ବଲ୍ଲେ ବଲ୍ଲେ ଢାବା ଓ କୁସୁମା ବଙ୍ଗଳା ବିବାଦ: ଶାସକଙ୍କୁ ସୁରକ୍ଷା ଦେବାକୁ ଯାଇ ପ୍ରଶାସକ ଅଡ଼ୁଆରେ

ବଲ୍ଲେ ବଲ୍ଲେ ଢାବା ଓ କୁସୁମା ବଙ୍ଗଳା ବିବାଦ: ଶାସକଙ୍କୁ ସୁରକ୍ଷା ଦେବାକୁ ଯାଇ ପ୍ରଶାସକ ଅଡ଼ୁଆରେ

ଯାଜପୁର: ଧର୍ମଶାଳା ଭବନ ପରିସରରେ ଥିବା ବଲ୍ଲେ ବଲ୍ଲେ ଢାବା ଓ କୁସୁମାର ବିଳାସପୂର୍ଣ୍ଣ ବଙ୍ଗଳାକୁ ନେଇ ବିବାଦ ଥମୁନି। ଉଭୟ ପ୍ରସଙ୍ଗରେ ଶାସକଙ୍କୁ ସୁରକ୍ଷା ଦେବାକୁ ଉଦ୍ୟମ କରି ପ୍ରଶାସକମାନେ ମିଛ କହିଛନ୍ତି। ବଲ୍ଲେ ବଲ୍ଲେ ଢାବା ସମ୍ପର୍କରେ ପୂର୍ବତନ ଲିଜଧାରୀ ହେମନ୍ତ ଜେନାଙ୍କ ବୟାନ ପ୍ରଶାସନକୁ ବିବାଦରେ ଛନ୍ଦିଥିବା ବେଳେ ସ୍ବତନ୍ତ୍ର ଶ୍ରେଣୀ ଠିକାଦାର ଅକ୍ଷୟ ନାୟକଙ୍କ ଦ୍ବାରା ଢାବା ପରିଚାଳିତ ହେଉଥିଲା ବୋଲି ତାଙ୍କ ଓକିଲ କହୁଛନ୍ତି।

ଧର୍ମଶାଳା ଭବନକୁ ୨୦୧୬ରୁ ୨୦୨୧ ପର୍ଯ୍ୟନ୍ତ ହେମନ୍ତ ଜେନା ବାର୍ଷିକ ୫ଲକ୍ଷ ୭୦ହଜାର ଟଙ୍କାରେ ଲିଜ୍ ନେଇଥିଲେ। ସେତେ‌ବେଳେ ଧର୍ମଶାଳା ଭବନ ଏକ ମହଲା କୋଠା ଥିଲା। କରୋନା ସମୟରେ ୨ବର୍ଷ ପ୍ରାୟ ସମସ୍ତ ଉତ୍ସବ ବନ୍ଦ ଥିବା ବେଳେ ସ୍ଥାନୀୟ ଲୋକେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଏହି ଭବନରେ କରିବା ପାଇଁ ସ୍ବଳ୍ପ ଟଙ୍କା ଦେଉଥିଲେ। ଧର୍ମଶାଳା ଭବନ ବିକାଶ ପାଇଁ ଶ୍ରୀ ଜେନା ଖାଲ ଜମିକୁ ପୋତିବା ଠାରୁ ଆରମ୍ଭ କରି ବିଭିନ୍ନ କାମ କରିଥିଲେ। ଏଥି ପାଇଁ ଲିଜ୍ ମୂଲ୍ୟ ହ୍ରାସ କରିବାକୁ ଶ୍ରୀ ଜେନା ବ୍ଲକ୍ ପ୍ରଶାସନ ନିକଟରେ ଦାବି କରିଥିଲେ। ପର୍ଯ୍ୟାୟ କ୍ରମେ ଧର୍ମଶାଳା ଭବନ ତିନି ମହଲା ହେବା ସହିତ ବଲ୍ଲେ ବଲ୍ଲେ ଢାବା ନିର୍ମାଣ କରାଗଲା। ଭବନ ବାବଦ ୫ଲକ୍ଷ ୩୨ହଜାର ଟଙ୍କା ବକେୟା ଥିବା ଦର୍ଶାଇ ଶ୍ରୀ ଜେନାଙ୍କ ଲିଜକୁ ରଦ୍ଦ କରିଦିଆଗଲା। ଏହାପରେ ବିଜେଡି ନେତା ତଥା ସ୍ବତନ୍ତ୍ର ଶ୍ରେଣୀ ଠିକାଦାର ଅକ୍ଷୟ ନାୟକଙ୍କୁ ବଲ୍ଲେ ବଲ୍ଲେ ଢାବା ସହିତ ଧର୍ମଶାଳା ଭବନକୁ ବାର୍ଷିକ ୪ଲକ୍ଷ ୫୦ହଜାର ଙ୍କାରେ ଲିଜ୍‌ ଦିଆଗଲା କିପରି ବୋଲି ଶ୍ରୀ ଜେନା ପ୍ରଶ୍ନ କରିଛନ୍ତି। ବଲ୍ଲେ ବଲ୍ଲେ ଢାବା ପ୍ରସଙ୍ଗ ‘ସମ୍ବାଦ’ରେ ଜୁନ୍‌ ୨୮ତାରିଖରେ ପ୍ରକାଶ ପାଇବାରୁ ଧର୍ମଶାଳା ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ ଏହାକୁ ବେଆଇନ୍ ବୋଲି ଦର୍ଶାଇ ସିଲ୍ କରିଦେଲେ। ସମ୍ପୃକ୍ତ ବ୍ୟକ୍ତିଙ୍କୁ ସୁରକ୍ଷା ଦେବା ପାଇଁ ନୋଟିସ୍‌ରେ କାହାରି ନାମ ନଦର୍ଶାଇ ସାମଗ୍ରୀ ନେଇଯିବାକୁ ନିର୍ଦ୍ଦେଶ ଦେଲେ। ଢାବାରୁ କିଏ ସାମଗ୍ରୀ ନେଲା ସେ ସଂପର୍କରେ କେହି ମୁହଁ ଖୋଲିଲେନି।

ଅଭିନେତ୍ରୀ ଏଲିନା ଦାସ ଏହି ଢାବା ଚଳାଉଥିଲେ ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଥିବା ବେଳେ ଏହାକୁ ନେଇ ସେ ହାଇକୋର୍ଟରେ କେସ୍ କରିବା ସହ ଢାବା ସହିତ କୌଣସି ସମ୍ପର୍କ ନାହିଁ ବୋଲି କହିଥିଲେ। ବର୍ତ୍ତମାନ ଲିଜଧାରୀ ଅକ୍ଷୟ ନାୟକ ଦାବି କରୁଛନ୍ତି ଧର୍ମଶାଳା ଭବନ ସହିତ ‌ବଲ୍ଲେ ବଲ୍ଲେ ଢାବା ସେ ନିଜେ ପରିଚାଳନା କରୁଥିଲେ। ତେବେ ଢାବା ସିଲ୍ ସମୟରେ ସେ କାହିଁକି ଚୁପ୍‌ ରହିଥିଲେ ବୋଲି ପ୍ରଶ୍ନ ଉଠୁଛି। ପୂର୍ବାପେକ୍ଷା କମ୍‌ ଦରରେ ଲିଜ୍‌ ଦେବା ଓ ନୋଟିସରେ କାହାରି ନାମ ଉଲ୍ଲେଖ ନକରିବାକୁ ନେଇ ବିଡିଓ ଶ୍ରୀ ବଳ ବିବାଦ ଘେରକୁ ଟାଣି ହୋଇଛନ୍ତି। ସେହିପରି କୁସୁମାର ବିବାଦୀୟ ବଙ୍ଗଳା ମାମଲାରେ ପୌର ଅଧିକାରୀ ଅନିଲ କୁମାର ମହାନ୍ତି କହିଥିଲେ ଯେ ତାଙ୍କର କୌଣସି ସମ୍ପର୍କ ନାହିଁ। ସେମାନେ କେବଳ ଜମି ଦେଇଛନ୍ତି। ତେବେ ନିର୍ବାଚନ ବେଳେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ କିପରି ପର୍ଯ୍ୟବେକ୍ଷକଙ୍କୁ ରହିବାକୁ ଶ୍ରୀ ମହାନ୍ତି ଅନୁମତି ଦେଇଥିଲେ ବୋଲି ପ୍ରଶ୍ନ ଉଠୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe