image source-new india express
କଟକ: ପୁରୀ ବଡ଼ଦାଣ୍ଡରେ ଥିବା ବଗଲା ଧର୍ମଶାଳା ଜମି ବିକ୍ରି ପ୍ରସଂଗରେ ରହିତାଦେଶ ଜାରି ପାଇଁ ହାଇକୋର୍ଟରେ ଆବେଦନ ଦାୟର ହୋଇଛି। ଜଗନ୍ନାଥ ବସ୍ତିଆଙ୍କ ପକ୍ଷରୁ ଦାୟର ଆବେଦନରେ ଦର୍ଶାଯାଇଛି ଯେ ବଗଲା ଧର୍ମଶାଳା ଜମି ଲଜ୍ ଓ ହୋଟେଲ ମାଲିକଙ୍କୁ ଦେବା ନିଷ୍ପତ୍ତି ବିରୋଧରେ ସେ ୨୦୧୯ରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ୨୦୧୯, ଡିସେମ୍ବର ୧୭ରେ ହାଇକୋର୍ଟ ଏହି ମାମଲାରେ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଥିଲେ। ହାଇକୋର୍ଟରେ ମାମଲା ବିଚାରାଧୀନ ଥିବା ବେଳେ ବଗଲା ଧର୍ମଶାଳା ଜମିର କିଛି ଅଂଶ ବିକ୍ରି କରାଯାଇଛି। ପୁରୀ ଜିଲ୍ଲାପାଳ ବଗଲା ଧର୍ମଶାଳା ଜମିକୁ ୬ଜଣ ଲଜିଂ ମାଲିକଙ୍କୁ ବିକ୍ରି କରିଛନ୍ତି। ଏ ନେଇ ପୁରୀ ସବ୍ରେଜିଷ୍ଟ୍ରାରଙ୍କ ନିକଟରେ ବିକ୍ରି କବଲା ମଧ୍ୟ କରାଯାଇଛି। ହାଇକୋର୍ଟରେ ମାମଲା ବିଚାରାଧୀନ ଥିବା ବେଳେ ବିନା ଅନୁମତିରେ ଜମି ବିକ୍ରି କରାଯିବା ବେଆଇନ। ବଗଲା ଧର୍ମଶାଳାର ଅବଶିଷ୍ଟ ଜମିକୁ ମଧ୍ୟ ଜିଲ୍ଲାପାଳ ବିକ୍ରି କରି ଦେବାର ସମ୍ଭାବନା ରହିଛି। ଏପରି ପରିସ୍ଥିତିରେ ବଗଲା ଧର୍ମଶାଳା ଜମି ବିକ୍ରି/ହସ୍ତାନ୍ତର ଉପରେ ରହିତାଦେଶ ଜାରି କରାଯାଉ ବୋଲି ଦାୟର ଅନ୍ତରୀଣ ଆବେଦନରେ ଉଲ୍ଲେଖ କରାଯାଇଛି। ଏଥି ସହିତ ଜମିର ସ୍ଥିତିରେ କୌଣସି ପରିବର୍ତ୍ତନ ନ କରିବା ପାଇଁ ସ୍ଥାତାବସ୍ଥା ଜାରି କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଥିବା ବେଳେ ବଗଲା ଧର୍ମଶାଳା ଜମିକୁ ହୋଟେଲ ଓ ଲଜ ମାଲିକଙ୍କୁ ଦେବା ପ୍ରସଂଗକୁ ନେଇ ୨୦୧୯ରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ପୁରୀରେ ଭକ୍ତଙ୍କ ରହିବା ପାଇଁ ଧର୍ମଶାଳା ଓ ମଠ ସବୁ ରହିଥିବା ବେଳେ ସୁପ୍ରିମକୋର୍ଟ ୬୦ ହଜାର ଭକ୍ତଙ୍କ ରହିବା ପାଇଁ ବ୍ୟବସ୍ଥା କରିବା ଲାଗି କହିଥିଲେ। ଏପରି ପରିସ୍ଥିତିରେ ସରକାର ଭକ୍ତଙ୍କ ରହିବା ଲାଗି ଥିବା ଧର୍ମଶାଳାର ଜମିକୁ ହୋଟେଲ ଓ ଲଜ୍ ମାଲିକଙ୍କୁ ଦେବା ପାଇଁ ଯୋଜନା କରିବା ଗ୍ରହଣୀୟ ନୁହେଁ ବୋଲି ଆବେଦନରେ ଦର୍ଶାଯାଇଥିଲା। ମାମଲାରେ ରାଜ୍ୟ ସରକାର ଓ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ପକ୍ଷଭୁକ୍ତ କରାଯାଇଛି।
Follow Us