ବାଲେଶ୍ବରର କଣ୍ଟେନମେଣ୍ଟ୍ ଜୋନରେ ଥିବା ୪୦୦ ପରିବାରର ସ୍ୱାସ୍ଥ୍ୟ ପରୀକ୍ଷା ଓ ଅତ୍ୟାବଶ୍ୟକ ସାମଗ୍ରୀ ହୋମ ଡେଲିଭରି କରିବାକୁ ନିର୍ଦେଶ

Advertisment
୪ଜଣଙ୍କୁ ନୋଡାଲ୍ ଅଧିକାରୀ ଭାବେ ଦାୟିତ୍ବ ଦେଲେ ବାଲେଶ୍ବର ଜିଲ୍ଲାପାଳ

ବାଲେଶ୍ବର: ଓଡ଼ିଶାର ୬୧ନମ୍ବର କରୋନା ସଂକ୍ରମିତ ବାଲେଶ୍ବର ସହରର ବୋଲି ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିବା ପରେ ଜିଲ୍ଲା ପ୍ରଶାସନ ତତ୍ପର ହୋଇଉଠିଛି। ଗତକାଲି ରାତିରେ ଜରୁରୀକାଳୀନ ବୈଠକରେ ସଂକ୍ରମିତ ବ୍ୟକ୍ତିଙ୍କ ସାହିକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି। ଏହାସହିତ ସେହି ଅଞ୍ଚଳ ସହ ୩ଟି ୱାର୍ଡ ଯଥାକ୍ରମେ ୧୮, ୨୮ ଓ ୨୯କୁ ସଂଯୋଗ କରୁଥିବା ୯ଟି ପଏଣ୍ଟରେ ସିଲ୍ କରାଯାଇଛି।

ପ୍ରତ୍ୟେକ ରାସ୍ତା ଆରମ୍ଭରେ ପୁଲିସ ମୁତୟନ ହୋଇଛନ୍ତି। କେବଳ ଅଧିକାର ପ୍ରାପ୍ତ ବ୍ୟକ୍ତିଙ୍କ ବ୍ୟତୀତ ଏହି ସାହିକୁ କୌଣସି ବ୍ୟକ୍ତି ପ୍ରବେଶ କରିବା କିମ୍ବା ସାହିରୁ କୌଣସି ବ୍ୟକ୍ତି ବାହାରକୁ ବାହାରିବା ଉପରେ କଟକଣା ଜାରି କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଏହି ଅଞ୍ଚଳକୁ ୭ଦିନ ପାଇଁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି। ଏହି ସମୟ ମଧ୍ୟରେ ସଂକ୍ରମିତ ବ୍ୟକ୍ତି କେଉଁମାନଙ୍କ ସଂସ୍ପର୍ଶରେ ଆସିଛନ୍ତି ତାହା ଚିହ୍ନଟ କରାଯିବ। ଆବଶ୍ୟକତା ଅନୁସାରେ କଣ୍ଟେନମେଣ୍ଟ ଜୋନର ସମୟ ସୀମା ମଧ୍ୟ ବୃଦ୍ଧି କରାଯାଇପାରେ ବୋଲି ପ୍ରଶାସନ ପକ୍ଷରୁ ଜଣାଯାଇଛି।

ଆଜି ସକାଳେ ସେ ଅଞ୍ଚଳକୁ ଅଗ୍ନିଶମ ବିଭାଗ ପକ୍ଷରୁ ବିଶୁଦ୍ଧିକରଣ କରାଯାଇଛି। ସେହିପରି କଣ୍ଟେନମେଣ୍ଟ ଜୋନରେ ଆସୁଥିବା ପ୍ରାୟ ୪୦୦ ପରିବାରର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ଉପଜିଲ୍ଲାପାଳ ନୀଲୁ ମହାପାତ୍ର କହିଛନ୍ତି।

ଅନ୍ୟପକ୍ଷରେ ନିଳିଆବାଗର ସମସ୍ତ ପରିବାରକୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବାକୁ ପ୍ରଶାସନ ପ୍ରତିଶ୍ରୁତି ଦେଇଛି। ସେଥିପାଇଁ ତେଜରାତି ଓ ଔଷଧ ଦୋକାନୀମାନଙ୍କ ମୋବାଇଲ ନମ୍ବର ସମ୍ପୃକ୍ତ ଅଞ୍ଚଳବାସୀଙ୍କୁ ଜଣାଇ ଦିଆଯାଇଛି। ଆବଶ୍ୟକତା ଅନୁସାରେ ହୋମ ଡେଲିଭରି ଦେବାକୁ ମଧ୍ୟ ପ୍ରଶାସନ ଦୋକାନୀମାନଙ୍କୁ ନିର୍ଦେଶ ଦେଇଥିବା ଶ୍ରୀ ମହାପାତ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe