କରୋନା ଲଢ଼େଇର ସଫଳ ପ୍ରୟାସ : ବଲାଙ୍ଗୀରର ଧାରାବୀ ‘ଲକ୍ଷ୍ମୀଯୋର ଖଣ୍ଡି’

Advertisment
କରୋନା ଲଢ଼େଇର ସଫଳ ପ୍ରୟାସ : ବଲାଙ୍ଗୀରର ଧାରାବୀ ‘ଲକ୍ଷ୍ମୀଯୋର ଖଣ୍ଡି’

ବଲାଙ୍ଗୀର : ବଲାଙ୍ଗୀରର ହାତୀଶାଳପଡ଼ା ଲକ୍ଷ୍ମୀଯୋର ଖଣ୍ଡି ମୁଲିଆ, ଖଟିଖିଆ, ଦିନମଜୁରିଆଙ୍କ ପେଣ୍ଠସ୍ଥଳୀ। ଏଠାରେ ହଠାତ ଜଣେ ଯୁବତୀଙ୍କ ମୃତ୍ୟୁ ହେଲା। ଯୁବତୀଙ୍କ ମୃତ୍ୟୁ ସନ୍ଦେହରେ ଥିବା ବେଳେ ଶୁଦ୍ଧିକ୍ରିୟାରେ ଯୋଗଦେଇଥିଲେ ବନ୍ଧୁବର୍ଗ। ପ୍ରଥମେ ମୃତ ଯୁବତୀଙ୍କ ବାପା କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ତାପରେ ଆକ୍ଟିଭ୍ ହୋଇଥିଲା ପ୍ରଶାସନ। ଆରମ୍ଭ କରିଥିଲା କଣ୍ଟାକ୍ଟ ଟ୍ରେସିଂ। ସେହି ଅଂଚଳକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଥିଲା। ଆରମ୍ଭ ହୋଇଥିଲା ସ୍ୱାବ ସଂଗ୍ରହ। ମାତ୍ର ହାତଗଣତି କେଇଟା ଦିନରେ ୬୧ଟି ପଜିଟିଭ ବାହାରିବା ପରେ ଖାଲି ଅଂଚଳ ନୁହଁ, ପୂରା ସହରରେ ଆତଙ୍କ ଖେଳିଥିଲା। ଲୋକେ କହୁଥିଲେ ବସ୍ତି ଅଂଚଳ ହୋଇଥିବାରୁ ମୁମ୍ବାଇର ଧାରାବୀ ଭଳି ହେବ। କିନ୍ତୁ ପ୍ରଶାସନର ସଫଳ ରଣନୀତି ଓ ତତ୍ପରତା ଯୋଗୁଁ ନିୟନ୍ତ୍ରଣରେ ବଲାଙ୍ଗୀରର ଧାରାବୀ ଲକ୍ଷ୍ମୀଯୋର ଖଣ୍ଡି ଅଂଚଳ। ଜିଲ୍ଲାପାଳ କହିଛନ୍ତି, ସେହି ଅଂଚଳ ବର୍ତ୍ତମାନ କରୋନାମୁକ୍ତ।

publive-image kdvr.com

ସୂଚନାଯୋଗ୍ୟ ଯେ, ଗତ ଜୁନ ୨୫ ତାରିଖରେ ହାତୀଶାଳପଡ଼ା ଲକ୍ଷ୍ମୀଯୋର ଖଣ୍ଡି ବସ୍ତିରେ ପ୍ରଥମ କରି ଦୁଇ ପଜିଟିଭ ଚିହ୍ନଟ ହୋଇଥିଲେ। ସହରର ବସ୍ତି ଅଂଚଳରେ କରୋନା ପଜିଟିଭ ବାହାରିବା ପରେ ଆତଙ୍କ ଖେଳିଥିଲା। ପ୍ରଶାସନ କଣ୍ଟାକ୍ଟ ଟ୍ରେସିଂ ନେବା ପୂର୍ବରୁ ହିଁ ଜଣାପଡୁଥିଲା ବହୁଳ ମାତ୍ରାରେ ହାତୀଶାଳପଡ଼ାରେ ପଜିଟିଭ ସଂଖ୍ୟା ବାହାରିବ। ଆଶଙ୍କା ମଧ୍ୟ କିଛିଟା ସତ ହୋଇଥିଲା। ଉକ୍ତ ପଡ଼ାରୁ ସ୍ୱାବ ସଂଗ୍ରହ ହୋଇ କଣ୍ଟାକ୍ଟ ଟ୍ରେସିଂ କରିବା ପରେ ଜୁନ ୩୦ ତାରିଖ ଦିନ ସମସ୍ତଙ୍କୁ ଚକିତ କଲା ଭଳି ୧୩ ପଜିଟିଭ ସାମ୍ନାକୁ ଆସିଥିଲା। ହାତୀଶାଳପଡ଼ା ହିଁ ସାରା ସହରକୁ କରୋନା ସଂକ୍ରମିତ କରିବ ଭାବି ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ସତକୁ ସତ ନିକଟସ୍ଥ ପଡ଼ାରୁ ବି କେତେ ଜଣ ପଜିଟିଭ ବାହାରିଥିଲେ। ଜୁଲାଇ ୮ ତାରିଖ ସୁଦ୍ଧା ହାତୀଶାଳପଡ଼ା ଲକ୍ଷ୍ମୀଯୋର ଖଣ୍ଡି ଅଂଚଳରେ ମୋଟ ୬୧ ଜଣ ପଜିଟିଭ ବାହାରିଥିଲେ। ପ୍ରଶାସନର କାର୍ଯ୍ୟକୁ ନେଇ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ ନେତା ଓ ସାମାଜିକ ସଂଗଠନ। କିନ୍ତୁ ପ୍ରଶାସନ କରୋନା ମୁକାବିଲା ଏକ ଭିନ୍ନ ଢଙ୍ଗରେ କରି ଚାଲିଥିଲା। ହାତୀଶାଳପଡ଼ା କ୍ଷେତ୍ରରେ କରୋନା ମୁକାବିଲାରେ ପ୍ରଶାସନ ସଫଳ ହୋଇଥିବା ଜିଲ୍ଲାପାଳ ଅରିନ୍ଦମ ଡାକୁଆ କହିଛନ୍ତି।

ଜିଲ୍ଲାପାଳ କହିଛନ୍ତି, ଜିଲ୍ଲା ପ୍ରଶାସନ ସେହି ପଡ଼ାରୁ ଯେମିତି କରୋନା ଭାଇରାସ ଅନ୍ୟ ସ୍ଥାନକୁ ନଯିବ ତାହାର ବନ୍ଦୋବସ୍ତ କରିଥିଲା। ଉକ୍ତ ଅଂଚଳରୁ ପଜିଟିଭ ସଂଖ୍ୟା ବଢ଼ିବା ଆରମ୍ଭରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇ କାହାକୁ ପ୍ରବେଶ କରିବାକୁ ଦିଆଯାଇନଥିଲା। ଏପରିକି ସେଠାରୁ କାହାକୁ ବାହାରକୁ ଛଡ଼ାଯାଇନଥିଲା। ପ୍ରାୟ ୨୦ ଦିନ ଧରି କଣ୍ଟେନମେଣ୍ଟ ଅଂଚଳ ରହିଥିଲା। ସବୁଠୁ ଚାଲେଞ୍ଜ ଥିଲା କମ ଅଂଚଳରେ ଅଧିକ ସଂଖ୍ୟାର ବସତି ସ୍ଥାପନ। ଲାଗି ଲାଗି ଘର ସବୁ ରହିଥିଲା ଓ ପ୍ରାୟ ୪୦୦ ଲୋକ ଗୋଟିଏ ବସ୍ତିରେ ରହିଥିଲେ। ଏମାନଙ୍କ ଭିତରୁ ୩୦୦ରୁ ଅଧିକ କଣ୍ଟାକ୍ଟ ଟ୍ରେସିଂ କରାଯାଇ ସ୍ୱାବ ସଂଗ୍ରହ କରାଯାଇଥିଲା। ପର୍ଯ୍ୟାୟକ୍ରମେ ଯାହାର ବାହାରି ଚାଲିଥିଲା ସେମାନଙ୍କୁ ଆଇସୋଲେସନରେ କୋଭିଡ କେୟାର ହସପିଟାଲରେ ରଖାଯାଉଥିଲା। ଲକ୍ଷଣବିହୀନ କରୋନା ପଜିଟିଭ ସଂଖ୍ୟା ଅଧିକ ଥିଲା। ସେମାନେ ସୁସ୍ଥ ହେବା ପରେ ସମସ୍ତଙ୍କୁ ଛଡ଼ାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି। ବର୍ତ୍ତମାନ ହାତୀଶାଳପଡ଼ାକୁ ସଂପୂର୍ଣ୍ଣ କରୋନାମୁକ୍ତ କରାଯାଇସାରିଛି ବୋଲି ସେ କହିଛନ୍ତି। ସେହିପଡ଼ାକୁ ଯେଉଁମାନେ ସବୁ ଆସିଥିଲେ ସେମାନଙ୍କ ବି ସ୍ୱାବ ସଂଗ୍ରହ ହୋଇ ପରୀକ୍ଷା କରାଯାଇ ଉପଯୁକ୍ତ ପଦକ୍ଷେପ ନିଆଯିବାରୁ ତାକୁ କଣ୍ଟ୍ରୋଲ କରାଯାଇପାରିଲା ବୋଲି ଜିଲ୍ଲାପାଳ କହିଛନ୍ତି। ରେଡଜୋନରୁ ଏବେ ସେହି ବସ୍ତି ଅଂଚଳ ଗ୍ରିନ ଜୋନକୁ ଆସିଯାଇଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe