୨୪ରେ ତ୍ରିବେଣୀ ବୁଡ଼, ଅବହେଳିତ ହୋଇପଡ଼ିଛି ଐତିହାସିକ ପ୍ରାଚୀନଦୀ

Advertisment

ଆନ୍ଦୋଳନ କରିବେ ଜନ ସାଧାରଣ

ଆନ୍ଦୋଳନ କରିବେ ଜନ ସାଧାରଣ

୨୪ରେ ତ୍ରିବେଣୀ ବୁଡ଼, ଅବହେଳିତ ହୋଇପଡ଼ିଛି ଐତିହାସିକ ପ୍ରାଚୀନଦୀ

ବାଲିପାଟଣା,: ଆସନ୍ତା ୨୪ ତାରିଖ ତ୍ରିବେଣୀ ଅମବାସ୍ୟା। ଏହି ଦିନ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ତ୍ରିବେଣୀ ବୁଡ଼ ପକାଇବେ। ମାତ୍ର ନଦୀରେ ପାଣି ନାହିଁ। ଅବହେଳିତ ହୋଇପଡ଼ିଛି ଐତିହାସିକ ପ୍ରାଚୀନଦୀ।

ବାଲିପାଟଣା ଥାନା ଭାପୁର ପଞ୍ଚାୟତର ତ୍ରିବେଣୀଶ୍ବର ମହାଦେବଙ୍କ ମନ୍ଦିର ପାଖରେ ଅଛି ତ୍ରିବେଣୀ ଘାଟ ଓ ଅନ୍ତର୍ବେଦୀ ପୀଠ। କେଉଁ ପ୍ରାଚୀନ କାଳରୁ ପ୍ରାଚୀନଦୀ କୂଳରେ ଏହା ଅବସ୍ଥାପିତ ବୋଲି କିମ୍ବଦନ୍ତୀରୁ ଜଣାପଡ଼େ। ପ୍ରାଚୀନଦୀ କୂଳରେ ଅନେକ ଶୈବପୀଠ ସହ ଦେବଦେବୀଙ୍କ ମନ୍ଦିର ମଧ୍ୟ ରହିଛି। ଏହି ନଦୀର ପୁନରୁଦ୍ଧାର ନ ହେବାରୁ ଏବେ ପ୍ରାୟ ଶୁଷ୍କ ପଡୁଛି। ୧୯୯୩ ମସିହାରେ ଶେଷଥର ପାଇଁ ନଦୀରେ ବନ୍ୟା ଆସିଥିବା ଶୁଣିବାକୁ ମିଳେ। ସରକାରଙ୍କ ଦୃଷ୍ଟି ନ ପଡ଼ିବାରୁ ଐତିହାସିକ ପୁଣ୍ୟତୋୟା ପ୍ରାଚୀ ନଦୀ ଏବେ ଅବହେଳିତ ହୋଇ ପଡ଼ିଛି। ଗଙ୍ଗାଠାରୁ ପ୍ରାଚୀ ନଦୀ ୧୦୦ ବର୍ଷ ବଡ଼ ବୋଲି ସାଧୁସନ୍ଥଙ୍କ ଠାରୁ ଶୁଣିବାକୁ ମିଳେ। କିମ୍ବଦନ୍ତୀରୁ ଜଣାପଡ଼େ ଏହି ପବିତ୍ର ଅନ୍ତର୍ବେଦୀ ପୀଠରେ ଥିବା ଶିଆଳି ଲତାରେ ଭଗବାନ ଶ୍ରୀକୃଷ୍ଣ ବିଶ୍ରାମ କରୁଥିବା ସମୟରେ ଜରା ଶବର ଶରବିଦ୍ଧ କରିଥିଲା। ସେହି ଶିଆଳି ଲତା ଏବେ ବି ରହିଛି। ମହଣ ମହଣ ଘିଅ ଆହୁତି ହୋଇ ଯଜ୍ଞ କରାଯାଉଥିବା ସମ୍ପର୍କରେ ମଧ୍ୟ ନଦୀ ପଠାରେ ପୋତା ଯାଇଥିବା ଜୁପ ପଥର ପ୍ରମାଣ ଦିଏ। ପୀଠଠାରୁ ଅଳ୍ପ ଦୂରରେ ଏହି ନଦୀ ପଠାରେ ଅଛି ପାଣ୍ତବ କୁଦ ମଠ। ପାଣ୍ତବ ମାନେ ବନବାସ ସମୟରେ ପାଣ୍ତବ କୁଦ ମଠରେ କିଛି ଦିନ ବାସ କରିଥିବା ଶୁଣିବାକୁ ମିଳେ। ପୂର୍ବରୁ ପ୍ରାଚୀନଦୀ ଚିରସ୍ରୋତା ଥିବା ବେଳେ ସ୍ଥାନୀୟ ଅଞ୍ଚଳର ସାଧବ ପୁଅମାନେ ବୋଇତ ଦ୍ବାରା ସମୁଦ୍ର ପଥରେ ଜାଭା, ସୁମାତ୍ରା ଭଳି ଅନେକ ଦେଶକୁ ବାଣିଜ୍ୟ ନିମନ୍ତେ ଯାଉଥିଲେ। ଉକ୍ତ ପୀଠର ସମ୍ପତ୍ତି ପୁରୀ ଶ୍ରୀଜଗନ୍ନାଥ ଟ୍ରଷ୍ଟ ଅଧୀନରେ ରହିଛି। ପ୍ରତ୍ୟେକ ବର୍ଷ ମଠ ପରିଚାଳନା କମିଟିର ସଦସ୍ୟଙ୍କ ଦ୍ବାରା ଟ୍ରଷ୍ଟ ନିକଟରେ ଖଜଣା ପୈଠ କରାଯାଇଥାଏ। ଏହି ଘାଟରେ ବର୍ଷସାରା ଭକ୍ତଙ୍କ ଭିଡ଼ ଲାଗେ। ଶ୍ରାବଣ ମାସରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ବୋଲବମ୍ ପାଣି ନେଇ ବିଭିନ୍ନ ଶୈବପୀଠକୁ ଜଳଲାଗି କରିବା ନିମନ୍ତେ ଯାଆନ୍ତି। କାର୍ତ୍ତିକ ମାସରେ ଶତାଧିକ ମହିଳା ହବିଷ ମଧ୍ୟ କରିଥାନ୍ତି। ବିବାହ, ବ୍ରତ, ଶ୍ରାଦ୍ଧ, ମହାଳୟା ଓ ପିତୃ ପୁରୁଷଙ୍କ ଅସ୍ତି ବିସର୍ଜନ ମଧ୍ୟ ହୋଇଥାଏ। ଭାରତ ସରକାରଙ୍କ ଦ୍ବାରା ଗଙ୍ଗା ନଦୀର ପୁନରୁଦ୍ଧାର କରାଯାଉଥିବା ବେଳେ ଓଡ଼ିଶାର ଏହି ଐତିହାସିକ ପୂଣ୍ୟତୋୟା ପ୍ରାଚୀ ନଦୀ ଖନନ କରାଯାଇ ପୁନରୁଦ୍ଧାର କରାଯିବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe