ଆସନ୍ତା ବର୍ଷ ଖୋଲିବ ବାଲେଶ୍ୱର ଓ ବଲାଙ୍ଗୀର ମେଡିକାଲ କଲେଜ

Advertisment
ଆସନ୍ତା ବର୍ଷ ଖୋଲିବ ବାଲେଶ୍ୱର ଓ ବଲାଙ୍ଗୀର ମେଡିକାଲ କଲେଜ

ଭୁବନେଶ୍ୱର : ୨୦୧୮-୧୯ ଶିକ୍ଷା ବର୍ଷରେ ବାଲେଶ୍ୱର ଓ ବଲାଙ୍ଗୀରରେ ନୂତନ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବ। ଏଥିପାଇଁ ସମସ୍ତ ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ କରିବା ସହ ମେଡିକାଲ୍‌ କାଉନସିଲ୍‌ ଅଫ୍‌ ଇଣ୍ଡିଆର ନିୟାମକ ଅନୁସାରେ ଏହି କଲେଜଗୁଡ଼ିକରେ ଆବଶ୍ୟକୀୟ ବ୍ୟବସ୍ଥା କରିବାକୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟରେ ଖୋଲିଥିବା ନୂତନ ସରକାରୀ ମେଡିକାଲ କଲେଜ ଏବଂ ନିର୍ମାଣାଧୀନ ମେଡିକାଲ କଲେଜଗୁଡ଼ିକର ଅଗ୍ରଗତି ନେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ସଚିବାଳୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବାଲେଶ୍ୱର ଓ ବଲାଙ୍ଗୀର ମେଡିକାଲ କଲେଜର ନିର୍ମାଣ କାର୍ଯ୍ୟ ତ୍ୱରାନ୍ଵିତ କରିବା, ବୈଷୟିକ, ପ୍ରଶାସନିକ ଏବଂ ଆର୍ଥିକ ଦିଗ ଉପରେ ଆଲୋଚନା ହୋଇଥିଲା। ନୂତନ କଲେଜଗୁଡ଼ିକର ବିଭିନ୍ନ ବିଭାଗକୁ ପୂର୍ଣ୍ଣ ମାତ୍ରାରେ କାର୍ଯ୍ୟକ୍ଷମ କରିବା ସହ ମେଡିକାଲ କଲେଜ କୋଠାରେ ଜଳ ଅମଳ ପ୍ରକଳ୍ପ ଏବଂ ସୌର ଶକ୍ତି ପ୍ରକଳ୍ପ ବ୍ୟବସ୍ଥା ହେବ। ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରି ବାକି ଥିବା କାର୍ଯ୍ୟ ଅକ୍ଟୋବର ଶେଷ ସୁଦ୍ଧା ସାରିବାକୁ ଶ୍ରୀ ପାଢୀ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଦୁଇଟି ଯାକ ମେଡିକାଲ କଲେଜରେ ଲେକଚର୍‌ ଥିଏଟର୍‌, ପରୀକ୍ଷା ହଲ୍‌, ସେଣ୍ଟ୍ରାଲ ଲାଇବ୍ରେରି, ହଷ୍ଟେଲ୍‌, ଆବାସିକ କ୍ୱାର୍ଟର, ବିଭିନ୍ନ ବିଭାଗର ଓ୍ଵାର୍ଡ, ଓପିଡି, ଅପରେସନ ଥିଏଟର, ଆଇସିୟୁ, ଲାବୋରେଟୋରି, କମ୍ପ୍ୟୁଟର ବ୍ୟବସ୍ଥା ଆଦି ନିର୍ମାଣ କରାଯାଉଛି। ଏହି ଦୁଇଟି କଲେଜର ବିଲଡିଂ ନିର୍ମାଣ ପାଇଁ ସମୁଦାୟ ୩୯୨କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏଥିପାଇଁ ରାଜ୍ୟ ସରକାର ୨୬୧କୋଟି ଏବଂ କେନ୍ଦ୍ର ସରକାର ୧୩୧କୋଟି ଦେବେ। ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ପ୍ରମୋଦ ମେହେର୍ଦ୍ଦା, ଜାତୀୟ ସ୍ୱାସ୍ଥ୍ୟ ମିସନ ନିର୍ଦ୍ଦେଶିକା ସାଳିନୀ ପଣ୍ଡିତ, ଶକ୍ତି ସଚିବ ହେମନ୍ତ କୁମାର ଶର୍ମା, ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସଚିବ ଜି.ମାଥିଭାଥାନନ୍‌ ଏବଂ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe