କେନ୍ଦୁଝର: ରଥଯାତ୍ରା ପାଇଁ ଉତ୍ସବମୁଖର କେନ୍ଦୁଝର ସହର। ବିଶ୍ୱର ସର୍ବବୃହତ୍ ଏକକ ରଥର ମାନ୍ୟତା ପାଇଥିବା କେନ୍ଦୁଝରର ଶ୍ରୀବଳଦେବ ଜିଉଙ୍କ ନନ୍ଦିଘୋଷ ରଥ ଅପେକ୍ଷା କରିଛି ମହାପ୍ରଭୁଙ୍କୁ। କେନ୍ଦୁଝରର ରାଷ୍ଟ୍ରଦେବତା ହେଉଛନ୍ତି ପ୍ରଭୁ ବଳଦେବ ଜିଉ। କେନ୍ଦୁଝର ପୁରୁଣା ବଜାରରେ ବଡ଼ଭାଇ ବଳଦେବ, ସାନଭାଇ ଜଗନ୍ନାଥ ଓ ଭଉଣୀ ସୁଭଦ୍ରା ପୂଜା ପାଉଛନ୍ତି। ରଥଯାତ୍ରା ବେଳେ ଭାଇଭଉଣୀ ଗୋଟିଏ ରଥରେ ବିଜେ ହୋଇ ମାଉସୀମା’ ମନ୍ଦିରକୁ ଯାଇଥାନ୍ତି। କେନ୍ଦୁଝରର ରାଷ୍ଟ୍ରଦେବତାଙ୍କ ନାମ ବଳଦେବ ଜିଉ ହୋଇଥିବା ବେଳେ ରଥର ନାମ କିନ୍ତୁ ନନ୍ଦିଘୋଷ ରହିଛି। ନନ୍ଦିଘୋଷ ରଥର ଉଚ୍ଚତା ଓ ମୋଟେଇ ଦୃଷ୍ଟିରୁ ଏହା ବିଶ୍ବର ସର୍ବୋଚ୍ଚ ରଥ ମାନ୍ୟତା ଲାଭ କରିଛି। ଏହି ରଥ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡସରେ ସ୍ଥାନ ପାଇଛି।
ଏହାଛଡ଼ା ପୂର୍ବରୁ ଶ୍ରୀବଳଦେବ ଜିଉଙ୍କ ନନ୍ଦିଘୋଷ ରଥ ନ୍ୟାସନାଲ୍ ରେକର୍ଡସ, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ, ଏସିଆ ପାସିଫିକ୍ ଆଇକନ୍, ଗ୍ଲୋବାଲ୍ ରେକର୍ଡସ, ୱଣ୍ଡର୍ ବୁକ୍ ଅଫ୍ ରେକର୍ଡସରେ ମଧ୍ୟ ସ୍ଥାନ ପାଇସାରିଛି। ଏହି ରଥର ଉଚ୍ଚତା ୭୪ ଫୁଟ, ଗୋଲେଇ ୪୫ ଫୁଟ ହୋଇଥିବାବେଳେ ଏଥିରେ ପ୍ରାୟ ୮ ଫୁଟ ଉଚ୍ଚର ଷୋହଳଟି ଚକ ଲାଗିଛି। ରଥର ଅଖ ନିର୍ମାଣ ପାଇଁ ଧଉରା କାଠ ବ୍ୟବହାର ହେଉଛି। ଏଥିପାଇଁ ୪୬ ଫୁଟ ଲମ୍ବ ଓ ସାଢ଼େ ୪ ଫୁଟ ମୋଟେଇର ୪ଟି କାଠ, ୪୦ ଫୁଟ ଲମ୍ବ, ସାଢ଼େ ୪ ଫୁଟ ମୋଟେଇର ୨ଟି କାଠ ଆବଶ୍ୟକ ହୋଇଥାଏ। ବରାନ୍ଦ ପାଇଁ ୪୬ ଫୁଟ ଲମ୍ବ ଓ ସାଢ଼େ ୪ ଫୁଟ ମୋଟେଇର ୪ଟି ଶାଳକାଠ ଆବଶ୍ୟକ ହୋଇଥାଏ। ସୁନାନାଏକା ପାଇଁ ୨୫ ଫୁଟ ଲମ୍ବ ଓ ୪ ଫୁଟ ମୋଟେଇର ଦୁଇଟି ଶାଳକାଠ, ଚକାପଟି ପାଇଁ ୨୦ ଫୁଟ ଲମ୍ବ ଓ ୫ ଫୁଟ ମୋଟେଇର ୫ଟି ଶାଳକାଠ, ଅରାପଟି ପାଇଁ ୨୦ ଫୁଟ ଲମ୍ବ ଓ ୩ ଫୁଟ ମୋଟେଇର ୧୦ଟି ଶାଳକାଠ, ସିଂହାସନ ଓରା ପାଇଁ ୧୬ ଫୁଟ ଲମ୍ବ ଓ ୪ ଫୁଟ ମୋଟେଇର ଦୁଇଟି ଶାଳକାଠ, ଭୂଇଁଅଁରା ପାଇଁ ୧୮ ଫୁଟ ଲମ୍ବ ଓ ୪ ଫୁଟ ମୋଟେଇର ୨ଟି ଶାଳକାଠ, ମୁହାଣ୍ଟା ପାଇଁ ୨୨ ଫୁଟ ଲମ୍ବ ଓ ୫ ଫୁଟ ମୋଟେଇର ୨ଟି ଶାଳକାଠ, ପଟା ପାଇଁ ୧୮ ଫୁଟ ଲମ୍ବ ଓ ୪ ଫୁଟ ମୋଟେଇର ୨୦ଟି ଶାଳକାଠ ବ୍ୟବହାର ହୋଇଥାଏ।
Follow Us