ନିରାକାରପୁର : ଟାଙ୍ଗୀବ୍ଲକ୍ ଅଧୀନସ୍ଥ ବିଭିନ୍ନ ପଂଚାୟତରେ ଥିବା ଗ୍ରାମଗୁଡ଼ିକର ରାସ୍ତାକଡ଼ରେ ପ୍ରଶାସନ ପକ୍ଷରୁ ବଡ଼ବଡ଼ ଅକ୍ଷରରେ ଲେଖା ହୋଇଛି ‘ବାହ୍ୟ ମଳମୁକ୍ତ ଗାଁ’। ହେଲେ ଗାଁରେ ରହୁଥିବା ପରିବାରଙ୍କ ନିକଟରେ ନା ପାଇଖାନା ଅଛି, ନା ଗାଁରେ କୌଣସି ଗୋଷ୍ଠୀ ଶୌଚାଳୟ ସ୍ଥାପନ କରାଯାଇଛି। ଗୋଟିଏ କିମ୍ବା ଦୁଇଟି ଗ୍ରାମରେ ନୁହେଁ, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀବ୍ଲକ୍ ଅନ୍ତର୍ଗତ ଅଧିକାଂଶ ଗ୍ରାମରେ ଏଭଳି ଅବସ୍ଥା ଦେଖିବାକୁ ମିଳୁଛି।
‘ବାହ୍ୟ ମଳମୁକ୍ତ ଗାଁ’ ଅଭିଯୋଗ ଯେମିତି କେବଳ ବିଜ୍ଞାପନ ଫଳକରେ ସୀମିତ ରହିଯାଇଛି। ଏହି ଯୋଜନା ପାଇଁ ସରକାରୀ ସ୍ତରରେ ଯେତିକି ଅର୍ଥ ବିନିଯୋଗ ହେଉଛି ସେତିକି ସାଧାରଣ ଲୋକଙ୍କ ପାଖରେ ପହଂଚି ପାରୁନାହିଁ ବୋଲି ଅଭିଯୋଗ ହେଉଛି। ଟାଙ୍ଗୀବ୍ଲକ୍ର ୨୬ଟି ପଂଚାୟତରେ ଥିବା ହାତଗଣତି କେତୋଟି ଗ୍ରାମକୁ ଛାଡ଼ିଦେଲେ ଅନ୍ୟଗ୍ରାମଗୁଡ଼ିକରେ ଏଭଳି ଅବସ୍ଥା ଦେଖିବାକୁ ମିଳୁଛି।
ସୂଚନାଯୋଗ୍ୟ ଯେ ଡିଆ ପଞ୍ଚାୟତର ଭୋଇସାହି, କାଶୀପୁର, ଲେଣ୍ଡୋ ପଂଚାୟତର ରେଙ୍ଗେଟା, ରାମେଶ୍ୱର ପଂଚାୟତର ଚନ୍ଦନପୁର ଆଦି ଅନେକ ଗ୍ରାମରେ ଅଧିକାଂଶ ହିତାଧିକାରୀ ପାଇଖାନା ପାଇ ନଥିବାରୁ ରେଳଧାରଣା, କେନାଲବନ୍ଧ, ପୋଖରୀହୁଡ଼ା ଏବଂ ସର୍ବସାଧାରଣ ଗ୍ରାମ୍ୟ ରାସ୍ତାକୁ ଲୋକେ ମୁକ୍ତାକାଶ ଶୌଚାଳୟ ଭାବେ ବ୍ୟବହାର କରିବାକୁ ବାଧ୍ୟହେଉଛନ୍ତି।
Follow Us