Bali Yatra: ବାଲିଯାତ୍ରା ପୁସ୍ତକ କିଣା ଦୁର୍ନୀତି: ୯୧ ହଜାର ୭୦୦ ବହି କିଣା ନିଷ୍ପତ୍ତି ପଛରେ କିଏ?

ବାଲିଯାତ୍ରା ବହି କିଣା ନି‌ଷ୍ପତ୍ତି ଓ ପ୍ରକ୍ରିୟାକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି। ବାଲିଯାତ୍ରାର ମାତ୍ର ୧୨ ଦିନ ପୂର୍ବରୁ ଗୋଟିଏ ଟେଣ୍ଡର ଓ ବାଲିଯାତ୍ରାର ଠିକ୍‌ ଦୁଇ ଦିନ ପୂର୍ବରୁ ଆଉ ଗୋଟିଏ ଟେଣ୍ଡର ଜରିଆରେ ୯୧ ହଜାର ୭୦୦ ବହି କିଣି ଲୋକଙ୍କୁ ମାଗଣାରେ ବାଣ୍ଟିବା ଭଳି ଏକ ବଡ଼ ନିଷ୍ପତ୍ତି କିଏ ନେଲେ?

fhsfhhhf

Photograph: (Odisha TV)

କଟକ: ବାଲିଯାତ୍ରା ବହି କିଣା ନି‌ଷ୍ପତ୍ତି ଓ ପ୍ରକ୍ରିୟାକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି। ବାଲିଯାତ୍ରାର ମାତ୍ର ୧୨ ଦିନ ପୂର୍ବରୁ ଗୋଟିଏ ଟେଣ୍ଡର ଓ ବାଲିଯାତ୍ରାର ଠିକ୍‌ ଦୁଇ ଦିନ ପୂର୍ବରୁ ଆଉ ଗୋଟିଏ ଟେଣ୍ଡର ଜରିଆରେ ୯୧ ହଜାର ୭୦୦ ବହି କିଣି ଲୋକଙ୍କୁ ମାଗଣାରେ ବାଣ୍ଟିବା ଭଳି ଏକ ବଡ଼ ନିଷ୍ପତ୍ତି କିଏ ନେଲେ? ଲେଖକଙ୍କ ନାମ, ବହିର ନାମ ଓ କିଣା ଯିବାକୁ ଥିବା ବହିର ସଂଖ୍ୟା କିଏ ନିର୍ଦ୍ଧାରଣ କଲେ? ତାହାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠୁଛି। ୨୮ ଜଣ ଲେଖକଙ୍କର ୩୯ ଖଣ୍ଡ ବହିର ୯୧ ହଜାର ୭୦୦ କପି କିଣିବାକୁ ଟେଣ୍ଡର ଆହ୍ବାନ କରାଯାଇଥିଲା। ସେଥିରୁ ୫ ଜଣ ଲେଖକଙ୍କର ଦୁଇ ଖଣ୍ଡ ଲେଖାଏଁ, ଜଣେ ଲେଖକଙ୍କର ୪ ଖଣ୍ଡ ବହି ଏବଂ ବାକି ଲେଖକଙ୍କର ଖଣ୍ଡିଏ ଲେଖାଏଁ ବହି କିଣିବାକୁ ନିଷ୍ପତ୍ତି ହୋଇଥିଲା।    

ପୁସ୍ତକ କିଣା କମିଟିରେ ନଥିଲେ ବିଶିଷ୍ଟ ସାହିତ୍ୟିକ କି ପ୍ରକାଶକ
କୋଟିଏରୁ ଅଧିକ ଟଙ୍କା ଉଡ଼ାଇ ଦେବାକୁ ତରବର

ଜିଲ୍ଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁଙ୍କ କହିବା ଅନୁଯାୟୀ ପୁସ୍ତକ କିଣିବା ପାଇଁ ଏକ କମିଟି ଗଠନ ହୋଇଥିଲା। ଏହି କମିଟିର ଅଧ୍ୟକ୍ଷ ଥିଲେ ଏଡିଏମ୍ ଶିବ ଟପୋ। ବାଙ୍କୀ ଉପଜିଲ୍ଲାପାଳ ପ୍ରଣବ କୁମାର ବେହେରା ଏହାର ଆବାହକ ଥିବାବେଳେ ଜିଲ୍ଲା ସୂଚନା ଅଧିକାରୀ ଭବାନୀଶଙ୍କର ଭୂୟାଁ, ସହ ସୂଚନା ଅଧିକାରୀ ଅଭିରାମ ଦାସ, ଡମପଡ଼ା ତହସିଲଦାର ବୈଶାଖୀ ଲେଙ୍କା, ଜିଲ୍ଲା ଶିକ୍ଷା ଅଧିକାରୀ ନିତ୍ୟାନନ୍ଦ ବାରିକ, ଜିଲ୍ଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁ ପ୍ରମୁଖ ଏହାର ସଦସ୍ୟ ଥିଲେ। ସଂସ୍କୃତି ଅଧିକାରୀଙ୍କ ସୂଚନାରୁ ଏହା ସ୍ପଷ୍ଟ ଯେ କମିଟିରେ ବହି ପ୍ରକାଶନ ପ୍ରକ୍ରିୟାରେ ବିଶେଷ ଅଭିଜ୍ଞତା ଥିବା ଅଥବା ଓଡ଼ିଆ ଭାଷା ସାହିତ୍ୟରେ ବିଶେଷ ଦକ୍ଷତା ଥିବା କୌଣସି ବ୍ୟକ୍ତିଙ୍କୁ ସଂପୃକ୍ତ କରାଯାଇ ନଥିଲା। କେବଳ ପ୍ରଶାସନିକ ଅଭିଜ୍ଞତା ଥିବା ବ୍ୟକ୍ତିବିଶେଷଙ୍କୁ ନେଇ ଗଠିତ କମିଟି ବହି କିଣା ସଂପର୍କରେ ଅତି କମ୍‌ ସମୟ ଭିତରେ ନିଷ୍ପତ୍ତି ନେଇଗଲେ। ଓଡ଼ିଆ ଭାଷାରେ ପ୍ରକାଶିତ ସର୍ବାଧିକ ପଠିତ ବହି ଏଯାଏଁ କେତେ ଛପା ଯାଇଛି, ସେ ସଂପର୍କିତ ତଥ୍ୟ କମିଟିର ଥିଲା କି ନାହିଁ, ତାହା ଏବେ ସନ୍ଦେହରେ। କଟକ, ଭୁବନେଶ୍ବରରେ ଥିବା ଅତି ଆଧୁନିକ ପ୍ରିଣ୍ଟର ରାତିଦିନ ବହି ଛାପିଲେ ୫/୬ ଦିନ ଭିତରେ କେତେ ବହି ଛାପି ପାରିବେ, ସେ ତଥ୍ୟ ବି ବୋଧହୁଏ କମିଟିର ସଦସ୍ୟମାନଙ୍କର ନଥିଲା। ଯଦି ବହି ଅଥବା ବହିର ଲେଖକଙ୍କ ନାମ ଚୟନ କରି ଦିଆଗଲା, ତେବେ ତାହା ଯୋଗାଇବାର ଅଧିକାର କେବଳ ସେହି ବହିର ପ୍ରକାଶକଙ୍କର ରହିଛି। ପ୍ରକାଶକ ବହି ନ ଛାପିଲେ, ଏମାନେ ବହି ଦେବେ କେଉଁଠୁ? ଯଦି ପ୍ରକାଶକଙ୍କ ବିନା ଅନୁମତିରେ କେହି ବହି ଛାପି ଯୋଗାଏ, ତେବେ ତାହା ଯେ ବେଆଇନ, ଏକଥା ହୁଏତ କମିଟିର ସଦସ୍ୟଙ୍କୁ ଜଣା ନଥିଲା। 

ଅନେକ ପ୍ରକାଶକ ଏତେ ବହି ଯୋଗାଇବା ସମ୍ଭବ ନୁହେଁ ବୋଲି କହିଲେ। କିଛି ବ୍ୟକ୍ତି ଅନ୍ୟ ପ୍ରକାଶକଙ୍କ ବହି ଛାପି ଯୋଗାଇଲେ। ଏହାକୁ ନେଇ ବି ବିବାଦ ମୁଣ୍ଡ ଟେକିଛି। ଏଭଳି ତ୍ରୁଟିପୂର୍ଣ୍ଣ ଢଙ୍ଗରେ କୋଟିଏରୁ ଅଧିକ ଟଙ୍କା ଉଡ଼େଇ ଦେବାର ନିଷ୍ପତ୍ତି ବାଲିଯାତ୍ରା ଅନିୟମିତତାରେ ଆଉ ଏକ ଫର୍ଦ୍ଦ ଯୋଡ଼ି ଦେଇଛି। ପ୍ରଶାସନ ପକ୍ଷରୁ ଏବେ ସଫେଇ ଦିଆଯାଉଛି ଯେ ଯେତିକି ବହି କିଣାଯାଇଛି, ସେତିକି ଟଙ୍କା ଦିଆଯିବ। କିନ୍ତୁ ବାଲିଯାତ୍ରା ଭଳି ମେଳାରେ ମାଗଣା ବହି ବଣ୍ଟା ଯାଇଥିବାରୁ ଏହାର କୌଣସି ସ୍ବଚ୍ଛ ରେକର୍ଡ ମିଳିବା ସମ୍ଭବ କି ‌ବୋଲି  ପ୍ରଶ୍ନ ଉଠୁଛି। ଏ ପ୍ରସଙ୍ଗରେ ବିଶିଷ୍ଟ ଲେଖକ, ସ୍ତମ୍ଭକାର ଡକ୍ଟର ଗୋବିନ୍ଦ ଭୂୟାଁ କହିଛନ୍ତି ଯେ ଟିକସ ଲବ୍ଧ ଅର୍ଥର ବିନିଯୋଗରେ ଯେଉଁଭଳି ସ୍ବଚ୍ଛତା ରହିବା କଥା ଏଥିରେ ନଥିବା ସ୍ପଷ୍ଟ। ସରକାର ଏ କ୍ଷେତ୍ରରେ ପଦକ୍ଷେପ ନେବା ଆବଶ୍ୟକ ବୋଲି ଡକ୍ଟର ଭୂୟାଁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe