ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାର ପ୍ରତିବାଦରେ ବାଲେଶ୍ୱର ବନ୍ଦ ସଫଳ

Advertisment

ବନ୍ଦ ପ୍ରତି ରହିଥିଲା ସ୍ୱତଃସ୍ଫୁର୍ତ୍ତ ଜନସମର୍ଥନ

ବନ୍ଦ ପ୍ରତି ରହିଥିଲା ସ୍ୱତଃସ୍ଫୁର୍ତ୍ତ ଜନସମର୍ଥନ

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାର ପ୍ରତିବାଦରେ ବାଲେଶ୍ୱର ବନ୍ଦ ସଫଳ

ବାଲେଶ୍ୱର : ବାଲେଶ୍ୱର ସହରରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରତିବାଦରେ ଟିୟୁଏସିସିର ବନ୍ଦ ଡାକରା ସମ୍ପୂର୍ଣ୍ଣ ସଫଳ ହୋଇଛି। ସହରର ପରିସ୍ଥିତିକୁ ନେଇ ଭିତରେ ଭିତରେ କ୍ଷୁବ୍ଧ ଓ ଅସନ୍ତୁଷ୍ଟ ହୋଇଥିବା ଲୋକେ ଆଜିର ୧୨ ଘଣ୍ଟିଆ ବନ୍ଦକୁ ସ୍ୱତଃସ୍ଫୁର୍ତ୍ତ ସମର୍ଥ ଦେଇଥିବା ସ୍ପଷ୍ଟ ହୋଇ ଯାଇଛି। ସାରା ସହର ଯେପରି ଅପରାଧୀଙ୍କ ଭୂସ୍ୱର୍ଗ ପାଲଟିଛି, ପୁଲିସ ଯେପରି ନିରବଦ୍ରଷ୍ଟା ସାଜିଛି, ବିଭିନ୍ନ ସମୟରେ ଯେମିତି ଖଣ୍ଡା ବୁଲୁଛି, ମୁଣ୍ଡ ଗଡ଼ୁଛି ଓ ଗୁଳି ଫୁଟୁଛି, ସେଥିରୁ ବାଲେଶ୍ୱର ଯେ ଆଉ ବାଲେଶ୍ୱର ହୋଇ ନାହିଁ, ବିହାର ପାଲଟି ଯାଇଛି ବୋଲି ଲୋକେ ଅଭିଯୋଗ କରୁଥିଲେ। ଏତିକି ବେଳେ ଟିୟୁଏସିସି ବନ୍ଦ ଡାକରା ଦେବାରେ ସାରା ସହରବାସୀ ଆପେ ଆପେ ବନ୍ଦକୁ ସମର୍ଥନ ଦେଇଥିଲେ।

ଆଜି ପୂର୍ବାହ୍ନରେ ବାମପନ୍ଥୀ ଦଳର କର୍ମୀମାନେ ବନ୍ଦ ସପକ୍ଷରେ ବିଭିନ୍ନ ସ୍ଥାନରେ ପିକେଟିଂ କରିଥିଲେ। ବାଲେଶ୍ୱର କୋର୍ଟକୁ ବିଚାରପତି ଆସୁଥିବା ବେଳେ ଗେଟ୍‌ ଆଗରେ ଧାରଣା ଦେଇଥିଲେ। ସେମାନେ ଅନୁରୋଧ କରିବା ପରେ ବିଚାରପତିମାନେ ଫେରିଯାଇଥିଲେ। ଆଜି ମାସର ଦ୍ୱିତୀୟ ଶନିବାର ଥିବାରୁ ବିଭିନ୍ନ କେନ୍ଦ୍ରୀୟ ଓ ରାଜ୍ୟ ସରକାରଙ୍କ ଅଫିସ ବନ୍ଦ ରହିଥିଲା। କେତେକ ବ୍ୟାଙ୍କ ଓ ପ୍ରତିଷ୍ଠାନ ଆଗରେ କର୍ମୀମାନେ ପିକେଟିଂ କରିଥିଲେ। ଯେଉଁସବୁ କାର୍ଯ୍ୟାଳୟ ଖୋଲିଥିବା ଏହି ଘଟଣାରେ ସବୁ ଅଫିସ କିଛି ସମୟ ପରେ ବନ୍ଦହୋଇ ଯାଇଥିଲା। ସେପଟେ ବିଭିନ୍ନ ସ୍ଥାନରେ ସାଧାରଣ ଲୋକେ ପୁଲିସର ନିଷ୍କ୍ରିୟତାକୁ ପ୍ରତିବାଦ କରି, ବନ୍ଦକୁ ସମର୍ଥନ କରୁଥିବା ଦେଖିବାକୁ ମିଳିଥିଲା। ଅନେକ ବ୍ୟକ୍ତି ସନ୍ଧ୍ୟା ପର୍ଯ୍ୟନ୍ତ ମଧ୍ୟ ଆଦୌ ଦୋକାନ ଖୋଲି ନଥିଲେ। କିଛି ଦୋକାନ ଦିନସାରା ବନ୍ଦ ରହିବା ପରେ ଅପରାହ୍ନରେ ଖୋଲିଥିଲା।

publive-image

ସହରରେ କ୍ରମାଗତ ବୃଦ୍ଧି ପାଉଥିବା ଅପରାଧ ଯୋଗୁଁ ନିଜକୁ ଅସୁରକ୍ଷିତ ମଣୁଥିବା ସହରବାସୀ ଭିତରେ ଭିତରେ କୁହୁଳୁଥିଲେ। ସେମାନେ ଆଜି ସୁଯୋଗ ପାଇ ଜିଲ୍ଲା ପୁଲିସର ବିଫଳତାକୁ ଦାୟୀ କରିଥିଲେ। ସହରରେ ବନ୍ଦ ଯୋଗୁଁ ବହୁ ଲୋକ ଆଜି ଖୁବ୍‌ ହିନସ୍ତା ହୋଇଥିବା ଦେଖିବାକୁ ମିଳିଥିଲା। ଷ୍ଟେସନରୁ ଆସୁଥିବା ଲୋକେ, ଅଟୋ କିମ୍ବା ରିକ୍ସା ନପାଇବାରୁ ଚାଲି ଚାଲି ଘରକୁ ଯାଇଥିଲେ। ବାଲେଶ୍ୱର ସହରରୁ ବସ୍‌ ଚଳାଚଳ ବନ୍ଦ ରହିଥିଲା। ସ୍କୁଲ, କଲେଜ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା। ଅଧିକାଂଶ ଲୋକେ ନିଜ ନିଜର ଆବଶ୍ୟକତା ପାଇଁ ରେମୁଣା ଗୋଲେଇ ପର୍ଯ୍ୟନ୍ତ ଯିବାକୁ ପଡିଥିଲା। ଜରୁରି କାମରେ ବାହାରକୁ ଯିବାକୁ ଚାହୁଁଥିବା ଲୋକେ ବାଇକରେ କୁରୁଡା ପର୍ଯ୍ୟନ୍ତ ଯାଇ ଜାତୀୟ ରାଜପଥରୁ ବସ୍‌ ଧରିଥିଲୋ ଷ୍ଟେସନରେ ଗହଳି ପରିଲକ୍ଷିତ ହୋଇଥିଲା।

ଆଜିର ବନ୍ଦକୁ କଂଗ୍ରେସ ସମେତ ରଷ୍ଟ୍ରୀୟ ଶ୍ରମିକ କଂଗ୍ରେସ, ଜିଲ୍ଲା ବ୍ୟବସାୟୀ ସଂଘ, ଉଠା ଦୋକାନୀ ସଂଘ, ଅଟୋ, ଟ୍ୟାକ୍ସି ଓ ରିକ୍ସା ଚାଳକ ସଂଘ, ଓକିଲ ସଂଘ, ସିଭିଲ ସୋସାଇଟି, ଚାଷୀ ଏକତା ମଞ୍ଚ ସମେତ ବିଭିନ୍ନ ଗଣ ସଂଗଠନ, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପ୍ରମୁଖ ସମର୍ଥନ କରିଥିଲୋ ଟିୟୁଏସିସିର ଅଧ୍ୟକ୍ଷ ପ୍ରଦୀପ୍ତ ପଣ୍ଡା, ସାଧାରଣ ସଂପାଦକ ଗୌରାଙ୍ଗ ପାଣିଗ୍ରାହୀ, ରାଷ୍ଟ୍ରୀୟ ଶ୍ରମିକ କଂଗ୍ରେସର ଜିଲ୍ଲା ସଭାପତି ଶୁଭଙ୍କର ମହାପାତ୍ର, ସାଧାରଣ ସଂପାଦକ ବିକାଶ ଦାସ, ସୁରେଶ ବେହେରା, ଆକବର ସାହା, ପ୍ରଫୁଲ୍ଲ ରାଉଳ, ପ୍ରଜ୍ଞାପାରମିତା ମହାନ୍ତି, ଏକତା ମଞ୍ଚର ସଭାପତି ଅରୁଣ ଜେନା, ସାଧାରଣ ସଂପାଦକ ବିଧାନ ରାୟ, ପ୍ରଦୀପ ସ ଓ ବ୍ରଜମୋହନ ପ୍ରଧାନ ପ୍ରମୁଖ ବନ୍ଦର ନେତୃତ୍ୱ ନେଇଥିଲେ। ତେବେ ବନ୍ଦ ସଂପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ରହିଥିଲା। କେଉଁଠି ବି କିଛି ଅଘଟଣ ଘଟିନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe