ବାଲେଶ୍ବର ଆର୍ଟ କଲେଜ କେଳେଙ୍କାରୀ ମାମଲା: ୨୧ଦିନ ପରେ ଜିଲ୍ଲା ପ୍ରଶାସନର ତନାଘନା

Advertisment
ବାଲେଶ୍ବର ଆର୍ଟ କଲେଜ କେଳେଙ୍କାରୀ ମାମଲା: ୨୧ଦିନ ପରେ ଜିଲ୍ଲା ପ୍ରଶାସନର ତନାଘନା

ବାଲେଶ୍ବର : ବାଲେଶ୍ବର ଆର୍ଟ କଲେଜରେ ଛାତ୍ରଛାତ୍ରୀଙ୍କୁ ଶାରୀରିକ, ମାନସିକ ଓ ଆର୍ଥିକ ନିର୍ଯାତନା ଦିଆଯାଉଥିବା ସହ କଲେଜ ଅଧ୍ୟକ୍ଷ ଏବଂ କିଛି ଅଧ୍ୟାପକ ଶୈକ୍ଷିକ ପରିବେଶ ନଷ୍ଟ କରୁଥିବା ନେଇ ସଙ୍ଗିନ ଅଭିଯୋଗ ହୋଇଥିଲା। ଏନେଇ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାରଙ୍କ ନେତୃତ୍ବରେ ଏକ ଟିମ୍‌ ଆସି କଲେଜରେ କାଗଜପତ୍ର ଯାଞ୍ଚ୍‌ କରି ଯାଇଥିବାବେଳେ ଜିଲ୍ଲା ପ୍ରଶାସନ ତରଫରୁ ଯାଞ୍ଚ୍‌ କଲେଜର କରାଯିବାକୁ ଛାତ୍ରଛାତ୍ରୀ, ଅଭିଭାବକ, ଚିତ୍ରଶିଳ୍ପୀ ଏବଂ ସହରର ବିଭିନ୍ନ ସଂଗଠନ ପକ୍ଷରୁ ଦାବି କରାଯାଇଥିଲା। ତେବେ ବିଳମ୍ବରେ ହେଉପଛେ ୨୧ଦିନ ପରେ ଜିଲ୍ଲାପାଳଙ୍କ ନିର୍ଦେଶରେ ତଦନ୍ତ ଆରମ୍ଭ ହୋଇଥିବା ଜଣାଯାଇଛି।

ବୁଧବାର ଅପରାହ୍‌ଣ ୩ଟା ବେଳେ ଜିଲ୍ଲା ଶିକ୍ଷାଧିକାରୀ ରଂଜନ କୁମାର ଗିରି ଏବଂ ଜିଲ୍ଲା ଜରୁରୀ ଅଧିକାରୀ ରିଜୁଆନା କଅକବ ବାଲେଶ୍ବର ଚାରୁ ଓ କାରୁକଳା ମହାବିଦ୍ୟାଳୟ ଯାଇ ଅଧ୍ୟକ୍ଷ ନିକୁଞ୍ଜ ବିହାରୀ ଦାସ, ଅଧ୍ୟପକ-ଅଧ୍ୟାପିକା, ଅଭିଯୋଗ ଆଣିଥିବା ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ବିଶେଷ କରି କଲେଜ ନାଁରେ ଆସିଥିବା ବିଭିନ୍ନ ଅଭିଯୋଗ ଆଲୋଚନାର ବିଷୟବସ୍ତୁ ଥିଲା। ତେବେ ଏହି ତଦନ୍ତ ଗୋଟିଏ ଥର‌େର ଶେଷ ହୋଇନାହିଁ। ପରବର୍ତ୍ତୀ ସମୟରେ ଆଉ ୨/୩ ଥର ବିଭିନ୍ନ ଦିଗକୁ ନେଇ ତଦନ୍ତ କରାଯିବା ପରେ ଜିଲ୍ଲାପାଳଙ୍କୁ ତାର ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରଦାନ କରାଯିବ। ତା ପରେ ଜିଲ୍ଲାପାଳ ଯାହା ନିଷ୍ପତି ନେବେ ବୋଲି ସୂଚନା ଦିଆଯାଇଛି।

ଅନ୍ୟପକ୍ଷରେ କଲେଜ ଗଭର୍ଣ୍ଣିଂ ବଡି ତରଫରୁ ମଧ୍ୟ ଏନେଇ ଏକ ଯାଞ୍ଚ୍‌ କମିଟି ଗଠନ କରାଯାଇଛି। ଯେଉଁଥିରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ତଥା ପୂର୍ବତନ ସଂସ୍କୃତି ବିଭାଗ ନିର୍ଦେଶକ ଅମରେନ୍ଦ୍ର ପଟ୍ଟନାୟକ ଅଧ୍ୟକ୍ଷ ରହିଥିବା ବେଳେ ଗଭର୍ଣ୍ଣିଂ ବଡିର ସମ୍ପାଦକ ସୀତିକଣ୍ଠ ଦାସ, ସଦସ୍ୟ ସଂଗ୍ରାମ ଦାସ ଓ ରବୀନ୍ଦ୍ର ପଣ୍ଡା ରହିଛନ୍ତି। ତେବେ ଏହି କମିଟିର ଯାଞ୍ଚ୍‌ ପ୍ରକ୍ରିୟା ସମ୍ପର୍କରେ କିଛି ଜଣାପଡ଼ିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe