ବାଲେଶ୍ବର ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୨୪ ଘଣ୍ଟା ବିତିଲା, ଏବେ ବି ଅନ୍ଧାରରେ

Advertisment

ଓଡ଼ିଶା ସମେତ ୫ ରାଜ୍ୟର ଲୋକ ପ୍ରଭାବିତ, ମୃତକଙ୍କ ମଧ୍ୟରେ ଅଧିକାଂଶ ଯାତ୍ରୀ ପଶ୍ଚିମବଙ୍ଗର

ଓଡ଼ିଶା ସମେତ ୫ ରାଜ୍ୟର ଲୋକ ପ୍ରଭାବିତ, ମୃତକଙ୍କ ମଧ୍ୟରେ ଅଧିକାଂଶ ଯାତ୍ରୀ ପଶ୍ଚିମବଙ୍ଗର

ବାଲେଶ୍ବର ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୨୪ ଘଣ୍ଟା ବିତିଲା, ଏବେ ବି ଅନ୍ଧାରରେ

ଭୁବନେଶ୍ବର : ବାଲେଶ୍ବର ବାହାନଗା ଟ୍ରେନ୍‌ ଦୁର୍ଘଟଣା ପଛର କାରଣ କ’ଣ? କେଉଁ ଟ୍ରେନ୍‌ କାହାକୁ ପିଟିଥିଲା? ସିଗନାଲ୍‌ ଫେଲ୍‌ ଯୋଗୁଁ ଦୁର୍ଘଟଣା ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି। ତେବେ କେଉଁ କାରଣରୁ ଟ୍ରେନ୍‌ ଟ୍ରାକ୍‌ ବଦଳିଗଲା ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। କେଉଁ ଟ୍ରେନ୍‌ରେ ‌କେତେ ଯାତ୍ରୀ ରହିଥିଲେ? କେତେ ଜଣଙ୍କର ଏବେ ସୁଦ୍ଧା ମୃତ୍ୟୁ ହୋଇଛି? ଦୁର୍ଘଟଣାକୁ ୨୪ ଘଣ୍ଟା‌ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିପାରି ନାହିଁ। ସାରା ବିଶ୍ବକୁ ସ୍ତବ୍ଧ କରିଦେବା ଭଳି ଏହି ଟ୍ରେନ୍‌ ଦୁର୍ଘଟଣାକୁ ନେଇ ଏବେ ମଧ୍ୟ ଅନେକ ପ୍ରଶ୍ନ। ସମସ୍ତେ ଅନ୍ଧାରରେ। କେହି କିଛି ସ୍ପଷ୍ଟ ଚିତ୍ର ଦେଇପାରୁ ନାହାନ୍ତି। ଏମିତିକି ମୃତ୍ୟୁ ସଂଖ୍ୟାକୁ ନେଇ ଏବେ ତୁ ତୁ ମେଁ ମେଁ ଚାଲିଛି। ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଗୋଟିଏ ତଥ୍ୟ ସାମ୍ନାରେ ରଖୁଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଉ ଗୋଟିଏ ସୂଚନା ଦେଉଛନ୍ତି।

ମାତ୍ର ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ଏହି ଦୁର୍ଘଟଣାରେ ଦେଶର ୫ଟି ରାଜ୍ୟର ଯାତ୍ରୀ ପ୍ରଭାବିତ ହୋଇଛନ୍ତି। ସବୁଠାରୁ ବେଶି ପ୍ରଭାବିତ ହୋଇଛି ପଶ୍ଚିମବଙ୍ଗ। କରମଣ୍ଡଳ ଏକ୍ସପ୍ରେସ୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ପ୍ରାୟ ୬୦% କେବଳ ପଶ୍ଚିମବଙ୍ଗର ବୋଲି କୁହାଯାଉଛି। ଏହାବାଦ୍‌ ଓଡ଼ିଶାର ମଧ୍ୟ ବହୁ ସଂଖ୍ୟକ ଯାତ୍ରୀ ରହିଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଜେନେରାଲ ବଗିରେ ଚଢ଼ିଥିଲେ। ଏହି ‌ଟ୍ରେନ୍‌ ଆନ୍ଧ୍ରପ୍ରଦେଶ ଦେଇ ତାମିଲନାଡ଼ୁର ଚେନ୍ନାଇ ଯାଉଥିବାରୁ ଉକ୍ତ ଦୁଇ ରାଜ୍ୟର କିଛି ଯାତ୍ରୀ ମଧ୍ୟ ପ୍ରଭାବିତ ହୋଇଛନ୍ତି। ସେହିପରି କରମଣ୍ଡଳ ଟ୍ରେନ୍‌ର ବଗିଗୁଡ଼ିକ ଟ୍ରାକ୍‌ରେ ପଡ଼ିଥିବା ବେଳେ ଯଶବନ୍ତପୁର-ହାଓଡ଼ା ଏକ୍ସପ୍ରେସ୍‌ ଉକ୍ତ ବଗିଗୁଡ଼ିକୁ ଧକ୍କା ଦେଇଥିଲା ବୋଲି କୁହାଯାଉଛି। ଏହି ଟ୍ରେନର ୩ରୁ ୪ଟି ବଗି ମଧ୍ୟ ଧାରଣାରୁ ବାହାରି ଯାଇଥିଲା। ଏଥିରେ ଥିବା ଯାତ୍ରୀମାନେ ମଧ୍ୟ ପ୍ରଭାବିତ ହୋଇଛନ୍ତି। ‌କେଉଁ ଟ୍ରେନ୍‌ର କେତେ ସଂଖ୍ୟକ ଯାତ୍ରୀ ପ୍ରଭାବିତ ହୋଇଛନ୍ତି ସେନେଇ ତଥ୍ୟ ସାମ୍ନାକୁ ଆସିପାରି ନାହିଁ।

publive-image
ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଏକାଧିକ କେନ୍ଦ୍ରମନ୍ତ୍ରୀ, ଓଡ଼ିଶା ଓ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଘଟଣା ସ୍ଥଳକୁ ଯାଇ ଅନୁଧ୍ୟାନ କରି ଫେରିଲେଣି। ମାତ୍ର ଦୁର୍ଘଟଣାର ଚିତ୍ର ଆଙ୍କିବାରେ କେହି ବି ସଫଳ ହୋଇପାରି ନାହାନ୍ତି। ଉଦ୍ଧାର କାର୍ଯ୍ୟକୁ ସମସ୍ତେ ପ୍ରାଥମିକତା ଦେଉଥିବା କହିଛନ୍ତି। ୨୪ ଘଣ୍ଟା ପରେ ବି ଦକ୍ଷିଣ ପୂର୍ବ ରେଳପଥ ପକ୍ଷରୁ ଓଡ଼ିଶାବାସୀଙ୍କ ପାଇଁ କୌଣସି ବି ଆଶ୍ବାସନା କଲାଭଳି ସନ୍ଦେଶ ଦେଇ ନାହାନ୍ତି। ସେପଟେ ଉଦ୍ଧାର କାର୍ଯ୍ୟକୁ ନେଇ ରାତି ପର୍ଯ୍ୟନ୍ତ ପରସ୍ପର ମଧ୍ୟରେ ଟଣାଓଟରା ଜାରି ରହିଛି। ବାହାନଗାରେ ଉଦ୍ଧାରକାର୍ଯ୍ୟ ଶେଷ ହୋଇଥିବା ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି। ଦକ୍ଷିଣ ପୂର୍ବ ରେଳପଥ ପକ୍ଷରୁ ଜାରି ବିଜ୍ଞପ୍ତିରେ ବି ସେଭଳି କୁହାଯାଉଛି। ମାତ୍ର ରାତି ପର୍ଯ୍ୟନ୍ତ ‌ଟ୍ରେନ୍‌ ବଗି ଭିତରୁ ଶବ ବାହାରୁଛି। କେତେବେଳେ ୫ଟି ତ ଆଉ କେତେବେଳେ ୬ଟି।

ଓଡ଼ିଶାର ଅଧିକାଂଶ ଅଞ୍ଚଳ ପୂର୍ବତଟ ରେଳପଥ ଅଧୀନରେ ରହିଥିଲେ ମଧ୍ୟ ଏହି ଅଞ୍ଚଳ ଆସୁ ନାହିଁ। ତେଣୁ ଏଠାକାର ଅଧିକାରୀମାନେ ମଧ୍ୟ ବିଶେଷ ମୁଣ୍ଡ ପୂରାଉ ନାହାନ୍ତି। ରେଳପଥର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଯେତେଦୂର ସମ୍ଭବ ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରାଯାଉଛି। ରେଳପଥ ପକ୍ଷରୁ ଯାତ୍ରୀଙ୍କ ସହଯୋଗ ଲାଗି ବିକଳ୍ପ ଟ୍ରେନ୍‌ ପଠାଯାଇଛି। ବିଭିନ୍ନ ଷ୍ଟେସନରେ ଅଟକି ରହିଥିବା ଯାତ୍ରୀଙ୍କୁ ଧାର୍ଯ୍ୟ ସ୍ଥଳକୁ ପଠାଯାଉଛି। ଏହି ଦୁର୍ଘଟଣା ବିଶ୍ବର ଅନ୍ୟତମ ପ୍ରମୁଖ ରେଳ ଦୁର୍ଘଟଣା ହୋଇଥିବାରୁ ପ୍ରଧାନମନ୍ତ୍ରୀଙ୍କ ସମେତ ରେଳମନ୍ତ୍ରୀ ଘଟଣାର ତଦାରଖ କରୁଛନ୍ତି। ତେଣୁ ଆମେ ସେଥିପ୍ରତି ବିଶେଷ ଗୁରୁତ୍ବ ଦେଉନୁ। ଏବେ ଦୁର୍ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଛି।

publive-image

ରକ୍ତଦାତାମାନଙ୍କୁ ଧନ୍ୟବାଦ ଜଣାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି। ଭୟଙ୍କର ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା‌ ପାଇଁ ରକ୍ତର ଆବଶ୍ୟକତା ଥିଲା ବେଳେ ଗତକାଲି ରାତିରେ ବହୁ ସଂଖ୍ୟାରେ ଯୁବକ ରକ୍ତଦାନ କରିବାକୁ ଆଗେଇ ଆସିଥିଲେ। ଓଡ଼ିଶାର ଲୋକଙ୍କ ପାଇଁ ବି‌ଶେଷ କରି ଭଦ୍ରକ ଓ ବାଲେଶ୍ବର ଲୋକଙ୍କ ପାଇଁ ମୁଁ ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe