ବୈତରଣୀ ଜଳସ୍ତର କମୁଛି, ଶାଖା ନଦୀ ଫୁଲୁଛି: ବନ୍ୟା ଘେରରେ ଧାମନଗର ଓ ଭଣ୍ଡାରିପୋଖରୀର ୩୩ ପଞ୍ଚାୟତ

Advertisment

ଆରଡି-ଭଦ୍ରକ, ଭଣ୍ଡାରିପୋଖରୀ-ଯାଜପୁର ଯୋଗାଯୋଗ ବିଚ୍ଛିନ୍ନ

ଆରଡି-ଭଦ୍ରକ, ଭଣ୍ଡାରିପୋଖରୀ-ଯାଜପୁର ଯୋଗାଯୋଗ ବିଚ୍ଛିନ୍ନ

ବୈତରଣୀ ଜଳସ୍ତର କମୁଛି, ଶାଖା ନଦୀ ଫୁଲୁଛି: ବନ୍ୟା ଘେରରେ ଧାମନଗର ଓ ଭଣ୍ଡାରିପୋଖରୀର ୩୩ ପଞ୍ଚାୟତ

ଭଦ୍ରକ/ଭଣ୍ଡାରିପୋଖରୀ/ଭଣ୍ଡାରିପେଖରୀ-୧/ଧାମନଗର: ବୈତରଣୀ ବନ୍ୟା ଯୋଗୁଁ ଶାଖା ନଦୀ ରେବ, କପାଳୀ, ନାଳିଆ, କୋଚିଳା, ଗେଙ୍ଗୁଟି ବର୍ତ୍ତମାନ ଉଛୁଳୁଛି। ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ, ଧାମନଗର, ଚାନ୍ଦବାଲି ଓ ବନ୍ତ ବ୍ଲକ୍‌ରେ ବନ୍ୟା ପରିସ୍ଥିତି ଗମ୍ଭୀର ଥିବା ବେଳେ ଭଣ୍ଡାରିପୋଖରୀ ଓ ଧାମନଗର ବ୍ଳକ୍‌ର ୩୩ଟି ପଞ୍ଚାୟତ କ୍ଷତିଗ୍ରସ୍ତ ହୋଇଛି। ଏହି ଦୁଇଟି ବ୍ଳକ୍‌ର ଶତାଧିକ ଗାଁ ପାଣି ଘେରରେ ରହିଛି। ଆଜି ସକାଳ ୬ଟା ସୁଦ୍ଧା ଆଖୁଆପଦାଠାରେ ୧୯.୯୮ ମିଟର ଉପରେ ବନ୍ୟାଜଳ ପ୍ରବାହିତ ହେଉଥିଲା। ତେବେ ଅପରାହ୍ନ ୪ଟା ସୁଦ୍ଧା ଜଳସ୍ତର ୧୯.୩୨ ମିଟରକୁ ଖସି ଆସିଛି। ବର୍ଷା ବନ୍ଦ ହୋଇ ଯାଇଥିବାରୁ ବୈତରଣୀର ଜଳସ୍ତର ବିପଦ ସଙ୍କେତ ତଳକୁ ଖସିବାର ସମ୍ଭାବନା ରହିଛି। ଜଳସ୍ତର କମିଥିଲେ ବି ଶାଖା ନଦୀଗୁଡ଼ିକରେ ଜଳସ୍ତର ବଢିବାରେ ଲାଗିଛି। ବନ୍ୟାରେ ଉପରୋକ୍ତ ୪ଟି ବ୍ଲକ୍‌ର ପ୍ରାୟ ୫୦ ହଜାର ହେକ୍ଟର ଚାଷଜମି ପାଣିରେ ବୁଡ଼ିରହିଛି। ଭଣ୍ଡାରିପୋଖରୀ ବ୍ଲକ୍‌ର କଣ୍ଟିଘାଇ ଏସ୍‌କେପ୍‌ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଧାମନଗର ବ୍ଲକ୍‌ର ମଲ୍ଲୀମାହାରା ଓ ଗୌରାଙ୍ଗପୁର ‌ଏସ୍‌କେପ୍‌ ଦେଇ ବନ୍ୟାଜଳ ଗାଁ ଭିତରକୁ ମାଡ଼ିଆସିଛି।

ଧାମନଗର ବ୍ଲକ୍‌ର ୨୬ଟି ପଞ୍ଚାୟତରେ ୮୦ରୁ ଅଧିକ ଗାଁ ବନ୍ୟାଘେରରେ ରହିଛି। ୮୦ଟି ଅସ୍ଥାୟୀ ଓ ୫ଟି ବାତ୍ୟା ଆଶ୍ରୟସ୍ଥଳୀରେ ଲୋକଙ୍କୁ ରଖାଯାଇଛି। ଆଜି ସକାଳେ ଖଡ଼ିପଦା ପଞ୍ଚାୟତ କାଞ୍ଜିଆପାଳ ଗ୍ରାମର ସୁଜୟ ଦାସଙ୍କ ୮ ବର୍ଷର ପୁଅ ଆକାଶ ବନ୍ୟାଜଳରେ ଭାସି ଯାଇଥିଲେ। ସଂଧ୍ୟା ପର୍ଯ୍ୟନ୍ତ ଓଡ୍ରାଫ୍‌ ଟିମ୍‌ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କୁ ଉଦ୍ଧାର କରାଯାଇପାରିନାହିଁ। ଆନନ୍ଦପୁର-ଖଡ଼ିପଦା, ଧାମନଗର-ସେଣ୍ଡପୁର, ପଧାନୀ-ଭଗତପୁର, ସେଣ୍ଡପୁର-ଦୋବଲ, ଧାମନଗର-ଫଳପୁର, ଅର୍ଜୁନପୁର-ବାଲିପାଟଣା, ହସନାବାଦ-ଧୂଷୁରୀ, ଆମ୍ବିଳିଗାଁ-ଗୁଡୁପୋଖରୀ ଓ କୋଠାର-ଧୂଷୁରୀ ରାସ୍ତାରେ ଅଣ୍ଟେ ଉଚ୍ଚର ପାଣି ଚାଲିଥିବାରୁ ଯାତାୟାତ ପୂରା ଠପ୍ ହୋଇଯାଇଛି। ଭଣ୍ଡାରିପୋଖରୀ ବ୍ଲକ୍‌ର ବନ୍ଦାଳ-ମଢିଆଳି ଓ ଭଣ୍ତାରିପୋଖର-ମଣିନାଥପୁର ରାସ୍ତା ଉପରେ ୩ ଫୁଟ୍‌ର ବନ୍ୟାଜଳ ପ୍ରବାହିତ ହେବା ଫଳରେ ଯାଜପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଏହି ବ୍ଲକ୍‌ର ଷୋଳମପୁର, ମାଳଦା, ରହଣିଆ, କୋରିଗାଁ, ନପଙ୍ଗ, ବନ୍ଦାଳୋ, ମଢିଆଳି, ଝୁଟୁଣା ଆଦି ୭ଟି ପଞ୍ଚାୟତର ପ୍ରାୟ ୩୦ ହଜାର ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ବନ୍ୟାଜଳରେ ଫସି ରହିଥିବା ଝୁଟୁଣା ଗ୍ରାମର ଦାଶରଥୀ ସାହୁଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଛି। ଚାନ୍ଦବାଲି ବ୍ଲକ୍‌ର ଷାଠିବାଙ୍କୁଡାଠାରେ ନଦୀବନ୍ଧ ଦୁର୍ବଳ ଥିବାରୁ ଜଳସମ୍ପଦ ବିଭାଗ ସେଠାରେ ବାଲି ବସ୍ତା ପକାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe