ବ‌ାଲିଆପାଳରେ ବର୍ତ୍ତିଗଲା ବସ୍‌, ବସ୍‌ରେ ଥିଲେ ୬୦ ଯାତ୍ରୀ

Advertisment

ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର କୁଳପତି ବି ଥିଲେ

ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର କୁଳପତି ବି ଥିଲେ

ବ‌ାଲିଆପାଳରେ ବର୍ତ୍ତିଗଲା ବସ୍‌, ବସ୍‌ରେ ଥିଲେ ୬୦ ଯାତ୍ରୀ

ବାଲିଆପାଳ: ରବିବାର ପୂର୍ବାହ୍ନରେ ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ୍‌ର ଡଗରା ବେଳାଭୂମିକୁ ପିକନିକ୍‌ ପାଇଁ ଆସିଥିବା ଏକ ଟୁରିଷ୍ଟ ବସ୍‌ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିବା ବେଳେ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ୬୦ରୁ ଉର୍ଦ୍ଧ୍ବ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ସୂଚନା ମୁତାବକ, ବାରିପଦାରୁ ‘ଦାସ’ ନାମକ ଏକ ଘରୋଇ ବସ୍‌ (ଓଆର୍‌୧୧ଏଲ-୦୩୩୯)ରେ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର କୁଳପତି ପି.କେ.ଚାନ୍ଦଙ୍କ ସମେତ କିଛି କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟ ଡଗରା ବେଳାଭୂମିକୁ ପିକନିକ୍‌ ପାଇଁ ଆସିଥିଲେ। ବାଲିଆପାଳଠାରୁ ୧୨ କିମି ଦୂର ଡଗରା ହାଇସ୍କୁଲ ଛକ ନିକଟରେ ରାସ୍ତା ଉପରେ ଝୁଲି ରହିଥିବା ୧୧ କେଭି ବିଦ୍ୟୁତ ତାରରେ ବସ୍‌ଟି ଲାଗିଯାଇଥିଲା। ବିଦ୍ୟୁତ୍‌ ଝଟକା ଲାଗିବା ଯୋଗୁଁ ବସ୍‌ ଯାତ୍ରୀମାନେ ଚିତ୍କାର କରିଥିଲେ। ବସ୍‌ ଚାଳକ ଏହା ଜାଣିପାରି ତତ୍‌କ୍ଷଣାତ ଗାଡ଼ିକୁ ପଛକୁ ଗଡ଼ାଇବା ଫଳରେ ଯାତ୍ରୀମାନେ ଏକ ବଡ଼ଧରଣର ବିପଦରୁ ବର୍ତ୍ତି ଯାଇଥିଲେ। ତେବେ ବସ୍‌ଟି ବ୍ୟାକ୍ କରିବାବେଳେ ପଛରେ ଥିବା ଏକ ବାଇକ୍‌ (ଓଡି୦୧ବି-୨୧୬୬) ଉପରେ ଚଢିଯାଇଥିଲା। ଫଳରେ ବାଇକ୍ ଚାଳକଙ୍କ ସହ ଦୁଇଜଣ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ବାଇକ୍‌ ଆରୋହୀଙ୍କ ସମେତ ବସ୍‌ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। ବାଇକ୍‌ ଆରୋହୀ ଲକ୍ଷ୍ମୀଧର ବାରିକ ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ନେଇ ସେଠାରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ବିଦ୍ୟୁତ ବିଭାଗର ଖାମଖିଆଲ କାର୍ଯ୍ୟ ଯୋଗୁଁ ଏଭଳି ଅଘଟଣ ଘଟିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବାରମ୍ବାର ଦୃଷ୍ଟି ଆକର୍ଷଣ ସତ୍ତ୍ବେ ବିଦ୍ୟୁତ ବିଭାଗ ଝୁଲି ରହିଥିବା ତାରକୁ ଉପରକୁ ଟେକିନଥିଲା। ଏହି ଘଟଣା ପରେ ବିଭାଗୀୟ କର୍ମଚାରୀମାନେ ସଙ୍ଗେ ସଙ୍ଗେ ସେଠାରେ ଖୁଣ୍ଟ ପୋତି ଓହଳିଥିବା ବିଦ୍ୟୁତ ତାରକୁ ଉପରକୁ ଟେକିଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe