ବିପଦ ସଙ୍କେତ ଉପରେ ବୈତରଣୀ, ଦଶରଥପୁରକୁ ଭରସା ବାଲିବସ୍ତା

କାଣୀ ନଦୀବନ୍ଧ ୪ସ୍ଥାନରେ ଧସିଲା, ୫ ପଞ୍ଚାୟତର ଚାଷଜମି ଜଳମଗ୍ନ

ବିପଦ ସଙ୍କେତ ଉପରେ ବୈତରଣୀ, ଦଶରଥପୁରକୁ ଭରସା ବାଲିବସ୍ତା

ପାଣିକୋଇଲି/ଦଶରଥପୁର : ଉପରମୁଣ୍ତରେ ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀର ଜଳସ୍ତର ବଢ଼ୁଛି। ଆଖୁଆପଦାଠାରେ ବିପଦ ସଂକେତ ୧୭.୮୩ ମିଟର ରହିଥିବା ବେଳେ ବର୍ତ୍ତମାନ ଏଠାରେ ୧୮.୦୪ ମିଟର ଉଚ୍ଚରେ ପାଣି ପ୍ରବାହିତ ହେଉଛି। ଏଥିସହ ବୈତରଣୀର ଶାଖା କାଣୀ ନଦୀରେ ପାଣି ବଢ଼ିବାରୁ ଦଶରଥପୁର ବ୍ଲକ୍‌ ପ୍ରତି ବିପଦ ଦେଖାଦେଇଛି। ଦଶରଥପୁର ବ୍ଲକ୍‌ରେ ୪ଟି ସ୍ଥାନରେ କାଣୀ ନଦୀବନ୍ଧ ଧସିଛି। ୫ ପଞ୍ଚାୟତର ଶହଶହ ହେକ୍ଟର ଚାଷଜମି ଜଳମଗ୍ନ ହୋଇଯାଇଛି।

publive-image

ଶନିବାର ଦିନ ୧୧ଟା ୧୦ରେ ବୈତରଣୀ ଜଳସ୍ତର ଆଖୁଆପଦାଠାରେ ବିପଦ ସଂକେତ ୧୭.୮୩ ମିଟରକୁ ଛୁଇଁଥିଲା। ଦିନ ଗୋଟାଏବେଳେ ୧୭.୯୨ ମିଟର, ଅପରାହ୍‌ଣ ୪ଟାରେ ୧୮.୦୨, ସନ୍ଧ୍ୟା ୬ଟାରେ ୧୮.୦୪, ସନ୍ଧ୍ୟା ୭ଟା ବେଳକୁ ୧୮.୦୪ ମିଟରରେ ସ୍ଥିର ରହିଥିଲେ ମଧ୍ୟ ଜଳସ୍ରୋତ ପ୍ରଖର ରହିଛି। ଉପରମୁଣ୍ତରେ ଆଜି ବର୍ଷା ପରିମାଣ କମିଛି। ହେଲେ ଗତକାଲିର ବର୍ଷାପାଣିରେ ନଦୀର ଜଳସ୍ତର ରାତି ସୁଦ୍ଧା ଆହୁରି ବଢ଼ିବ ବୋଲି ଆଖୁଆପଦା ବ୍ୟାରେଜର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ଦାସ ସୂଚନା ଦେଇଛନ୍ତି।

ସେହିପରି ପାଣିପାଗ ବିଭାଗ ସୂଚନା ମୁତାବକ ଶନିବାର ଦିନ ୯ଟା ସୁଦ୍ଧା ଆଖୁଆପଦାଠାରେ ୧୪.୦୦ ମିଲିମିଟର, ଆନନ୍ଦପୁରରେ ୧, ଚମ୍ପୁଆରେ ୧୦.୦୨. ମିଲିମିଟର, ସ୍ବାମ୍‌ପାଟଣାରେ ୨୭.୦୨ ମିମି, କେନ୍ଦୁଝରରେ ୨୯.୦୬ ଓ ଠାକୁରମୁଣ୍ତାରେ ୨୭ ମିଲିମିଟର ବର୍ଷା ହୋଇଛି। ବୈତରଣୀ ନଦୀର ବନ୍ୟାପାଣି ଯୋଗୁଁ ଯାଜପୁର ଜିଲ୍ଲାର ଯାଜପୁର, କୋରେଇ, ଦଶରଥପୁର ବ୍ଲକର ନଦୀକୂଳିଆ ଓ ତଳିଆ ଅଞ୍ଚଳର କିଛି ସ୍ଥାନରେ ବନ୍ଧ ଅତଡ଼ା ଖସି ପାଣି ପଶିବାର ଆଶଙ୍କା ପ୍ରକାଶ ପାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ବୈତରଣୀ ବନ୍ୟାକୁ ମୁକାବିଲା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି।

publive-image

ସେହିପରି ଦଶରଥପୁରରେ ବ‌ୈତରଣୀର ବିପଦ ସଙ୍କେତ ୯.୫୨ ମିଟର ରହିଥିବାବେଳେ ରାତି ୮ଟାରେ ୯.୫୪ ମିଟର ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ବୈତରଣୀ ନଦୀର ଶାଖା କାଣୀ ନଦୀବନ୍ଧ ପୁଣି ଧସିଯାଇଥିବା ଦେଖିବାକୁ ମିଳିଛି। ନଦୀର ଦୁଇଟି ପାର୍ଶ୍ବରେ ୪ଟି ସ୍ଥାନରେ ପ୍ରାୟ ୫୦୦ ମିଟରରୁ ଅଧିକ ଧସିଯାଇଛି। ଧସିଥିବା ସ୍ଥାନକୁ ବିଭାଗ ପକ୍ଷରୁ ବାଲିବସ୍ତା ପକାଇ ମରାମତି କରାଯାଉଛି। କାଣୀ ନଦୀର ଡାହାଣ ପାଖ ମଲ୍ଲିକାପୁର ଗାଁ ଆଡ଼କୁ ୩ଟି ସ୍ଥାନ ଓ ବାମପାଖ କଣ୍ଟପଡ଼ା ଗାଁ ଆଡ଼କୁ ଗୋଟିଏ ସ୍ଥାନରେ ଅତଡ଼ା ଖସିଛି। କାଣୀନଦୀର କଣ୍ଟପଡ଼ାଠାରେ ପୂର୍ବ ବର୍ଷ ଘାଇ ହୋଇଥିବା ସ୍ଥାନ ମୁକୁଳା ରହିଥିବାରୁ ସେହିବାଟ ଦେଇ ବନ୍ୟାଜଳ ପ୍ରବାହିତ ହେଉଛି।

କୟାଁଗୋଲାଠାରେ ମଧ୍ୟ ଚାଷଜମିରେ ବନ୍ୟାଜଳ ଚାଲିଛି। ମଲ୍ଲିକାପୁର, ଦୁଦୁରାଅନ୍ତା, ଦତ୍ତପୁର, କୟାଁ, କମାରଡିହି ଆଦି ପଞ୍ଚାୟତର ଶହଶହ ହେକ୍ଟର ଚାଷଜମି ଜଳମଗ୍ନ ହୋଇଯାଇଛି। ଜଳସମ୍ପଦ ବିଭାଗ ପକ୍ଷରୁ ଦଶରଥପୁର, ଜୟନ୍ତରା, ଦୁଦୁରାଅନ୍ତା, ଦତ୍ତପୁର, ନିଜାମପୁର, କମାରଡିହି, କୟାଁ ଆଦି ପଞ୍ଚାୟତକୁ ୧୦ ହଜାରରୁ ଅଧିକ ବାଲିବସ୍ତା ପଠାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe