Kalinga TV
ରେମୁଣା: ଜିଲ୍ଲାର ବଡ଼ ଶିଳ୍ପ କୁହାଯାଉଥିବା ବାଲେଶ୍ବର ଜିଲ୍ଲା ରେମୁଣା ଆଲଏଜ୍, ବିର୍ଲା ଟାୟାର୍ସ, ଇମାମୀ ପେପର ମିଲ୍ସ କାରଖାନା ବିଭିନ୍ନ କାରଣ ଯୋଗୁଁ ଦେବାଳିଆ ସ୍ଥିତିରେ ରହିଛି। ବିର୍ଲା ଓ ଆଲଏଜ୍ କାରଖାନା ଦୁଇବର୍ଷ ହେଲା ଏକପ୍ରକାର ବନ୍ଦ ହୋଇଯାଇଛି। ଯାହାଫଳରେ ଏହି ଦୁଇ କାରଖାନାରେ ୪ ହଜାରରୁ ଅଧିକ କର୍ମଚାରୀଙ୍କ ଜୀବନଜୀବିକା ଦୁର୍ବିଷହ ହୋଇପଡ଼ିଥିବା ବେଳେ ନିଜ ଭବିଷ୍ୟତକୁ ନେଇ ଆଶାଆଶଙ୍କାରେ ଦିନ କାଟୁଛନ୍ତି। ଏଭଳି ପରିସ୍ଥିତିରେ ଗତକାଲି ଆଲଏଜ୍ କାରଖାନାର ଅଧ୍ୟକ୍ଷ ପ୍ରମୋଦ ମିତ୍ତଲ ବାଲେଶ୍ବର ଗସ୍ତରେ ଆସିଥିବା ବେଳେ ବାଲେଶ୍ବର ଆଲଏଜ୍ କାରଖାନା ଏମ୍ପ୍ଲଏଜ୍ ୟୁନିଅନର ସଭାପତି ଶୁଭେନ୍ଦୁ ମଙ୍ଗରାଜ, ହିନ୍ଦ୍ ମଜଦୁର ସଭାର କର୍ମକର୍ତ୍ତା କାରଖାନା ଚାଲିବା ଉପରେ ଆଲୋଚନା କରିଥିଲେ।
ଏନେଇ ଶ୍ରୀ ମିତ୍ତଲ କହିଥିଲେ ଯେ, ବାଲେଶ୍ବର ଜିଲ୍ଲା ପାଇଁ ତଥା ଶ୍ରମିକଙ୍କର ସ୍ବାର୍ଥରକ୍ଷା ନିମନ୍ତେ କାର୍ଯ୍ୟ କରିଆସିଛି। କାରଖାନା ବନ୍ଦ ଥିଲେ ମଧ୍ୟ ୪୦ ପ୍ରତିଶତ ଶ୍ରମିକ କାର୍ଯ୍ୟ କରୁଛନ୍ତି। ସେମାନଙ୍କୁ ପ୍ରତିମାସ ୫ ହଜାର ଟଙ୍କା ଲେଖାଏ ମିଳୁଛି। ଆଗାମୀ ୩ ମାସ ଭିତରେ କାରଖାନା ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ବୋଲି ଶ୍ରୀ ମିତ୍ତଲ ପ୍ରତିଶ୍ରୁତି ଦେଇଛନ୍ତି।
Follow Us