୪୬ଦିନ ପରେ ଘରକୁ ଫେରିଲେ ରିମା : ‘ଶାଶୂ ଘରେ ଝିଅ ହୋଇ ରହିବି’

Advertisment
୪୬ଦିନ ପରେ ଘରକୁ ଫେରିଲେ ରିମା : ‘ଶାଶୂ ଘରେ ଝିଅ ହୋଇ ରହିବି’

କଟକ : ‘ଆଉ ବାହା ହେବିନି, ଶାଶୂ-ଶ୍ୱଶୁରଙ୍କ ପାଖରେ ଝିଅ ହୋଇ ରହିବି। ଏଭଳି ଘଟଣା ଘଟାଇ ଯିଏ ମୋର ସଂସାର ଓ ସବୁକିଛି ଛଡ଼ାଇ ନେଇଛି ତାକୁ ଫାଶୀଠାରୁ ଯଦି କିଛି ଅଧିକ ସଜା ଅଛି ମିଳିବା ଦରକାର। ଏ ସଂପର୍କରେ ରାଜ୍ୟପାଳଙ୍କ ପାଖରେ ମଧ୍ୟ ଅପିଲ କରିବି।’ କଟକ ବଡ଼ ମେଡିକାଲରେ ଦୀର୍ଘ ୪୬ ଦିନ କାଳ ଚିକିତ୍ସିତ ହୋଇ ଆଜି ଘରକୁ ଫେରିବା ବେଳେ ଭାବବିହ୍ଵଳ ହୋଇ ‘ସମ୍ବାଦ’କୁ ଏଭଳି ସୂଚନା ଦେଇଛନ୍ତି ବଲାଙ୍ଗୀର ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଆହତ ରିମା ସାହୁ।

କଟକ ବଡମେଡ଼ିକାଲର ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗରେ ୪୬ ଦିନ ଚିକିତ୍ସା ହେବା ପରେ ରିମା ଆଜି ବାପା ସୁଦାମ ସାହୁ, ମା’ ଶାନ୍ତିଲତା, ଶ୍ୱଶୁର ବରିଷ୍ଠ ଅଧ୍ୟାପକ ରବୀନ୍ଦ୍ର ସାହୁ ଓ ଶାଶୂ ସଂଯୁକ୍ତାଙ୍କ ସହ ବାପ ଘର ଗାଁ ବୌଦ୍ଧ ଜିଲ୍ଲାର ଘଣ୍ଟାପଡ଼ାକୁ ଯାଇଛନ୍ତି। ସେଠାରେ କିଛିଦିନ ରହିବା ପରେ ଶାଶୂ ଘରକୁ ଯିିବେ ବୋଲି ସୂଚନା ଦେଇଛନ୍ତିି। ତେବେ ରିମା ପୁନଃ ବିବାହ ପାଇଁ ରାଜି ହେଉ ନଥିବାରୁ ଓ ବାହାଘର ନାଁ ଶୁଣିଲେ କାନ୍ଦୁଥିବାରୁ, ସେ ଯେତେ ଦିନ ଚାହିଁବ ଆମେ ତାକୁ ଝିଅ ଭଳି ରଖିବୁ ଏବଂ ସେ ଚାହିଁଲେ କନ୍ୟାଦାନ କରି ତାକୁ ବିବାହ କରାଇବୁ ବୋଲି କହିଛନ୍ତି ରିମାଙ୍କ ଶାଶୂ ସଂଯୁକ୍ତା ସାହୁ।

ତେବେ, ରିମାଙ୍କର କାନକୁ ଶୁଣିବାରେ କିଛି ସମସ୍ୟା ହେଉଥିବା ବେଳେ ଶରୀର କିଛି ଅଂଶରେ ଥିବା ପୋଡ଼ା ଦାଗ ଯୋଗୁଁ ବିଭିନ୍ନ ସମୟରେ ସେ ଯନ୍ତ୍ରଣା ଅନୁଭବ କରୁଛନ୍ତି। କିନ୍ତୁ ପ୍ଲାଷ୍ଟିକ୍‌ ସର୍ଜରି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ଅନ୍ନଦା ପଟ୍ଟନାୟକ କହିବା ଅନୁଯାୟୀ ରିମାଙ୍କର ପ୍ଲାଷ୍ଟିକ୍‌ ସର୍ଜରୀର ଆବଶ୍ୟକତା ନାହିଁ। କିନ୍ତୁ ପରବର୍ତ୍ତୀ ଚିକିତ୍ସା ପାଇଁ ୧୦/୧୫ଦିନ ପରେ ତାଙ୍କୁ ଆସିବାକୁ ପରାମର୍ଶ ଦିଆଯାଇଛି।

ସୂଚନାଯୋଗ୍ୟ ଯେ ଗତ ଫେବ୍ରୁଆରି ୧୮ତାରିଖରେ ରିମା ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ରହ୍ମପୁରା ଭୋଳାନାଥପଡ଼ାର ସୌମ୍ୟ ଶେଖର ସାହୁଙ୍କୁ ବିବାହ କରିଥିଲେ। ବିବାହର ମାତ୍ର ୫ଦିନ ପରେ ଘରେ ବାହାଘର ଉପହାର ଖୋଲୁଥିବା ବେଳେ ପାର୍ସଲ ବୋମା ବିସ୍ଫୋରଣ ଘଟି ସ୍ୱାମୀ ଓ ସଂପର୍କୀୟ ଆଈଙ୍କର ମୃତ୍ୟୁ ଘଟିଥିଲା। ଗୁରୁତର ଅବସ୍ଥାରେ ଆହତ ନବବଧୂ ରିମା ଏସ୍‌ସିବି ମେଡିକାଲ୍‌ରେ ଭର୍ତ୍ତି ହୋଇଥିଲେ। ତାଙ୍କୁ ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗରେ ରଖି ଚିକିତ୍ସା କରାଯାଉଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe