ବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲା: ସିବିଆଇକୁ ହାଇକୋର୍ଟଙ୍କ ନୋଟିସ୍

Advertisment
ଅଧ୍ୟାପକଙ୍କୁ ୟୁଜିସି ସ୍କେଲ୍‌ ପ୍ରସଙ୍ଗ: ହାଇକୋର୍ଟରେ ସରକାରଙ୍କ ଆବେଦନ ଖାରଜ

new india express

କଟକ: ବାଲେଶ୍ବର ବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲାର ଅନ୍ୟତମ ଅଭିଯୁକ୍ତ ପପୁ କୁମାରଙ୍କ ଆବେଦନକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରି ସିବିଆଇକୁ ନୋଟିସ୍ ଜାରି କରିଛନ୍ତି। ଏହି ମାମଲାରେ ପପୁ କୁମାରଙ୍କ ବିରୋଧରେ ନିର୍ଦ୍ଦିଷ୍ଟ ଭାବେ କ’ଣ ତଥ୍ୟ ପ୍ରମାଣ ରହିଛି ସେ ନେଇ ପରବର୍ତ୍ତୀ ଶୁଣାଣି ସମୟରେ ଅବଗତ କରିବାକୁ ସିବିଆଇକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଶିବ ଶଙ୍କର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ପପୁ କୁମାରଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଗ୍ରୀଷ୍ମ ଅବକାଶ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ମାମଲାର ବିବରଣୀରୁ ପ୍ରକାଶ ଯେ, ଗତ ଏପ୍ରିଲ୍‌ ମାସରେ ଏହି ମାମଲ‌ାରେ ପପୁ କୁମାରଙ୍କ ସହିତ ଅନ୍ୟ ଅଭିଯୁକ୍ତ ସିନିୟର ‌ସେକ୍ସନ ଇଂଜନିୟର (ସିଗନାଲ୍‌) ଅରୁଣ କୁମାର ମହନ୍ତ, ସୋରର ସିନିୟର ସେକ୍ସନ ଇଂଜିନିୟର ମହମ୍ମଦ ଅମିର ଖାଁଙ୍କ ଡିସଚାର୍ଜ ପିଟିସନ୍‌ ନିମ୍ନ ଅଦାଲତରେ ଖାରଜ ହୋଇଥିଲା। ଏପରି ନିର୍ଦ୍ଦେଶ ବିରୋଧରେ ପପୁ କୁମାର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ସେ କେବଳ ଜଣେ ଟେକନିସିଆନ୍‌ ହୋଇଥିବା ବେଳେ ତାଙ୍କର ଏହି ଘଟଣାରେ କୌଣସି ଭୂମିକା ନାହିଁ। ତାଙ୍କ ବିରୋଧରେ ମାମଲା ରଦ୍ଦ କରାଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା।

ମାମଲାର ବିବରଣୀ ଅନୁଯାୟୀ ବାହାନଗା ଘଟଣାରେ ଏହି ତିନି ରେଳ କର୍ମଚାରୀଙ୍କୁ ସିବିଆଇ ଗିରଫ କରିଥିଲା। ତଦନ୍ତ ପରେ ସିବିଆଇ ଏହି ତିନି ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ଦଫା ୩୦୨(ପାର୍ଟ-୨), ୨୦୧, ୩୪ ଓ ରେଲୱେ ଆକ୍ଟର ଧାରା ୧୩ରେ ଭୁବନେଶ୍ବର ଅତିରିକ୍ତ ଦୌରା ଜଜ୍ ଅଦାଲତରେ ଚାର୍ଜସିଟ ଦାଖଲ କରିଥିଲା। ତିନି ଅଭିଯୁକ୍ତଙ୍କ ଜାମିନ ନିମ୍ନ ଅଦାଲତରେ ଖାରଜ ହେବା ପରେ ସେମାନେ ହାଇକୋର୍ଟରେ ପୃଥକ ଆବେଦନ ଦାୟର କରିଥିଲେ। ତିନି ଅଭିଯୁକ୍ତଙ୍କ ନିୟମିତ ଜାମିନ ଆବେଦନ ହାଇକୋର୍ଟରେ ବିଚାରାଧୀନ ରହିଛି। ଏଠାରେ ସୂଚନାଯୋଗ୍ୟ ଯେ ୨୦୨୩, ଜୁନ ୨ ସନ୍ଧ୍ୟାରେ ବାଲେଶ୍ବର ବାହାନଗା ଷ୍ଟେସନରେ ଏହି ଭୟଙ୍କର ରେଳ ଦୁର୍ଘଟଣା ହୋଇଥିଲା। ଏଥିରେ ୨୯୬ଜଣଙ୍କ ପ୍ରାଣହାନୀ ଘଟିଥିବା ବେଳେ ପ୍ରାୟ ୧୨୦୦ ଜଣ ଆହତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe