ଦାରିଦ୍ର୍ୟର ପୁରୁଣା ଚିତ୍ର ଦେଖାଇଲାଣି ବଲାଙ୍ଗୀର: ଶାଗମାଛ ଦରରେ ମୂଲଚାଲ ହେଉଛନ୍ତି ନବଜାତକ

ଅଶୀ ଦଶକରେ ଜାତୀୟ ଏବଂ ଅନ୍ତର୍ଜାତୀୟ ଗଣମାଧ୍ୟମ ପାଇଁ ପ୍ରମୁଖ ଖବର ଥିଲା ବଲାଙ୍ଗୀରର ଦାରିଦ୍ର୍ୟ। ଅନାହାର, ଦାଦନ, ଶିଶୁବିକ୍ରି ଭଳି ଅପବାଦ ପାଇଁ ବଲାଙ୍ଗୀର ଯେତିକି ଚର୍ଚ୍ଚିତ ହୋଇଥିଲା, ‘ଭୋକର ଭୂଗୋଳ’ ଭାବେ ତା’ଠାରୁ ଅଧିକ ପରିଚିତ ହୋଇଥିଲା।

ମା’ଶୁଦ୍ଧିକ୍ରିୟା ପାଇଁ ଛୁଆକୁ ବିକିଦେଲା ବାପା

ବଲାଙ୍ଗୀର: ଅଶୀ ଦଶକରେ ଜାତୀୟ ଏବଂ ଅନ୍ତର୍ଜାତୀୟ ଗଣମାଧ୍ୟମ ପାଇଁ ପ୍ରମୁଖ ଖବର ଥିଲା ବଲାଙ୍ଗୀରର ଦାରିଦ୍ର୍ୟ। ଅନାହାର, ଦାଦନ, ଶିଶୁବିକ୍ରି ଭଳି ଅପବାଦ ପାଇଁ ବଲାଙ୍ଗୀର ଯେତିକି ଚର୍ଚ୍ଚିତ ହୋଇଥିଲା, ‘ଭୋକର ଭୂଗୋଳ’ ଭାବେ ତା’ଠାରୁ ଅଧିକ ପରିଚିତ ହୋଇଥିଲା। ଚକ୍ରାପାଲିରେ ୫ ଜଣଙ୍କ ଅନାହାର ମୃତ୍ୟୁ ଏବଂ ପେଟ ପୋଷିବା ଲାଗି ଜିଲ୍ଲାରୁ ବହୁସଂଖ୍ୟାରେ ଦାଦନ ବାହାର ରାଜ୍ୟକୁ ଯିବା ଘଟଣା ସେ ସମୟରେ ଥିଲା ସବୁଠାରୁ ଚକିତ କଲା ଭଳି ଖବର। ତେବେ ଅଶୀ ଦଶକରେ ଯାହା ଘଟୁଥିଲା, ଏବେ ବି ସେଇଆ ଦେଖିବାକୁ ମିଳୁଛି। ଗତ ଚାରି ମାସରେ ବଲାଙ୍ଗୀର ଜିଲ୍ଲାରେ ୪ଟି ଶିଶୁ ବିକ୍ରି ଘଟଣା ସାମନାକୁ ଆସିଛି। ଛୁଆଙ୍କୁ ପୋଷିବା ପାଇଁ ସମ୍ବଳ ନଥିବାରୁ ବିକ୍ରି କରିବାକୁ ବାଧ୍ୟ ହେଲୁ ବୋଲି ସବୁ କ୍ଷେତ୍ରରେ ମା’-ବାପାମାନେ ପ୍ରତିକ୍ରିୟା ରଖିଛନ୍ତି। ଦାଦନପ୍ରବଣ ଖପ୍ରାଖୋଲ ବ୍ଲକ୍‌ରେ ଚାରିମାସ ତଳେ ବିକ୍ରି ପରେ ଉଦ୍ଧାର ହୋଇଥିବା ଶିଶୁକୁ ତାର ବାପା, ମା’ ପ୍ରଶାସନ ହାତକୁ ଟେକିଦେବା ଏ ସ୍ଥିତିର ଗମ୍ଭୀରତାକୁ ସୂଚାଉଛି। ନିକଟରେ ବଲାଙ୍ଗୀର ସହରର ଜଣେ ମହିଳା ନିଜ ଶିଶୁପୁତ୍ରକୁ ମାତ୍ର ୫ ହଜାର ଟଙ୍କାରେ ବିକ୍ରି କରିବା କଥା ସାମନାକୁ ଆସିଥିଲା। ଲାଳନପାଳନ ପାଇଁ ଟଙ୍କା ନଥିବାରୁ ପୁଅକୁ ଅନ୍ୟ ହାତରେ ଟେକି ଦେଇଥିବା ମା’ ସ୍ବୀକାର କରିଥିଲା। 

୪ ମାସରେ ୪ ଶିଶୁ ବିକ୍ରି, ଦାଦନ ବଢ଼ାଉଛି ଚିନ୍ତା 
ଗରିବୀ ହଟାଇ ପାରୁନି ମନରେଗା, ଖାଦ୍ୟ ସୁରକ୍ଷା ଯୋଜନା

ସଦ୍ୟ ଭାବେ ଜିଲ୍ଲାର ସର୍ବାଧିକ ଦାଦନପ୍ରବଣ ବ୍ଲକ୍‌ ମୁରିବାହାଲରେ ଯାହା ଘଟିଲା, ତାହା ସମସ୍ତଙ୍କୁ ଚମକାଇ ଦେଇଛି। ଚଲକି ପଞ୍ଚାୟତ କର୍ଲା ଗ୍ରାମର କଳାକାର ଭୋଇଙ୍କ ସ୍ତ୍ରୀ କୁମୁଦିନୀ ଭୋଇ ଗତ ୯ ତାରିଖରେ ଭୀମ ଭୋଇ ମେଡିକାଲ୍‌ କଲେଜ ହସପିଟାଲରେ ଯାଆଁଳା ଶିଶୁକନ୍ୟା ଜନ୍ମ ଦେଇଥିଲେ। ସେଠାରେ ୩ ଦିନ ରହିବା ପରେ ତୁରେକେଲା ଥାନା ରଜାମରା ଗ୍ରାମର ଜଣେ ବ୍ୟକ୍ତିଙ୍କ ମାଧ୍ୟମରେ ଛତିଶଗଡ଼ ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ନବଜାତ ଶିଶୁକୁ ଟେକି ଦେଇଥିଲେ। ଦାରିଦ୍ର୍ୟ କାରଣରୁ ୨ ଜଣ ଶିଶୁକନ୍ୟାଙ୍କୁ ପାଳନ କରିପାରିବା ତାଙ୍କ ପକ୍ଷରେ ଅସମ୍ଭବ ବୋଲି ନବଜାତକର ପିତା ରୋକ୍‌ଠୋକ୍‌ କହିଛନ୍ତି। ଶିଶୁକୁ ଉଦ୍ଧାର କରାଯାଇଛି। କିନ୍ତୁ ଏତିକିରେ ସମସ୍ୟା ଅଟକିନି। ଜିଲ୍ଲାରେ ନିକଟ ଅତୀତରେ ଯାହା ଶିଶୁବିକ୍ରି ଅଭିଯୋଗ ହୋଇଛି, ତାହା ଦାଦନପ୍ରବଣ ବ୍ଲକ୍‌ରୁ। ମନରେଗା ଯୋଜନାରେ ପ୍ରତିବର୍ଷ ହଜାରେ କୋଟି ଟଙ୍କା ଉପରେ ଖର୍ଚ୍ଚ ହେଉଛି। କିନ୍ତୁ ସ୍ଥାନୀୟ ଲୋକଙ୍କୁ କାମଧନ୍ଦା ମିଳୁନାହିଁ। କେବଳ ଖାଦ୍ୟ ସୁରକ୍ଷା ଯୋଜନା ଦାରିଦ୍ର୍ୟ ହଟାଇ ପାରୁନାହିଁ। ଦାଦନପ୍ରବଣ ବ୍ଲକ୍‌ରେ ଛତିଶଗଡ଼ର ଦଲାଲମାନେ ସକ୍ରିୟ ରହୁଛନ୍ତି। ଦାରିଦ୍ର୍ୟର ସୁଯୋଗ ନେଇ ଶିଶୁମାନଙ୍କର ମୂଲଚାଲ ଚାଲୁଛି ଏବଂ ଶାଗମାଛ ଦରରେ ଶିଶୁ ବିକ୍ରି ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe