ଜୁଲାଇ ବିସ୍ଫୋରଣ ଆଶଙ୍କାରେ ବାଲେଶ୍ୱର, ନିଅଣ୍ଟ ପଡ଼ିପାରେ କୋଭିଡ୍ ଶଯ୍ୟା

ଜୁଲାଇ ବିସ୍ଫୋରଣ ଆଶଙ୍କାରେ ବାଲେଶ୍ୱର, ନିଅଣ୍ଟ ପଡ଼ିପାରେ କୋଭିଡ୍ ଶଯ୍ୟା

ବାଲେଶ୍ବରରେ ଲକ୍ ଡାଉନ୍ (ଫଟୋ: ମନୋଜ)

୧୧ ଦିନରେ ୧୫୬ ରୋଗୀ
ପରୀକ୍ଷା ବଢ଼ିଲେ ରୋଗୀ ବଢ଼ିବେ
ହେଉନି ସ୍ବାସ୍ଥ୍ୟ କର୍ମଚାରୀଙ୍କ ପରୀକ୍ଷା

ବାଲେଶ୍ବର : ଏଇ ମାସରେ କରୋନା ବାଲେଶ୍ବର ଜିଲ୍ଲାରେ ବିସ୍ଫୋରକ ରୂପ ନେଇପାରେ। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ, ଆଗକୁ ଆହୁରି ସାଂଘାତିକ ରୂପ ନେଇପାରେ। ଜୁଲାଇର ପ୍ରଥମ ୧୧ ଦିନରେ କେବଳ ୧୫୬ ରୋଗୀ ଚିହ୍ନଟ ହେଲେଣି। ଯଦି ଏହି ହାରରେ ରୋଗୀ ସଂଖ୍ୟା ବୃଦ୍ଧି ପାଏ, ଭଲ ହେବା ସଂଖ୍ୟା କମ ରୁହେ ତେବେ ବାଲେଶ୍ବର କୋଭିଡ୍ ହସପିଟାଲରେ ବେଡ୍ ଅଭାବ ପଡ଼ିବ। କାରଣ ୧୧ ଦିନ ଭିତରେ ୧୫୬ ନୂଆ ରୋଗୀ ଆଉ ସୁସ୍ଥ ସଂଖ୍ୟା ୧୦୮। ଯଦି ଏମିତି ସ୍ଥିତି ହୁଏ, ତେବେ ରୋଗୀଙ୍କୁ କେଉଁଠି ରଖି ଚିକିତ୍ସା କରାଯିବ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏବେ ଲକ୍ଷଣଶୂନ୍ୟ ରୋଗୀଙ୍କ ସଂଖ୍ୟା ଅଧିକ ଥିବାରୁ ୧୦ ଦିନ ରଖି ଘରକୁ ପଠାଇ ଦିଆଯାଉଛି। ତେଣୁ ନୂଆ ରୋଗୀ ଓ ଛାଡ଼ ପାଉଥିବା ରୋଗୀଙ୍କ ଅନୁପାତକୁ ବଜାୟ ରଖି ହେଉଛି। କିନ୍ତୁ ଯଦି ପରୀକ୍ଷା ଅଧିକ ହେବ ଆଉ ନୂଆ ରୋଗୀଙ୍କ ସଂଖ୍ୟା ଅଧିକ ହେବ ତେବେ ଏ ଅନୁପାତକୁ ବଜାୟ ରଖିବା ବଡ଼ କଷ୍ଟକର ହୋଇପଡ଼ିବ। ସେତେବେଳେ ଡାକ୍ତରଖାନାରେ ବେଡ୍ ସଂଖ୍ୟା ନିଅଣ୍ଟ ପଡ଼ିବାର ଯଥେଷ୍ଟ ଆଶଙ୍କା ରହିଛି। ତେବେ ଘରକୁ ଫେରିବା ପରେ ପୁଣି କରୋନା ଚିହ୍ନଟ ହୋଇଥିବାର ନଜିର ମଧ୍ୟ ରହିଛି। ଏମିତି ଅନେକ ସାମ୍ଭାବ୍ୟ ସମସ୍ୟାକୁ ନେଇ ଚିନ୍ତାରେ ପଡ଼ିଯାଇଛି ବାଲେଶ୍ବର ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ। ଏହା ସହିତ ହୋମ୍ କ୍ବାରାଣ୍ଟିନକୁ ମାନୁ ନ ଥିବାରୁ ଅଧିକାଂଶ ଅଞ୍ଚଳରେ ସଂକ୍ରମଣ ବଢୁଛି। ତାହା ଆଗକୁ ଯେ ଭୟଙ୍କର ରୂପ ନ ନେବ ତାହା କେହି କହିପାରିବେ ନାହିଁ।

publive-image Childrens Choice Therapy

ଅନ୍ୟପକ୍ଷରେ ସଦର ବ୍ଲକ୍‌ର ଗୋଟିଏ ପଞ୍ଚାୟତରୁ ୨ ଦିନରେ ୩୩ ପଜିଟିଭ୍ ବାହାରିବା ଘଟଣା ପ୍ରଶାସନର ଚିନ୍ତା ବଢ଼ାଇ ଦେଇଛି। ଏବେ ବି ସେ ରୋଗୀମାନଙ୍କର କଣ୍ଟାକ୍ଟ ଟ୍ରେସିଂ ଜାରି ରହିଥିବାରୁ ଆହୁରି ରୋଗୀ ବଢ଼ିବାର ସମ୍ଭାବନା ରହିଛି। ଏହା ସିଧାସଳଖ ପ୍ରଭାବ ପକାଇବ କୋଭିଡ୍ ହସପିଟାଲ ଉପରେ। ପ୍ରଶାସନର କହିବା ଅନୁସାରେ କମ ସଂକ୍ରମିତ ରୋଗୀଙ୍କୁ କୋଭିଡ୍ କେୟାର ସେଣ୍ଟରରେ ରଖାଯିବ। ଯଦି ସେମାନଙ୍କ ଅବସ୍ଥା ଗୁରୁତର ହୁଏ ତେବେ କୋଭିଡ୍ ହସପିଟାଲକୁ ସ୍ଥାନାନ୍ତର କରାଯିବ। କିନ୍ତୁ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀ ସଂଖ୍ୟା ମଧ୍ୟ କୋଭିଡ୍ ମୁକାବିଲାରେ ଆଉ ଏକ ସମସ୍ୟା ଭାବେ ଠିଆ ହେବା ନିଶ୍ଚିତ। ସେପଟେ କରୋନା ପରୀକ୍ଷା ବୃଦ୍ଧି କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି। କରୋନା ରୋଗୀଙ୍କ ସେବାରେ ନିଯୁକ୍ତ ହୋଇଥିବା ଅନ୍ୟ କର୍ମଚାରୀ ଓ ଡାକ୍ତରଙ୍କ କରୋନା ପରୀକ୍ଷା କରାଯିବାକୁ ନିଷ୍ପତ୍ତି ହୋଇଥିଲେ ବି କରାଯାଇପାରୁ ନାହିଁ। କାରଣ କରୋନା ପରୀକ୍ଷା ଯଦି କରାଯିବ, ନିୟମ ଅନୁସାରେ କ୍ବାରାଣ୍ଟିନ୍‌ ସେଣ୍ଟରରେ ରହିବାକୁ ପଡ଼ିବ। ଯାହାଫଳରେ ରୋଗୀ ଦେଖିବା ଅସମ୍ଭବ ହୋଇପଡ଼ିବ। ପରିସ୍ଥିତିକୁ ଦୃଷ୍ଟିରେ ରଖି ସବୁ ବିଭାଗରୁ କିଛି କିଛି ଡାକ୍ତର ଓ କର୍ମଚାରୀଙ୍କ ନମୁନା ପରୀକ୍ଷା କରାଯିବାର ନିଷ୍ପତ୍ତି ହୋଇଛି ବୋଲି ମେଡିକାଲ ସୁପରିନ୍‌ଟେଣ୍ଡେଣ୍ଟ ଡାକ୍ତର ଆରତୀ ବେହେରା କହିଛନ୍ତି। ଏଭଳି ସଂଗିନ ସ୍ଥିତିରେ ବଜାରରେ କରୋନା କଟକଣାର ଖୋଲାଖୋଲି ଉଲ୍ଲଂଘନ ପ୍ରଶାସନକୁ ଚିନ୍ତାରେ ପକାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe