ଅସ୍ତିତ୍ବ ସଙ୍କଟରେ ‘ବକୁଳ ବନ’,ନିଶାଡ଼ିଙ୍କ ପେଣ୍ଠସ୍ଥଳୀ ପାଲଟିଛି

ଅସ୍ତିତ୍ବ ସଙ୍କଟରେ ‘ବକୁଳ ବନ’,ନିଶାଡ଼ିଙ୍କ ପେଣ୍ଠସ୍ଥଳୀ ପାଲଟିଛି

ପୁରୀ : ରାଜ୍ୟ ସରକାର ପୁରୀକୁ ବିଶ୍ବସ୍ତରୀୟ ସହର କରିବାର ସ୍ବପ୍ନ ଦେଖୁଛନ୍ତି। ହେଲେ, ଐତିହ୍ୟସଂପନ୍ନ ‘ବକୁଳବନ’ର ଚିତ୍ର ଏହାକୁ ଉପହାସ କରୁଛି। ରଣକ୍ଷାବେକ୍ଷଣ ତଥା ପ୍ରଶାସନିକ ଦୂରଦୃଷ୍ଟି ଅଭାବରୁ ଅତୀତର ଏହି ମଣିଷ ତିଆରି କାରଖାନା ଆଜି ନିଶାଡ଼ିଙ୍କ ପେଣ୍ଠସ୍ଥଳୀ ପାଲଟିଛି। ଚାରିଆଡ଼େ ମଦ ବୋତଲ ଗଡ଼ୁଛି। ୨୪ ଘଣ୍ଟା ଏଠାରେ ନିଶାଗ୍ରସ୍ତ, ଅସାମାଜିକ ବ୍ୟକ୍ତି ଭିଡ଼ ଜମାଉଛନ୍ତି। ବ୍ରାଉନ୍‌ସୁଗାର୍‌ଠାରୁ ଆରମ୍ଭ କରି ଗଞ୍ଜେଇ, ମଦର ଆସର ଲାଗୁଛି। ଯେଉଁ ବିସ୍ତୃତ ରଙ୍ଗମଞ୍ଚ ରହିଥିଲା, ତାହା ଭାଙ୍ଗି ଘଞ୍ଚ ଜଙ୍ଗଲ ପାଲଟିଲାଣି। ସ୍ଥିତି ଏପରି ଯେ ଓଡ଼ିଶା ଜାତିକୁ ସ୍ବତନ୍ତ୍ର ପରିଚୟ ଦେଇଥିବା ଯୁଗପୁରୁଷଙ୍କ ଏହି ‘ବକୁଳବନ’ ଆଜି ନିଜ ପରିଚୟ ଖୋଜୁଛି। ନିଶାଡ଼ିମାନଙ୍କ ବ୍ୟବହାର ଦେଖି ପର୍ଯ୍ୟଟକମାନେ ବି ‘ବକୁଳ ବନ’ ଯିବାକୁ ଭୟକଲେଣି।

publive-image

ଓଡ଼ିଶାର ପଞ୍ଚସଖା ତଥା ଯୁଗପୁରୁଷ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ ଦାସ, ଆଚାର୍ଯ୍ୟ ହରିହର ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର, ପଣ୍ଡିତ କୃପାସିନ୍ଧୁ ମିଶ୍ରଙ୍କ ଉଦ୍ୟମରେ ୧୯୦୯ ମସିହାରେ ପୁରୀ ଜିଲ୍ଲା ସତ୍ୟବାଦୀରେ ସ୍ଥାପିତ ହୋଇଥିଲା ‘ବକୁଳବନ’। ଏହା ଥିଲା ଶିକ୍ଷାର ଅନ୍ତୁଡ଼ିଶାଳ। ରାଜ୍ୟ ସରକାର ଏହାକୁ ପର୍ଯ୍ୟଟନ ମାନ୍ୟତା ଦେଇ ସଂସ୍କୃତି ବିଭାଗ ଜରିଆରେ ୨୦୦୫ ମସିହାରେ ୧ କୋଟି ୮୮ ଲକ୍ଷ ଟଙ୍କା ବ୍ୟୟରେ ଏହାର ଉନ୍ନତୀକରଣ କରିଥିଲେ। ଓଟିଡିସି ସମସ୍ତ କାମ କରିଥିଲା। ଚତୁଃପାର୍ଶ୍ବ ଆଲୋକୀକରଣ ସହ ବସିବା ଓ ବିଶ୍ରାମ ପାଇଁ ବକୁଳ ବନ ପରିସରରେ କୋଠରି ନିର୍ମିତ ହୋଇଥିଲା। ପଞ୍ଚସଖାଙ୍କ ପ୍ରତିମୂର୍ତ୍ତି, ମୁକ୍ତାକାଶ ରଙ୍ଗମଞ୍ଚ, ପର୍ଯ୍ୟଟକଙ୍କ ବସିବା ସେଡ୍‌ ଓ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟ ହେଲା। କିନ୍ତୁ, ଏହାର ରକ୍ଷଣାବେକ୍ଷଣ କରାଗଲାନି। ଫଳସ୍ବରୂପ ଚଲାପଥ ସହ ବିକାଶମୂଳକ କାର୍ଯ୍ୟରେ ଅନାବନା ଲତା ସବୁ ଚରିଗଲାଣି। କେଉଁଠି ଟାଇଲ୍‌ ଭାଙ୍ଗି ଖସିଗଲାଣି ତ କେଉଁଠି ଅନାବନା ଗଛ ବିକାଶକୁ ଢାଙ୍କିଦେଲାଣି। ରଙ୍ଗମଞ୍ଚର ପୋଷାକ ବଦଳା ଗୃହ ବି ଦବିଯିବା ସହ ଭାଙ୍ଗିରୁଜି ଗଲାଣି। ଶୌଚାଳୟ ଓ ଅନ୍ୟ ଗୃହ କଥା ନ କହିବା ଭଲ। ଏହି ବିକାଶ କାର୍ଯ୍ୟକୁ ଜଗିବାକୁ କେହିନାହାନ୍ତି। ଏହାର ସୁଯୋଗ ନେଇ ମଦୁଆମାନେ ଖୋଲାଖାଲି ଏହା ଭିତରେ ମଦ୍ୟପାନ କରିବା ସହ ମାତାଲ ହୋଇ ଗଡ଼ୁଛନ୍ତି। ଯାହା ବକୁଳ ବନର ପୂର୍ବ ଗରିମାକୁ କ୍ଷୁଣ୍ଣ କରିବାରେ ଲାଗିଛି।

publive-image

ଅନ୍ୟପକ୍ଷରେ, ବକୁଳ ବନର ପୁନରୁଦ୍ଧାର ପାଇଁ ପ୍ରାୟ ୯ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କହିଛନ୍ତି ପୁରୀ ପର୍ଯ୍ୟଟନ ବିଭାଗ ସହକାରୀ ନିର୍ଦ୍ଦେଶକ ସରୋଜ କୁମାର ପ୍ରଧାନ। ଏବେ ଆମେ ସ୍ବତନ୍ତ୍ର କମିଟି ଗଠନ କରି ରକ୍ଷଣାବେକ୍ଷଣ କରିବାକୁ ଯୋଜନା କରୁଛୁ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe