ବାଲେଶ୍ବର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ନିର୍ବାଚନ, ୧୫ରୁ ୧୦ ଆସନରେ ବିଜେଡିର ବାଜିମାତ୍‌

Advertisment
ବାଲେଶ୍ବର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ନିର୍ବାଚନ, ୧୫ରୁ ୧୦ ଆସନରେ ବିଜେଡିର ବାଜିମାତ୍‌

ବାଲେଶ୍ବର: ବାଲେଶ୍ବର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ଦ୍ଦେଶକ ପଦ ପାଇଁ ଆଜି ଭୋଟ୍‌ ଗ୍ରହଣ ସରିଛି। ଏଥିରେ ବିଜୁ ଜନତା ବାଜିମାତ୍‌ କରି ୧୦ଟି ଆସନ ହାତେଇ ନେଇଥିବା ବେଳେ କଂଗ୍ରେସ ୪ଟି ଏବଂ ସ୍ବାଧୀନ ପ୍ରାର୍ଥୀ ଭାବେ ଜଣେ ବିଜୟଲାଭ କରିଛନ୍ତି। ୧୫ଟି ନିର୍ଦ୍ଦେଶକ ପଦ ପାଇଁ ୩୨ ଜଣ ପ୍ରାର୍ଥୀ ହୋଇଥିଲେ। ସେହିପରି ୪୭୪୨ ଜଣ ମତଦାତା ଥିବାବେଳେ ୪୩୩୯ ଜଣ ଭୋଟ୍‌ ଦେଇଥିଲେ। ମତଦାନ ହାର ୯୧.୫ ପ୍ରତିଶତ ହୋଇଥିବା ଜଣାଯାଇଛି।

୧୫ଟି ନିର୍ଦ୍ଦେଶକ ପଦ ପାଇଁ ନିର୍ବାଚନ ହେଉଥିବା ବେଳେ ବିଜୁ ଜନତା ଦଳ ସମର୍ଥନରେ ପ୍ରାର୍ଥୀ ହୋଇଥିବା ୧ ନମ୍ବର ନମ୍ବର ଜୋନ୍‌ର ନିରଞ୍ଜନ ଦାସ, ୨ ନମ୍ବର ଜୋନ୍‌ର ଗଣେଶ ପ୍ରସାଦ ମହାପାତ୍ର, ୩ ନମ୍ବର ଜୋନ୍‌ର ଯୋଗେନ୍ଦ୍ର କୁମାର ଘଡ଼େଇ, ୫ ନମ୍ବର ଜୋନ୍‌ର ଦଶରଥ ଜେନା, ୬ ନମ୍ବର ଜୋନ୍‌ର ପୁଷ୍ପଲତା ଜେନା, ୮ ନମ୍ବର ଜୋନ୍‌ର ସଂଗ୍ରାମ କେଶରୀ ମୁଦୁଲି, ୧୦ ନମ୍ବର ଜୋନ୍‌ର ତପନ ଦାସ, ୧୧ ନମ୍ବର ଜୋନ୍‌ର ବ୍ରଜେନ୍ଦ୍ର ମାଝୀ, ୧୩ ନମ୍ବର ଜୋନ୍‌ର ରଂଜିତା ସିଂ, ୧୫ ନମ୍ବର ଜୋନ୍‌ର ନବକିଶୋର ସେଠୀ ବିଜୟ ଲାଭ କରିଛନ୍ତି। କଂଗ୍ରେସ ସମର୍ଥନରେ ପ୍ରାର୍ଥୀ ହୋଇଥିବା ୪ ନମ୍ବର ଜୋନ୍‌ର ପ୍ରକାଶଜ୍ୟୋତି ମହାକୁଡ଼, ୭ ନମ୍ବର ଜୋନ୍‌ର ଆଶିଷ ପାତ୍ର, ୯ ନମ୍ବର ଜୋନ୍‌ର ଦେବକୁମାର ଦେ ଓ ୧୨ ନମ୍ବର ଜୋନ୍‌ର ରମେଶ ଚନ୍ଦ୍ର ଭାରତୀ ଜିତିଥିବା ବେଳେ ସ୍ବାଧୀନ ଭାବେ ପ୍ରାର୍ଥୀ ହୋଇଥିବା ୧୪ ନମ୍ବର ଜୋନ୍‌ର ଅନୀତା ଭୂୟାଁ ନିର୍ଦ୍ଦେଶକ ଭାବେ ନିର୍ବାଚିତ ହୋଇଛନ୍ତି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବିଜେପି ଆରମ୍ଭରୁ ଏହି ନିର୍ବାଚନରେ ପରାଜୟ ବରଣ କରିଆସୁଛି। କିନ୍ତୁ ସମିତିସ୍ତରରେ ‌ଯେତିକି ଆସନ ଦଳ ହା‌େତଇଛି ସେମାନଙ୍କ ମଧ୍ୟରୁ ନିର୍ଦ୍ଦେଶକ ପଦ ପାଇଁ ପ୍ରତିଦ୍ବନ୍ଦ୍ବିତା କରୁଥିବା ପ୍ରାର୍ଥୀଙ୍କ ମଧ୍ୟରୁ ସମସ୍ତେ ପରାଜିତ ହୋଇଛନ୍ତି।

ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା ଏବଂ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ଯଦିଓ ନିର୍ଦ୍ଦେଶକ ପଦ ପାଇଁ ନାମାଙ୍କନ ଦାଖଲ କରିଥିଲେ, କିନ୍ତୁ ପରେ କୌଣସି କାରଣରୁ ନିଜ ନିଜର ନାମାଙ୍କନ ପ୍ରତ୍ୟାହାର କରିନେଇଥିଲେ। ତେଣୁ ଦଳ ତରଫରୁ କେହି ଜଣେ ମଧ୍ୟ ନିର୍ଦ୍ଦେଶକ ପଦ ହାତେଇବାକୁ ସକ୍ଷମ ହୋଇ ପାରିନାହାନ୍ତି। ସେହିପରି ବିଜେଡି ତରଫରୁ ୩ ପ୍ରମୁଖ ନେତା ପ୍ରତାପ ଧଳ, ଅଶ୍ବିନୀ ନାୟକ ଏବଂ ଅଂଜନ ଦଣ୍ଡପାଟ ଏହି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଥିବା ବେଳେ ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇଛନ୍ତି। ୪ ନମ୍ବର ଜୋନ୍‌ରୁ ଶ୍ରୀ ଧଳ ‌ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସର ପ୍ରକାଶଜ୍ୟୋତି ମହାକୁଡ଼ଙ୍କ ସହ ତାଙ୍କର କଡ଼ା ମୁକାବିଲା ହୋଇଥିଲା। ଶ୍ରୀ ମହାକୁଡ଼ ୧୫୭ ଖଣ୍ଡ ଭୋଟ୍‌ ପାଇ ଶ୍ରୀ ଧଳଙ୍କୁ ହରାଇଛନ୍ତି। ୯ ନମ୍ବର ଜୋନ୍‌ରେ ମଧ୍ୟ ସମାନ ଅବସ୍ଥା। ଏଠାରେ ଦଳ ତରଫରୁ ଅଶ୍ବିନୀ କୁମାର ଦଣ୍ଡପାଟ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସର ଦେବକୁମାର ଦେ ୧୬୨ ଖଣ୍ଡ ଭୋଟ୍‌ ପାଇ ବିଜୟୀ ହୋଇଛନ୍ତି।

୧୨ ନମ୍ବର ଜୋନ୍‌ରେ ବିଜେଡିରୁ ଅଶ୍ବିନୀ ନାୟକ ପ୍ରାର୍ଥୀ ହୋଇଥିଲେ। ମାତ୍ର ସେଠାରେ ଦଳର ଅସନ୍ତୁଷ୍ଟ ଗୋଷ୍ଠୀରୁ ଦୀପକ ମିଶ୍ର ପ୍ରାର୍ଥୀ ହେବାରୁ କଂଗ୍ରେସ ପ୍ରାର୍ଥୀ ରମେଶ ଭାରତୀଙ୍କୁ ଫାଇଦା ମିଳିଛି। ଶ୍ରୀ ଭାରତୀଙ୍କର ୧୬୫ ଖଣ୍ଡ ଭୋଟ୍‌ରେ ଜିତାପଟ ହୋଇଥିବା ଜଣାଯାଇଛି। ବିଜେଡିରୁ ଶ୍ରୀ ଧଳ, ଶ୍ରୀ ନାୟକ ଏବଂ ଶ୍ରୀ ଦଣ୍ଡପାଟ ନିର୍ଦ୍ଦେଶକ ପଦରେ ବିଜୟୀ ହୋଇଥିଲେ ସଭାପତି ପଦରେ ବସିବା ପାଇଁ ତାଙ୍କୁ କୁଆଡ଼େ ସୁଯୋଗ ମିଳିଥାଆନ୍ତି ବୋଲି ଚର୍ଚ୍ଚା ହେଉଛି। ଦଳର ବଡ଼ ବିଜୟ ହୋଇଥିବା ବେଳେ କାହାକୁ ସଭାପତିି ଆ‌ସନ ମିଳିବ, ସେନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି।

ବାଲେଶ୍ବର ସହରର ଖ୍ରୀଷ୍ଟିଆନ୍‌ ହାଇସ୍କୁଲ୍‌ରେ ଭୋଟ୍‌ ଗ୍ରହଣ କେନ୍ଦ୍ର ହୋଇଥିଲା। ବାଲେଶ୍ବର ଓ ଭଦ୍ରକ ଜିଲ୍ଲାର ୩୨୫ କୃଷି ସମବାୟ ସମିତି ଏବଂ ଅଣକୃଷି ସମବାୟ ସମିତିର ନିର୍ବାଚିତ ସଦସ୍ୟମାନେ ତାଙ୍କ ମନପସନ୍ଦର ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ଦେଇଥିଲେ। ୧୫ଟି ଜୋନ୍‌ ପାଇଁ ୮ଟି ‌ବୁଥ୍‌ କରାଯାଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ନିର୍ବାଚନ ଅଧିକାରୀ ଏବଂ ବାଲେଶ୍ବର-ଭଦ୍ରକ ସମବାୟ ସମିତିର ସହ ଉପନିବନ୍ଧକ ଅମୂଲ୍ୟ କୁମାର ସେଠୀ ସହ ନିର୍ବାଚନ ଅଧିକାରୀ ଦାୟିତ୍ବ ତୁଲାଇଥିଲେ। ସକାଳ ୭ଟାରୁ ଅପରାହ୍‌ଣ ୪ଟା ପର୍ଯ୍ୟନ୍ତ ଭୋଟ୍‌ ଗ୍ରହଣ ହୋଇଥିଲା। ଏହାପରେ ଗଣତି କରାଯାଇ ଫଳାଫଳ ଘୋଷଣା କରାଯାଇଥିଲା। ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ନିର୍ବାଚନ ପରିଚାଳନା ଏବଂ ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା। ଆଗାମୀ ୧୫ ଦିନ ମଧ୍ୟରେ ସଭାପତି ଚୟନ କରାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe