ବଲାଙ୍ଗୀର ପାର୍ସଲ ବୋମା ବିସ୍ଫୋରଣ ଘଟଣା : ଖାଲି ହାତରେ ଫେରିଲା କ୍ରାଇମ୍‌ବ୍ରାଞ୍ଚ

Advertisment
ବଲାଙ୍ଗୀର ପାର୍ସଲ ବୋମା ବିସ୍ଫୋରଣ ଘଟଣା : ଖାଲି ହାତରେ ଫେରିଲା କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର : ବଲାଙ୍ଗୀର ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ଦେଢ଼ ମାସ ବିତିଗଲା। ବଲାଙ୍ଗୀର ପୁଲିସ ଫେଲ ମାରିବା ପରେ ଏବେ କ୍ରାଇମ୍‌ବ୍ରାଞ୍ଚ ମଧ୍ୟ ବାଉଳା ହେବା ଆରମ୍ଭ କଲାଣି। ସପ୍ତାହକ ତଳେ ରାଜ୍ୟ ବାହାରକୁ ଯାଇଥିବା କ୍ରାଇମ୍‌ବ୍ରାଞ୍ଚର ଏସ୍‌ଆଇଟି ଟିମ୍‌ ଆଜି ଖାଲି ହାତରେ ଫେରିଛି। କ୍ରାଇମବ୍ରାଞ୍ଚକୁ ସେଭଳି କୌଣସି ସଫଳତା ମିଳି ନ ଥିବା ଜଣାପଡ଼ିଛି। ଏପରିକି ପାର୍ସଲ ବୋମା ବିସ୍ଫୋରଣ ଓ ହତ୍ୟାକାଣ୍ଡ ପଛରେ କାରଣ କ’ଣ ତାହା ମଧ୍ୟ ଏଯାଏ ସ୍ପଷ୍ଟ କରି ପାରିନାହିଁ।

କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ବେଳେ ଜାଣିବାକୁ ପାଇଥିଲା କି, ପାର୍ସଲଟି ଛତିଶଗଡ଼ ରାୟପୁରରେ ଥିବା ଏକ କୋରିଅର ସଂସ୍ଥାରୁ ଆସିଥିଲା। ପରେ ପାର୍ସଲ ରାୟପୁରରୁ ସମ୍ବଲପୁର ଓ ବଲାଙ୍ଗୀର ଆସିଥିଲା। ତେବେ ରାୟପୁରରେ ଥିବା ଉକ୍ତ କୋରିଅର ସଂସ୍ଥାରେ ସିସି କ୍ୟାମେରା ନ ଥିବାରୁ ପୁଲିସ କିଛି ତଥ୍ୟ ପାଇ ପାରିନାହିଁ। କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ସେହି କୋରିଅର୍‌ ସଂସ୍ଥାର କର୍ମଚାରୀମାନଙ୍କୁ ପଚରାଉଚରା କରିଛି।

ଏହା ଛଡ଼ା କ୍ରାଇମ୍‌ବ୍ରାଞ୍ଚର ଏକ ଟିମ୍‌ ବେଙ୍ଗାଲୁରୁ ମଧ୍ୟ ଯାଇଥିଲା। ସେଠାରେ ମୃତ ସୌମ୍ୟଶେଖର ଯେଉଁ କମ୍ପାନିରେ କାମ କରୁଥିଲେ ସେଠା୦ରେ ମଧ୍ୟ ପଚରାଉଚରା କରିଥିଲା କ୍ରାଇମ୍‌ବ୍ରାଞ୍ଚ। କିନ୍ତୁ କେଉଁଠି କିଛି ବି ସୁରାକ ପାଇ ପାରିନାହିଁ। ଶେଷରେ ବାଧ୍ୟ ହୋଇ କ୍ରାଇମ୍‌ବ୍ରାଞ୍ଚ ଫେରି ଆସିଛି।

ଅନ୍ୟପକ୍ଷରେ ଏହି ତଦନ୍ତ ଟିମ୍‌ରେ ଥିବା ଜଣେ ଅଧିକାରୀ କହିଛନ୍ତି, ପ୍ରଥମେ ପ୍ରେମ ଜନିତ କାରଣରୁ ଏହି ହତ୍ୟାକାଣ୍ଡ କରାଯାଇଥିଲା ବୋଲି ସନ୍ଦେହ କରାଯାଉଥିଲା। କିନ୍ତୁ ତାହା ଏବେ ସ୍ପଷ୍ଟ ହେଉନି। ପାରିବାରିକ ଗଣ୍ଡଗୋଳ କିମ୍ବା ଅନ୍ୟ କୌଣସି ଶତ୍ରୁତା ପାଇଁ ଏଭଳି ଯୋଜନାବଦ୍ଧ ହତ୍ୟାକାଣ୍ଡର ରଚନା କରାଯାଇଥିଲା।
ବର୍ତମାନ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ପାର୍ସଲରେ ଆସିଥିବା ବୋମା କେଉଁଠି ତିଆରି ହୋଇଥିଲା ସେ ନେଇ ତଦନ୍ତ ଆରମ୍ଭ କରିଛି। ବିହାର ଓ ଉତ୍ତରପ୍ରଦେଶର କେତେକେ ବୋମା ଫ୍ୟାକ୍ଟି୍ରକୁ ଯାଇ ପଚରାଉଚରା କରିବ ବୋଲି ଯୋଜନା ହୋଇଛି।

ପ୍ରକାଶଥାଉକି, ଗତ ଫେବ୍ରୁଆରି ମାସ ୨୩ ତାରିଖରେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ଏକ ବିବାହ ଉପହାର ପାର୍ସଲ ଖୋଲିବା ବେଳେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଯେଉଁଥିରେ ବର ସୌମ୍ୟ ଶେଖର ସାହୁ ଓ ତାଙ୍କ ଜେଜେମା’ ଜେନାମଣି ସାହୁଙ୍କ ମୃତ୍ୟୁ ଘଟିଥିଲା। ପ୍ରଥମେ ବଲାଙ୍ଗୀର ପୁଲିସ ଏହାର ତଦନ୍ତ ଆରମ୍ଭ କରିଥିଲା। କିନ୍ତୁ ପରେ ମୁଖ୍ୟମନ୍ତ୍ରୀ ଘଟଣାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe