ଘିଅ କଟକଣାକୁ ମାନୁନାହାନ୍ତି ସୂପକାର: ଡାଲି, ଚାଉଳ ବସ୍ତାରେ ଯାଉଛି ବେନାମୀ ଘିଅ

Advertisment

ଅବଢ଼ାରେ ଶ୍ରୀମନ୍ଦିର ପ୍ରଶାସନ ଡାଲ୍‌ଦା, ପାମୋଲିନ୍‌ ବ୍ୟବହାରରେ କଟକଣା ଲଗାଇବା ସହ କେବଳ ଓମ୍‌ଫେଡ୍‌ ଘିଅ ବ୍ୟବହାରକୁ ବାଧ୍ୟତାମୂଳକ କରିଛି। ଏହାକୁ ଅବମାନନା କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି।

ଅବଢ଼ାରେ ଶ୍ରୀମନ୍ଦିର ପ୍ରଶାସନ ଡାଲ୍‌ଦା, ପାମୋଲିନ୍‌ ବ୍ୟବହାରରେ କଟକଣା ଲଗାଇବା ସହ କେବଳ ଓମ୍‌ଫେଡ୍‌ ଘିଅ ବ୍ୟବହାରକୁ ବାଧ୍ୟତାମୂଳକ କରିଛି। ଏହାକୁ ଅବମାନନା କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି।

ନକଲି ଘିଅ ଓ ସସ୍ କାରଖାନା ଉପରେ ପୁଲିସର ଚଢାଉ

ପୁରୀ: ଅବଢ଼ାରେ ଶ୍ରୀମନ୍ଦିର ପ୍ରଶାସନ ଡାଲ୍‌ଦା, ପାମୋଲିନ୍‌ ବ୍ୟବହାରରେ କଟକଣା ଲଗାଇବା ସହ କେବଳ ଓମ୍‌ଫେଡ୍‌ ଘିଅ ବ୍ୟବହାରକୁ ବାଧ୍ୟତାମୂଳକ କରିଛି। ଏହାକୁ ଅବମାନନା କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି। ଏହା ସତ୍ତ୍ବେ ଶ୍ରୀମନ୍ଦିର ପ୍ରଶାସନର ଏହି କଟକଣାକୁ ହେୟଜ୍ଞାନ କରି ଚାଲିଛନ୍ତି କିଛି ସୂପକାର ସେବକ। କେତେକ ବାହାରୁ ବେନାମୀ ଘିଅ ନେଇ ଅବଢ଼ା ପ୍ରସ୍ତୁତ କରୁଥିବା ବେଳେ ଆଉ କିଛି ଚୋରାରେ ଡାଲି, ଚାଉଳ, ପନିପରିବା ଆଦି ବସ୍ତାରେ ବେନାମୀ ଘିଅ ନେଇ ଅବଢ଼ା ପ୍ରସ୍ତୁତ କରୁଛନ୍ତି। ଅନ୍ୟ ସୂପକାରମାନେ ଜାଣିଲେ ବି ନିରବ ରହିବାକୁ ବାଧ୍ୟ ହେଉଛନ୍ତି। ଏଭଳି ବିଶୃଙ୍ଖଳାକୁ ରୋକିବା ଲାଗି ସୁଆର ମହାସୁଆର ନିଯୋଗ ଅତ୍ୟାଧୁନିକ ଯାଞ୍ଚ ବ୍ୟବସ୍ଥା କରିବାକୁ ଦାବି କରିଆସୁଛି। ଯାହାଦ୍ବାରା ସ୍କାନିଂ ଜରିଆରେ କିଏ କ’ଣ ନେଉଛି, ଶ୍ରୀମନ୍ଦିର ପ୍ରଶାସନ ଜାଣିପାରିବ। କିନ୍ତୁ ପ୍ରଶାସନ ଏବେ ବି ପୁରୁଣାକାଳିଆ ବ୍ୟବସ୍ଥାରେ ଚାଲିଛି। କିଛି ବ୍ୟକ୍ତି ରୋଷଘର ଦୁଆରେ ରହି ଯାଞ୍ଚ କରୁଛନ୍ତି। ଯେଉଁଥିପାଇଁ ଏହି ଯାଞ୍ଚ ବ୍ୟବସ୍ଥାରେ ଘଳିଆ ରହୁଛି ଓ ଏହାକୁ ସୁଧାରିବାର ଆବଶ୍ୟକତା ରହିଛି ବୋଲି ସୁଆର ମହାସୁଆର ସେବକମାନେ ମତପୋଷଣ କରିଛନ୍ତି।

ଡାଲି, ଚାଉଳ ବସ୍ତାରେ ଯାଉଛି ବେନାମୀ ଘିଅ
ଯାଞ୍ଚ ବ୍ୟବସ୍ଥାରେ ଘଳିଆ, ନିର୍ଦ୍ଦିଷ୍ଟ ସୂପକାର ନିୟମିତ ନେଉଛନ୍ତି ବାହାର ଘିଅ

ଶ୍ରୀମନ୍ଦିର ପ୍ରଶାସନ ଓମ୍‌ଫେଡ୍‌ ଘିଅକୁ ବାଧ୍ୟତାମୂଳକ କରିବା ପରେ ଏଥିପାଇଁ ସ୍ବତନ୍ତ୍ର ଭାବେ ୧୩.୫୪୫ ଲିଟରର ଟିଣ ଘିଅ ସହ କେଜିକିଆ (୯୧୦ ଲିଟର) ଘିଅ ଆସୁଛି। କେଜିକିଆ ପ୍ୟାକେଟ୍‌ ଦର ୬୩୦ ଟଙ୍କା ଓ ଟିଣ ଦର ୮୧୫୦ ଟଙ୍କା ରହିଛି। ଶ୍ରୀମନ୍ଦିର ପ୍ରଶାସନ ଏହି ଘିଅ ଯୋଗାଣ ଦାୟିତ୍ବ ସୁଆର ମହାସୁଆର ନିଯୋଗକୁ ଦେଇଛି। ସୁଆର ମହାସୁଆର ନିଯୋଗ ସିଧାସଳଖ ଘିଅ ଆଣି ଆବଶ୍ୟକ ଅନୁସାରେ ସୂପକାରମାନଙ୍କୁ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି। କିନ୍ତୁ କିଛି ସେବକ ଓମ୍‌ଫେଡ୍‌ ଘିଅକୁ ନେବା ପାଇଁ ଅମଙ୍ଗ ହେଉଛନ୍ତି। ଜଣେ ସୂପକାର ସେବକ କହିଛନ୍ତି, ବାହାରୁ ଯେଉଁ ଓମ୍‌ଫେଡ୍‌ ଘିଅ ଆଣୁଛୁ ସେଥିରୁ ଦେଶୀ ଘିଅର ବାସ୍ନା ବାହାରୁଛି। କିନ୍ତୁ ନିଯୋଗ ଦେଉଥିବା ଓମ୍‌ଫେଡ୍‌ ଘିଅରୁ ଦେଶୀ ଘିଅର ବାସ୍ନା ବାହାରୁନି। ତଥାପି ପ୍ରଶାସନ ନିର୍ଦ୍ଦେଶ ଅନୁସାରେ ବହୁ ସୂପକାର ନିଯୋଗଠାରୁ ଆବଶ୍ୟକ ଘିଅ କିଣୁଛନ୍ତି। ହେଲେ କିଛି ସୂପକାର ବାହାରୁ ଘିଅ ଆଣୁଛନ୍ତି। ଜଣେ ସୂପକାର ଓମ୍‌ଫେଡ୍‌ ବଦଳରେ ବାହାର କମ୍ପାନିର ଘିଅ ବ୍ୟବହାର କରୁଛନ୍ତି। ତାଙ୍କୁ କିଛି କୁହାଯାଉନି। ଯେହେତୁ ସେ ପ୍ରଭାବଶାଳୀ, ନିଯୋଗ ନିରବ ରହୁଛି। ଏ ଦିଗରେ ନିହାତି କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ। କାରଣ ନିୟମ ସମସ୍ତଙ୍କ ପାଇଁ ସମାନ ହେବା ଦରକାର। ଏଭଳି ହେଲେ ଆମେମାନେ ବି ବାହାର ଘିଅ ନେବାକୁ ବାଧ୍ୟ ହେବୁ ବୋଲି ସଂପୃକ୍ତ ସୂପକାର କହିଛନ୍ତି। 

ସୁଆର ମହାସୁଆର ନିଯୋଗ ସଂପାଦକ ନାରାୟଣ ମହାସୁଆର କହିଛନ୍ତି, ରୋଷଘର ଭିତରକୁ କ’ଣ ଯାଉଛି, ତାର ଯାଞ୍ଚ ପାଇଁ ଲୋକ ଅଛନ୍ତି। ଯଦି କିଛି ବାହାର ଘିଅ ଯାଉଛି, ସେମାନେ ଯାଞ୍ଚ କରି ଛାଡ଼ିବା କଥା। ତଥାପି ନିଯୋଗ ତରଫରୁ ରୋଷଘର ପ୍ରବେଶ ଦ୍ବାରରେ ଅତ୍ୟାଧୁନିକ ଯାଞ୍ଚ ବ୍ୟବସ୍ଥା କରିବାକୁ ଆମେ ଦାବି କରିଆସୁଛୁ। କାରଣ କେଉଁ ସମୟରେ ବି କିଛି ଆତ୍ମଘାତୀ ସାମଗ୍ରୀ ଏଥିରେ ଯିବାର ସମ୍ଭାବନା ରହିଛି। ଏଣୁ ରୋଷଘରକୁ ଯାହା ଯାଉଛି, ଯାଞ୍ଚ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଅତ୍ୟାଧୁନିକ ମେସିନ୍‌ ଲଗାଇବାର ବ୍ୟବସ୍ଥା କରନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe