ଚିକିତ୍ସାଧୀନ ଅବସ୍ଥାରେ କଟକ ଏସସିବିରେ ବଳିଆର ପରଲୋକ

ଚିକିତ୍ସାଧୀନ ଅବସ୍ଥାରେ କଟକ ଏସସିବିରେ ବଳିଆର ପରଲୋକ

କଟକ : ବହୁଚର୍ଚ୍ଚିତ କନ୍ଧମା‌ଳର ଯୋଡାମୁଣ୍ଡ ଶିଶୁ ବଳିଆ ଶେଷରେ ଆଖିବୁଜିଛି। ଆଜି ରାତି ୯.୧୦ ମିନିଟରେ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ଘଟିଛି। ଏସ୍‌ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ଲୁସି ଦାସ ସୂଚନା ଦେଇଛନ୍ତି ଯେ ଭେଣ୍ଟିଲେଟରରେ ଥିବା ବଳିଆର ନିମୋନିଆ ଓ ସେପ୍ଟିସେମିଆ ହେତୁ ମୃତ୍ୟୁ ଘଟିଛି।

ଆଜି ହଠାତ ବଳିଆର  ଅବସ୍ଥା ସଙ୍କଟାପନ୍ନ ହୋଇପଡ଼ିଥିଲା । ଦୁଇଦିନ ହେଲା ବଳିଆକୁ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଥିବା ବେଳେ ତାର ହାତ, ଗୋଡ ସବୁ ଫୁଲି ଯାଇଥିଲା । ନିଶ୍ବାସ, ପ୍ରଶ୍ବାସ ଠିକ୍‌ରେ ଯାଉ ନଥିବାବେଳେ ଅବସ୍ଥା‌ ବିଗିଡିବାରେ ଲାଗିଥିଲା । ଏକ ସ୍ବତନ୍ତ୍ର ବିଶେଷଜ୍ଞ ଡାକ୍ତରୀଦଳ ଏସ୍‌ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ଲୁସି ଦାସଙ୍କ ନେତୃତ୍ବରେ ତାର ଚିକିତ୍ସା କରୁଥିଲେ । ୨୦୧୯ ସେପଟେମ୍ବରରେ ଦିଲ୍ଲୀ ଏମ୍ସରୁ  ଅସ୍ତ୍ରୋପଚାର ହୋଇ ଆସିବା ପରେ ଏସ୍‌ସିବିରେ ଚିକିତ୍ସିତ ହେଉଥିଲେ ଜଗା-ବଳିଆ। ନ୍ୟୁରୋସର୍ଜରୀ , ଶିଶୁରୋଗ ବିଭାଗ, ନିଶ୍ଚେତକ, ଇଏନ୍‌ଟି ତଥା ବିଭିନ୍ନ ବିଭାଗର ୧୪ଜଣିଆ ବିଶେଷଜ୍ଞ କମିଟି ଚିକିତ୍ସା କରୁଥିଲେ।

ଦିଲ୍ଲୀ ଏମ୍ସରୁ ଅଣାଯାଇ ୨୦୧୯, ସେପ୍ଟେମ୍ବର ୭ ତାରିଖରେ ଜଗା-ବଳିଆଙ୍କୁ ଏସ୍‌ସିବିରେ ଭର୍ତ୍ତି କରାଯାଇଥିଲା। ଆସିବା ଦିନଠାରୁ ଜଗା ପ୍ରାୟତଃ ସୁସ୍ଥ ରହିବା ସହ ୱାର୍ଡରେ ଖେଳାବୁଲା କରୁଥିଲା। କିନ୍ତୁ ବଳିଆ ଆସିବା ଦିନଠାରୁ ହିଁ ଶୋଇ ରହୁଥିଲା। ବାରମ୍ବାର ଜ୍ବର, ବାତ ମାରିବା ସହ ଆସିବା ଦିନଠାରୁ ବଳିଆକୁ ନାଜାଲ ଫିଡିଙ୍ଗ ଦିଆଯାଉଥିଲା। ତାର ସ୍ବାସ୍ଥ୍ୟବସ୍ଥାରେ ପ୍ରଥମରୁ ଉତ୍ସାହଜନକ ଉନ୍ନତି ଘଟୁନଥିଲା। ଫଳରେ ବିଭିନ୍ନ ସମୟରେ ବଳିଆକୁ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଇଥିଲା।

ଫୁଲବାଣୀ ଜିଲ୍ଲାର କନ୍ଧମାଳର ଫିରିଙ୍ଗିଆ ବ୍ଲକ୍‌ର ଭୂୟାଁ କହଁର ଓ ପୁଷ୍ପାଞ୍ଜଳିଙ୍କ ଏହି ଯୋଡାମୁଣ୍ଡ ଶିଶୁ ଜଗା-ବଳିଆ ୨୦୧୭  ଅକ୍ଟୋବର ୨୫ରେ ଦ୍ବତୀୟ ପର୍ଯ୍ୟାୟ ଅସ୍ତ୍ରୋପଚାର ପରେ ଅଲଗା ହୋଇଥିଲେ। ଦୀର୍ଘ ଦୁଇ ବର୍ଷ ପରେ ସୁସ୍ଥ ହୋଇ ଜଗା-ବଳିଆ ଓଡିଶା ଫେରିଥିଲେ। ହେଲେ ଘରକୁ ନଯାଇ ଉଭୟଙ୍କୁ କଟକ ବଡଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ସରକାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe