ବଳିଆର ସ୍ବାସ୍ଥ୍ୟବସ୍ଥା ଗୁରୁତର, ଏସସିବିରେ ଚାଲିଛି ଚିକିତ୍ସା

Advertisment
ବଳିଆର ସ୍ବାସ୍ଥ୍ୟବସ୍ଥା ଗୁରୁତର, ଏସସିବିରେ ଚାଲିଛି ଚିକିତ୍ସା

କଟକ : ବହୁଚର୍ଚ୍ଚିତ କନ୍ଧମା‌ଳର ଯୋଡାମୁଣ୍ଡ ଶିଶୁ ବଳିଆର ଅବସ୍ଥା ସଙ୍କଟାପନ୍ନ। ଦୁଇଦିନ ହେଲା ବଳିଆକୁ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଥିବାବେଳେ ତାର ହାତ, ଗୋଡ ସବୁ ଫୁଲି ଯାଇଛି। ନିଶ୍ବାସ, ପ୍ରଶ୍ବାସ ଠିକ୍‌ରେ ଯାଉନଥିବା ବେଳେ ଅବସ୍ଥା‌ ବିଗିଡିବାରେ ଲାଗିଛି। ଫଳରେ ତାର ଚିକିତ୍ସା ପାଇଁ ସ୍ବତନ୍ତ୍ର ବିଶେଷଜ୍ଞ ଡାକ୍ତରୀଦଳ ଲାଗିଥିବା ଏସ୍‌ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ଲୁସି ଦାସ ସୂଚନା ଦେଇଛନ୍ତି। କିନ୍ତୁ ଅବସ୍ଥା ଗୁରୁତର ଆଡକୁ ଗତି କରୁଥିବା ସେ କହିଛନ୍ତି। ଦୀର୍ଘ୧୨ମାସ ହେଲା ଦିଲ୍ଲୀ ଏମ୍ସରୁ  ଅସ୍ତ୍ରୋପଚାର ପରେ ଆସିଏସ୍‌ସିବିରେ ଚିକିତ୍ସିତ ହେଉଥିଲେ ଜଗା-ବଳିଆ। ନ୍ୟୁରୋସର୍ଜରୀ , ଶିଶୁରୋଗ ବିଭାଗ, ନିଶ୍ଚେତକ, ଇଏନ୍‌ଟି ତଥା ବିଭିନ୍ନ ବିଭାଗର ୧୪ଜଣିଆ ବିଶେଷଜ୍ଞ କମିଟି ଚିକିତ୍ସାରେ ଲାଗିଛନ୍ତି।

ଦିଲ୍ଲୀରୁ ଏମ୍ସରୁ ଆସି ଏସସିବିରେ ୨୦୧୯, ସେପ୍ଟେମ୍ବର ୭ ତାରିଖରେ ଜଗା-ବଳିଆଙ୍କୁ ଏସ୍‌ସିବିରେ ଭର୍ତ୍ତି କରାଯାଇଥିଲା। ଆସିବା ଦିନଠାରୁ ଜଗା ପ୍ରାୟତଃ ସୁସ୍ଥ ରହିବା ସହ ୱାର୍ଡରେ ଖେଳାବୁଲା କରୁଥିଲା। କିନ୍ତୁ ବଳିଆ ଆସିବା ଦିନଠାରୁ ହିଁ ଶୋଇ ରହୁଥିଲା। ବାରମ୍ବାର ଜ୍ବର, ବାତ ମାରିବା ସହ ଆସିବା ଦିନଠାରୁ ବଳିଆକୁ ନାଜାଲ ଫିଡିଙ୍ଗ ଦିଆଯାଉଥିଲା। ତାର ସ୍ବାସ୍ଥ୍ୟବସ୍ଥାରେ ପ୍ରଥମରୁ ଉତ୍ସାହଜନକ ଉନ୍ନତି ଘଟୁନଥିଲା। ଫଳରେ ବିଭିନ୍ନ ସମୟରେ ବଳିଆକୁ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଇଥିଲା। ତେବେ ଦୁଇ ଦିନ ହେଲା ବଳିଆର ଅବସ୍ଥା ଅଧିକ ସଙ୍କଟାପନ୍ନ ଥିବାରୁ ତାକୁ ‌ଭେଣ୍ଟିଲେଟରରେ  ଭର୍ତ୍ତି କରାଯାଇଛି। ବଳିଆର ହାତ, ଗୋଡ ସବୁ ଫୁଲିଯାଇଥିବାବେଳେ  ଏସ୍‌ସିବିର  ପକ୍ଷରୁ ଏକ ସ୍ବତନ୍ତ୍ର ବିଶେଷଜ୍ଞ ଟିମ୍‌ ତାର ଚିକିତ୍ସାରେ ଲାଗିପଡିଛନ୍ତି।

ଫୁଲବାଣୀ ଜିଲ୍ଲାର କନ୍ଧମାଳର ଫିରିଙ୍ଗିଆ ବ୍ଲକ୍‌ର ଭୂୟାଁ କହଁର ଓ ପୁଷ୍ପାଞ୍ଜଳିଙ୍କ ଏହି ଯୋଡାମୁଣ୍ଡ ଶିଶୁ ଜଗା-ବଳିଆ ୨୦୧୭ ଅକ୍ଟୋବର ୨୫ରେ ଦ୍ବତୀୟ ପର୍ଯ୍ୟାୟ ଅସ୍ତ୍ରୋପଚାର ପରେ ଅଲଗା ହୋଇଥିଲେ। ଦୀର୍ଘ ଦୁଇ ବର୍ଷ ପରେ ସୁସ୍ଥ ହୋଇ ଜଗା-ବଳିଆ ଓଡିଶା ଫେରିଥିଲେ। ହେଲେ ଘରକୁ ନଯାଇ ଉଭୟଙ୍କୁ କଟକ ବଡଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ସରକାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe