ବଲାଙ୍ଗୀରରେ ବଜ୍ରକାପ୍ତା ଚୋରାଚାଲାଣ : ସିକେରପାଟ ଜଙ୍ଗଲକୁ ଟାର୍ଗେଟ୍‌

Advertisment
ବିକ୍ରି ପାଇଁ ମୁଲଚାଲ ବେଳେ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର: ୨ ଅଭିଯୁକ୍ତ ଗିରଫ, ଜଣେ ଫେରାର

Image Source-Mycitylink

୧୦ କିଲୋ ଓଜନର ବଜ୍ରକାପ୍ତାକୁ ବିକ୍ରି କରିଦେଲେ
ସ୍ଥାନୀୟ ଯୁବକଙ୍କୁ ଲଗାଇଛନ୍ତି ବାହାର ରାଜ୍ୟ ବେପାରୀ

ବଲାଙ୍ଗୀର : ରାଜ୍ୟବ୍ୟାପୀ ତନାଘନା ପରେ ବି ବନ୍ଦ ହେଉନି ବେଆଇନ୍‌ ବଜ୍ରକାପ୍ତା ଚୋରାଚାଲାଣ। ଚୋରା ଚାଲାଣକାରୀ ଗ୍ୟାଙ୍ଗ୍‌ ଏବେ ବି ବଲାଙ୍ଗୀର ଜିଲ୍ଲାରେ ସକ୍ରିୟ ଥିବାର ପ୍ରମାଣ ମିଳିଛି। ସିକେରପାଟ ଜଂଗଲକୁ ଟାର୍ଗେଟ୍‌ରେ ରଖିଛନ୍ତି ଅନ୍ତଃରାଜ୍ୟ ବେପାରୀ। ଅଳ୍ପ ଦିନ ତଳେ ଦଶ କିଲୋ ଓଜନର ଏକ ବଜ୍ରକାପ୍ତାକୁ ଏଠାରେ ବିକ୍ରି କରାଯିବା ସହ ବାହାର ରାଜ୍ୟକୁ ଚାଲାଣ ହୋଇଥିବା ସୂଚନା ମିଳିଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ, କଳାହାଣ୍ଡି ଜିଲ୍ଲା ମ. ରାମପୁର ଥାନା ଅନ୍ତର୍ଗତ ମୋହନଗିରି ଅଞ୍ଚଳରୁ ଏହାକୁ ଧରାଯାଇଥିଲା। ଏହାକୁ ଗୁଡ଼ଭେଲା ଦେଇ ଚାଲାଣ କରାଯାଇଛି। କିଛି ଲୋକ ବଜ୍ରକାପ୍ତା ଧରିବା ପରେ ସ୍ଥାନୀୟ ଦଲାଲଙ୍କୁ ଖବର ଦେଇଥିଲେ। ଦଲାଲଙ୍କ ପସନ୍ଦ ହେବା ପରେ ବାହାର ରାଜ୍ୟରୁ ବେପାରୀ ଆସି ଏହାକୁ ନେଇଯାଇଥିବା ଜଣାଯାଇଛି। ତେବେ ଏ ନେଇ ଡିଏଫଓ ସମୀର ଶତପଥୀଙ୍କୁ ପଚାରିବାରୁ ପୂର୍ବରୁ ଲାଠୋର ଅଞ୍ଚଳରେ ଲୋକେ ବଜ୍ରକାପ୍ତା ଧରି ବିକ୍ରି କରୁଥିବା ‌ସେ ଖବର ପାଇଥିଲେ। ମାତ୍ର ସିକେରପାଟ ଅଞ୍ଚଳରେ ବଜ୍ରକାପ୍ତା ଚାଲାଣ ସଂପର୍କରେ ଆମ ପାଖରେ ଖବର ନାହିଁ। ଏହା ଉପରେ ଆମେ ତଦନ୍ତ କରିବୁ ବୋଲି ସ‌େ କହିଥିଲେ।

ଗୁଡ଼ଭେଲା ବ୍ଲକ ସିକେରପାଟ ସଂରକ୍ଷିତ ଜଙ୍ଗଲରେ ଅଛନ୍ତି ବିରଳ ବଜ୍ରକାପ୍ତା। ସିକେରପାଟ ସଂଲଗ୍ନ କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାର ଜଙ୍ଗଲରୁ ମଧ୍ୟ ଧରା ହେଉଛନ୍ତି। ବଜ୍ରକାପ୍ତାକୁ ନେଇ ମୋଟା ଅଙ୍କର ବେପାର ହେଉଛି। ଗୁଡ଼ଭେଲା ଦେଇ ଏହାକୁ ଓଡ଼ିଶା ବାହାରକୁ ଚୋରା ଚାଲାଣ ହେଉଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ବାହାର ରାଜ୍ୟର ତସ୍କର ଗୁଡ଼ଭେଲା ଅଞ୍ଚଳରେ ଡେରା ପକାଇଛନ୍ତି। ସ୍ଥାନୀୟ ବାସିନ୍ଦାଙ୍କୁ ମୋଟା ଅଙ୍କର ଲୋଭ ଦେଖାଇ ଏମାନେ କାମ କରୁଛନ୍ତି। ଦଶ କିଲୋ ଓଜନର ଜୀବିତ ବଜ୍ରକାପ୍ତାକୁ ଲକ୍ଷାଧିକ ଓ ଚାରି ଇଞ୍ଚରୁ ଅଧିକ ମାପର କାତି ଥିବା ବଜ୍ରକାପ୍ତାର ଦାମ୍‌ କୋଟିଏ ଟଙ୍କା ବୋଲି ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମରେ ଲୋକଙ୍କୁ କୁହାଯାଉଛି। ବଜ୍ରକାପ୍ତା ଧରିବା କି ମାରିବା ଆଇନ୍ ବିରୁଦ୍ଧ ହୋଇଥିଲେ ବି ଟଙ୍କା ଲୋଭରେ କିଛି ବ୍ୟକ୍ତି ପାଗଳ ଭଳି ଜଂଗଲରେ ବଜ୍ରକାପ୍ତା ଖୋଜୁଛନ୍ତି।

ସୂଚନାଯୋଗ୍ୟ, କିଛି ଦିନ ତଳେ ବଜ୍ରକାପ୍ତା ଶିକାର ପଛରେ ଥିବା ଏକ ବଡ଼ ରାକେଟ୍‌ ଧରାପଡ଼ିବା ପରେ ସାରା ରାଜ୍ୟକୁ ଏହାର ଚେର ଲମ୍ବିଥିବା ଜଣାପଡ଼ିଥିଲା। ମାତ୍ର ବଲାଙ୍ଗୀର ଓ ନିକଟବର୍ତ୍ତୀ ଜିଲ୍ଲାରେ ଏହି ରୢାକେଟ ଏବେ ବି ସକ୍ରିୟ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe