍ରି କରାଯାଇନାହିଁ। ‌ଯେଉଁମାନେ ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ପାଇଁ ଜମି ଦାନ କରିଛନ୍ତି ସେହି ବିସ୍ଥାପିତମାନଙ୍କୁ ଏହି ଜମିର ଅଳ୍ପ କିଛି ଅଂଶରେ କେବଳ ଥଇଥାନ କରାଯାଇଛି। ଏହି ବିଜ୍ଞପ୍ତି ସହିତ ସଂଲଗ୍ନ ଏକ ଏକ ନକ୍ସାରେ ଜିଲ୍ଲାପାଳ ଜଣାଇଛନ୍ତି ଯେ ବଗଲା ଧର୍ମଶାଳା ଜମି ସଂପୂର୍ଣ୍ଣ ଉପଯୋଗ କରାଯାଇନାହିଁ। ମୋଟ ଜମିର କେବଳ ୧୨% ଜମି ବିସ୍ଥାପିତଙ୍କ ଥଇଥାନ ପାଇଁ ବ୍ୟବହାର କରାଯିବ। ସମସ୍ତ କାର୍ଯ୍ୟ ସରକାରଙ୍କ ବିସ୍ଥାପନ ନୀତି (ଆର୍‌ଆର୍‌ ପଲିସି) ଅନୁସାରେ କରାଯାଇଛି ଓ ଏହି ନୀତିକୁ କ୍ୟାବିନେଟ ମଞ୍ଜୁର କରିଛନ୍ତି। ଏହି ନକ୍ସା ସୂଚାଉଛି ଯେ ମୋଟ ଜମିରୁ ବର୍ତ୍ତମାନ ୩୪୦ ଡେସିମିଲ ଜମି ବିସ୍ଥାପିତ ହୋଇଥିବା ବ୍ୟକ୍ତିଙ୍କୁ ଦିଆଯାଇଛି। ଆଉ .୦୬୪ ଡେସିମିଲ ଜମିରେ ବିସ୍ଥାପିତଙ୍କୁ ଥଇଥାନ କରାଯିବାର ପ୍ରସ୍ତାବ ରହିଛି। ଏହା ପରେ ବି ସେଠାରେ ୨ ଏକର ୩୩୦ ଡିସିମିଲି ଜମି ରହିବ।

ଜିଲ୍ଲାପାଳ ଶ୍ରୀ ସିଂହ ଉଲ୍ଲେଖ କରିଛନ୍ତି ଯେ ବଳଗଣ୍ଡି ମୌଜାର ଖାତା ନଂ ୨୪୨ ଓ ୧୫୦ରେ ମୋଟ ୨.୭୩୮ ଏକର ଜମି ରହିଥିଲା। ପୂର୍ବରୁ ଏହା ଲଜିଂ ହାଉସ୍‌ ଫଣ୍ଡ କମିଟି ନାମରେ ଥିବା ବ‌େଳେ ବର୍ତ୍ତମାନ ଏହା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ନାମରେ ରହିଛି। ଏହି ଧର୍ମଶାଳାରେ ୨୦୦ ଲୋକଙ୍କ ପାଇଁ ରହିବା ପାଇଁ ବ୍ୟବସ୍ଥା ଥିଲା।

ଏକଥା କହିବା ଭୁଲ୍ ହେବ ଯେ ବଗଲା ଧର୍ମଶାଳା ଘରୋଇ ଲଜ୍‌ ମାଲିକଙ୍କୁ ବିକ୍ରି କରିଦିଆଯାଇଛି। ଧର୍ମଶାଳା କୋଠା କାହାକୁ ଦିଆଯାଇନାହିଁ। ଏଥିରୁ ମାତ୍ର ୧୨ ପ୍ରତିଶତ ଜମି ସେହି ସେବାୟତ ଓ ବ୍ୟକ୍ତିଙ୍କୁ ଦିଆଯାଇଛି, ଯେଉଁମାନେ ଶ୍ରୀମନ୍ଦିର ସଲଂଗ୍ନ ୭୫ ମିଟର ପରିସରରେ ଥିଲେ। ସେମାନେ ଶତାବ୍ଦୀ ଧରି ରଖିଥିବା ନିଜ ଭିଟାମାଟିକୁ ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ ପାଇଁ ଦାନ କରିଛନ୍ତି। ରାଜ୍ୟ ସରକାର ସେମାନଙ୍କ ମଧ୍ୟରୁ କେତେକଙ୍କୁ ରାଜସ୍ବ ବିଭାଗ ହାତରେ ଥିବା ଜମି (ଯାହା ପୂର୍ବରୁ ଲଜିଂ ହାଉସ୍ ଫଣ୍ଡ କମିଟି ହାତରେ ଥିଲା)ରେ ଥଇଥାନ କରିଛନ୍ତି। ବିସ୍ଥାପିତ ନୀତି ରାଜ୍ୟ କ୍ୟାବିନେଟ ଅନୁମୋଦନ ଲାଭ କରିଛି। କେବଳ ସେତିକି ନୁହେଁ, ଯାତ୍ରୀଙ୍କ ପାଇଁ ଉନ୍ନତମାନର ରହିବା ବ୍ୟବସ୍ଥା କରାଯାଉଛି, ଯାହା ଦ୍ବାରା ବିଶ୍ବ ଐତିହ୍ୟ କେନ୍ଦ୍ରର ଏହା ମାନ୍ୟତା ପାଇବ।

ଜିଲ୍ଲାପାଳ ଆହୁରି କହିଛନ୍ତି ଯେ ବଗଲା ଧର୍ମଶାଳାରେ ୨୦୦ ଯାତ୍ରୀଙ୍କ ରହିବା ବ୍ୟବସ୍ଥା ଥିଲା। ରାଜ୍ୟ ସରକାର ଇତିମଧ୍ୟରେ ଗୋଟିଏ ଯାତ୍ରୀନିବାସ ନିର୍ମାଣ କରିଛନ୍ତି, ଯେଉଁଥିରେ ୨୦୦୦ ଗରିବ ଯାତ୍ରୀ ରହିପାରିବେ। ରାଜ୍ୟ ସରକାର ଆଉ ୮୦୦୦ ଗରିବଙ୍କ ଲୋକଙ୍କ ରହିବା ପାଇଁ ସୁବିଧା କରୁଛନ୍ତି। ଏହାଦ୍ବାରା ୨୦୦ରୁ ୧୦ହଜାର ଲୋକଙ୍କ ରହିବା ବ୍ୟବସ୍ଥା (ପାଖାପାଖି ୫୦ଗୁଣା) କରାଯାଉଛି। ଶହ ଶହ ବର୍ଷ ଧରି ଭୋଗ ଦଖଲରେ ଥିବା ଜମିକୁ କିଛି ସେବାୟତ ଓ ବ୍ୟକ୍ତି ମହାପ୍ରଭୁଙ୍କ ପାଇଁ ତ୍ୟାଗ କରିଛନ୍ତି। ଏହାକୁ ସରକାର ସ୍ବୀକୃତି ଦେଇଛନ୍ତି ଏବଂ ସେମାନଙ୍କ ଥଇଥାନ ପାଇଁ ମଧ୍ୟ ବିସ୍ଥାପନ ନୀତିକୁ ଅନୁମୋଦନ ଦେଇଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe