ଭଲ ଖବର: ରାଜ୍ୟରେ ଆରମ୍ଭ ହେବ ‘ବଳରାମ’ ଯୋଜନା, ଉପକୃତ ହେବେ ୭ ଲକ୍ଷ ଭୂମିହୀନ ଚାଷୀ

Advertisment
ଭଲ ଖବର: ରାଜ୍ୟରେ ଆରମ୍ଭ ହେବ ‘ବଳରାମ’ ଯୋଜନା, ଉପକୃତ ହେବେ ୭ ଲକ୍ଷ ଭୂମିହୀନ ଚାଷୀ

ଭୁବନେଶ୍ୱର: ଭୂମିହୀନ ଚାଷୀଙ୍କ ପାଇଁ ରାଜ୍ୟ ସରକାର ଏକ ଭଲ ଖବର ଆଣିଛନ୍ତି। ‘କାଳିଆ’ ଯୋଜନା ପରେ ରାଜ୍ୟ ସରକାର ‘ବଳରାମ’ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ବଳରାମ ଯୋଜନା ନେଇ ଆଜି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି।

ଏହି ଯୋଜନା ମାଧ୍ୟମରେ ରାଜ୍ୟ ସରକାର ଭୂମିହୀନ ଚାଷୀମାନଙ୍କୁ ଋଣ ଯୋଗାଇ ଦେବେ। ରାଜ୍ୟ ସରକାର ଭୂମିହୀନ ଚାଷୀମାନଙ୍କୁ ଏକ ହଜାର ୪୦ କୋଟି ଟଙ୍କାର ଋଣ ଯୋଗାଇ ଦେବାକୁ ଲକ୍ଷ ରଖିଛନ୍ତି। ଜଏଣ୍ଟ ଲିଆବିଲିଟି ଗ୍ରୁପ ମାଧ୍ୟମରେ ଚାଷୀମାନେ ଋଣ ପାଇପାରିବେ। ପ୍ରାୟ ୭ ଲକ୍ଷ ଚାଷୀଙ୍କୁ ଋଣ ଯୋଗାଇଦେବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର।

ରାଜ୍ୟ ସ୍ତରରେ ଇମେଜ ଏବଂ ଜିଲ୍ଲାସ୍ତରରେ ଆତ୍ମା ସଂସ୍ଥା ଏହି କାର୍ଯ୍ୟକ୍ରମର ସଂଯୋଜନା କରିବେ। ଗ୍ରାମାଞ୍ଚଳ ଏବଂ ଛୋଟ ଛୋଟ ସହର ଅଂଚଳ ମାନଙ୍କରେ ବିଭିନ୍ନ ବ୍ୟାଙ୍କ୍‌ ଏବଂ ପ୍ରାଥମିକ କୃଷି ସମବାୟ ସଂସ୍ଥାର ପ୍ରାୟ ୭୦୦୦ ଶାଖା ଥିବାର ଜଣାପଡିଛି। ପ୍ରତି ବ୍ୟାଙ୍କ୍‌ ଶାଖାକୁ ଚଳିତ ବର୍ଷ ଅତି କମ୍‌ରେ ୧୦ଟି ଜେ.ଏଲ୍‌.ଜିଙ୍କୁ ଋଣ ଦେବା ପାଇଁ କୁହାଯାଇଛି। ଏହା ଫଳରେ ପ୍ରାୟ ୭୦,୦୦୦ ଗ୍ରୁପ୍‌ ଚଳିତ ବର୍ଷ କୃଷି ଋଣ ପାଇ ପାରିବେ। ଗୋଟିଏ ଗ୍ରୁପ୍‌ ରେ ୫ ଜଣ ଚାଷୀ ରହିବେ। ବର୍ଷକୁ ୩.୫ ଲକ୍ଷ ଚାଷୀ ହିସାବରେ ୨ ବର୍ଷ ମଧ୍ୟରେ ପ୍ରାୟ ୭ ଲକ୍ଷ ଭୂମିହୀନ ଚାଷୀଙ୍କୁ କୃଷି ଋଣ ଯୋଗାଇବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ପ୍ରତି ଗ୍ରୁପ୍‌ ୧.୬୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇପାରିବେ।

କୃଷକ ସାଥୀ ଏବଂ ଗ୍ରାମ କୃଷି କର୍ମଚାରୀମାନେ ଗ୍ରୁପ୍‌ ଗଠନ କରି ସେମାନଙ୍କୁ ବ୍ୟାଙ୍କ୍‌ ମାନଙ୍କ ସହ ସଂଯୋଜିତ କରିବେ ଯ ଋଣ ଯୋଗାଣ ଏବଂ ଋଣ ପୈଠ ଆଦିରେ ସହାୟତା କରିବେ। ଏହି କାର୍ଯ୍ୟ ପାଇଁ ସେମାନଙ୍କୁ ଜିଳ୍ଲାସ୍ତରୀୟ ଆତ୍ମା ସଂସ୍ଥା ମାଧ୍ୟମରେ ପ୍ରୋତ୍ସାହନ ଦେବା ପାଇଁ ବୈଠକରେ ସ୍ଥିର ହୋଇଥିଲା। ଏହି କ୍ଷେତ୍ରସ୍ତରୀୟ କର୍ମଚାରୀମାନଙ୍କୁ ସଠିକ୍‌ ଭାବେ ତାଲିମ୍‌ ଓ ଅନୁପ୍ରେରଣା ଦେବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ।

ଭୂମିହୀନ ଚାଷୀମାନଙ୍କୁ ଏହି ଋଣ ସାଧାରଣ କୃଷି ଋଣ ଆକାରରେ ଦିଆଯିବ। ଏହାର ସୁଧ ହାର ଏବଂ ସୁଧ ରିହାତି ଆଦି ରାଜ୍ୟ ସରକାରଙ୍କ କୃଷି ଋଣ ନିୟମ ଅନୁଯାୟୀ ହେବ। ନାବାର୍ଡାର ଓଡ଼ିଶା ମୁଖ୍ୟ ମହା ପ୍ରବନ୍ଧକ ଚନ୍ଦ୍ର ଶେଖର କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଏହି ଯୋଜନା ଏକ ଅଭିନବ ପ୍ରୟାସ। ଅନ୍ୟ କୌଣସି ରାଜ୍ୟରେ ଏହା କାର୍ଯ୍ୟକାରୀ ହୋଇନାହିଁ। ଏହି ଯୋଜନା ସଫଳ ହେଲେ ସମଗ୍ର ଦେଶ ପାଇଁ ଏକ ମଡେଲ୍‌ ହେବ।

ବୈଠକରେ ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର, କୃଷି ଓ କୃଷକ ସଶକ୍ତିକରଣ ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ ମୀନା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ୍‌ ଯାଦବ, ନାବାର୍ଡାର ମୁଖ୍ୟ ପରିଚାଳନା ପ୍ରବନ୍ଧକ ଚନ୍ଦ୍ର ଶେଖରଙ୍କ ସମେତ ରାଜ୍ୟ ସମବାୟ ବ୍ୟାଙ୍କ୍‌, ରାଜ୍ୟସ୍ତରୀୟ ବ୍ୟାଙ୍କ୍‌ ସମନ୍ଵୟ କମିଟି ଏବଂ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe