କେନ୍ଦ୍ରମନ୍ତ୍ରୀଙ୍କ ଧାରଣା‌ ପରେ ବଦଳିଲା ଚିତ୍ର : ବାଲେଶ୍ୱର ମେଡିକାଲରୁ ପୁରୁଣା ବେଡ୍‌ସିଟ୍‌ ହଟିଲା

ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

କେନ୍ଦ୍ରମନ୍ତ୍ରୀଙ୍କ ଧାରଣା‌ ପରେ ବଦଳିଲା ଚିତ୍ର : ବାଲେଶ୍ୱର ମେଡିକାଲରୁ ପୁରୁଣା ବେଡ୍‌ସିଟ୍‌ ହଟିଲା

ବାଲେଶ୍ୱର/ଭୁବନେଶ୍ୱର : ‘ସରକାରୀ ତହବିଲରୁ ମୋଟା ଅଙ୍କର ଦରମା ନେଉଛନ୍ତି। ଯଦି ନିଜ ନିଜର କାମ କେହି କରିବେନି ତାହେଲେ ଲୋକଙ୍କୁ ଆମେ କି ଉତ୍ତର ଦେବୁ। ଦରକାର ପଡ଼ିଲେ ମନ୍ତ୍ରୀପଦ ଛାଡ଼ି ଦେବିପଛେ, ଜନସାଧାରଣଙ୍କ ସ୍ବାର୍ଥ ବିରୋଧରେ କେବେ ସାଲିସ୍‌ କରି ପାରିବିନି।’ ବାଲେଶ୍ବର ବଡ଼ ଡାକ୍ତରଖାନାର ବିଭିନ୍ନ ଅବ୍ୟବସ୍ଥାକୁ ନେଇ ବୁଧବାର ରାତିରେ ଡାକ୍ତରଖାନା ପରିସରରେ ଧାରଣା‌ରେ ବସି ଜିଲ୍ଲା ପ୍ରଶାସନକୁ ଅଡୁଆରେ ପକାଇଥିବା କେନ୍ଦ୍ର ସରକାରଙ୍କ କ୍ଷୁଦ୍ର ଅଣୁ ଶିଳ୍ପ ବିଭାଗ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆଗକୁ ଆହୁରି କଠୋର ହେବେ ବୋଲି ସୂଚନା ଦେଇଛନ୍ତି। ସରକାରୀ କଳର ବ୍ୟବସ୍ଥାଗତ ତ୍ରୁଟି ପାଇଁ ଲୋକେ କାହିଁକି ସମସ୍ୟା ଭୋଗିବେ ବୋଲି ଶ୍ରୀ ଷଡ଼ଙ୍ଗୀ ପ୍ରଶ୍ନ କରି ଜିଲ୍ଲାପାଳଙ୍କଠୁ ଆରମ୍ଭ କରି ବଡ଼ଡାକ୍ତରଖାନାର ଅଧୀକ୍ଷକ, ମୁଖ୍ୟ ଚିକିତ୍ସାଧିକାରୀ ସମସ୍ତଙ୍କୁ କଡ଼ାଭାଷାରେ ଭର୍ତ୍ସନା କରିଛନ୍ତି। ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଡାକ୍ତରଖାନା
କର୍ତ୍ତୃପକ୍ଷ ଷ୍ଟକରୁମ୍‌ରେ ସଫା ହୋଇ ଓ ସମ୍ପୂର୍ଣ୍ଣ ନୂଆ ରହିଥିବା ବେଡ୍‌ସିଟ୍‌ଗୁଡ଼ିକ ରୋଗୀଙ୍କୁ ଦେବା ପରେ ଗତ ରାତି ପ୍ରାୟ ସାଢ଼େ ୧୨ଟା ବେଳେ ଶ୍ରୀ ଷଡ଼ଙ୍ଗୀ ଧାରଣାରୁ ଉଠିଥିଲେ। ଅନ୍ୟପକ୍ଷରେ, ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅବ୍ୟବସ୍ଥା ନେଇ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରିବାକୁ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ବାଲେଶ୍ବର ବଡ଼ ଡାକ୍ତରଖାନାକୁ ଗତ ୩୧ ତାରିଖରେ ଯାଜପୁର ଜିଲ୍ଲାର ଗଙ୍ଗାଧର ସାହୁ ନାମକ ଜଣେ ରୋଗୀ ଅପରେସନ୍‌ ପାଇଁ ଆସିଥିବା ବେଳେ ତାଙ୍କୁ ଟଙ୍କା ମଗାଯାଇଥିଲା। ଏମିତିକି ତାଙ୍କ କ୍ଲିନିକକୁ ଯାଇ ଅପରେସନ୍‌ ହେବାକୁ କହିଥିଲେ ଡାକ୍ତର। ତେବେ ତାଙ୍କ ପାଖରେ ଏତେ ଅର୍ଥ ନାହିଁ କହି ଶ୍ରୀ ସାହୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀଙ୍କର ସହାୟତା ଲୋଡ଼ିଥିଲେ। ପରେ ମନ୍ତ୍ରୀଙ୍କ ଜରିଆରେ ଶ୍ରୀ ସାହୁଙ୍କର ଗତକାଲି ଅପରେସନ୍‌ ହୋଇଥିଲା। ରାତି ପ୍ରାୟ ସାଢ଼େ ୯ଟା ବେଳେ ମନ୍ତ୍ରୀ ଡାକ୍ତରଖାନାରେ ପହଞ୍ଚିବା ପରେ ରୋଗୀଙ୍କର ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ସେମାନଙ୍କ ପରିବାର ଲୋକଙ୍କୁ ପଚାରି ବୁଝିଥିଲେ। ରୋଗୀମାନେ ମନ୍ତ୍ରୀଙ୍କୁ ଡାକ୍ତରଖାନାର ଯାବତୀୟ ଅବ୍ୟବସ୍ଥା ସମ୍ପର୍କରେ ଅବଗତ କରିବା ସହ ଡାକ୍ତର ଓ ନର୍ସମାନଙ୍କର ଦୁର୍ବ୍ୟବହାର, ଶୋଷଣ ସମ୍ପର୍କରେ ଅଭିଯୋଗ ବାଢ଼ିବା ସହ ତଥ୍ୟପ୍ରମାଣ ବି ଦେଇଥିଲେ। ଏପରିକି ଆଡ୍‌ମିସନ୍‌ ହୋଇଥିବା ରୋଗୀମାନଙ୍କୁ ପ୍ରତିଦିନ ଗୋଟିଏ ଲେଖା ବେଡ୍‌ସିଟ୍‌ ଦେବାର ବ୍ୟବସ୍ଥା ଥିବାବେଳେ ରକ୍ତପୂଜ ଲାଗିଥିବା ଅପରିଷ୍କାର ତଥା ସଂକ୍ରିମତ ବେଡ୍‌ସିଟ୍‌ ପ୍ରଦାନ କରାଯାଉଥିବା ଭଳି ଗୁରୁତର ଅଭିଯୋଗ ହୋଇଥିଲା। ନିଜେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ଏହା ଦେଖିବା ପରେ ସିଡିଏମ୍‌ଓ ଡା.ବାନାର୍ଜୀ ପ୍ରସାଦ ଛୋଟରାୟ ଓ ମେଡିକାଲ କଲେଜ ହସ୍ପିଟାଲ ସୁପରିନ୍‌ଟେଣ୍ଡେଣ୍ଟ ଡା. ସୁଧୀର କୁମାର ଘୋଷଙ୍କୁ ଡକାଇ ତାଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ମାତ୍ର ୱାସିଂ ମେସିନ୍‌ ଖରାପ ଥିବାରୁ ଦାୟିତ୍ବରେ ଥିବା ଠିକାସଂସ୍ଥା ଆବଶ୍ୟକ ପରିମାଣର ବେଡ୍‌ସିଟ୍‌ ଯୋଗାଇ ପାରିନଥିବା ଦୁହେଁ ସଫେଇ ଦେଇଥିଲେ। ଯେଉଁଥିରେ ତୀବ୍ର ପ୍ରତିକ୍ରିୟାଶୀଳ ହୋଇ ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ଡାକ୍ତରଖାନା ପରିସର ସର୍ଜରୀ ୱାର୍ଡ ସମ୍ମୁଖରେ ଧାରଣାରେ ବସିଯାଇଥିଲେ। ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ଷ୍ଟକ୍‌ରୁମରୁ ସଫା ଓ ନୂଆ ବେଡ୍‌ସିଟ୍‌ ଆଣି ରୋଗୀଙ୍କୁ ଦେବା ପରେ ଶ୍ରୀ ଷଡ଼ଙ୍ଗୀ ଧାରଣାରୁ ଓହରିଥିଲେ।

‌କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ଏ ସମ୍ପର୍କରେ କହିଛନ୍ତି, ପ୍ରବଳ ଜାଡ଼ରେ ଖୋଲା ଆକାଶ ତଳେ ସେ ଧାରଣାରେ ବସିବାକୁ ବାଧ୍ୟ ହେଲେ। ଡାକ୍ତରଖାନାର ଅବ୍ୟବସ୍ଥା ସଂପର୍କରେ ‌ପୂର୍ବରୁ ସେ ଅନେକଥର ଜିଲ୍ଲାପାଳ ଓ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି। ହେଲେ ଖାଲି ସୋବାଜି (ଦେଖାଣିଆବାଜି) ଚାଲିଛି ସିନା, ରୋଗୀମାନେ କଲବଲ ହେଉଛନ୍ତି। ଜାଣିଶୁଣି ସମସ୍ତେ ଦାୟିତ୍ବହୀନ କାରବାର କରୁଛନ୍ତି। ଜିଲ୍ଲାର ପ୍ରଶାସନିକ ମୁଖ୍ୟ ଭାବରେ ଜିଲ୍ଲାପାଳ ଯଦିଓ ଏଠାକୁ ଆସୁଛନ୍ତି, ତାହା କେବଳ ଔପଚାରିକତା ଦୃଷ୍ଟିରୁ। ସିଡିଏମ୍‌ଓ, ସୁପରିନ୍‌ଟେଣ୍ଡେଣ୍ଟ ଆଦୌ ୱାର୍ଡ ଭ୍ରମଣରେ ଯାଉନାହାନ୍ତି। ଡାକ୍ତର ଓ ନର୍ସମାନେ ସେବା ବଦଳରେ ରୋଗୀମାନଙ୍କୁ ଲୁଟୁଛନ୍ତି। ସବୁଠୁ ଦୁର୍ଭାଗ୍ୟପୂର୍ଣ୍ଣ କଥା ହେଉଛି, ହସ୍‌ପିଟାଲ ମ୍ୟାନେଜର ଭାବେ ଯିଏ ଅଛନ୍ତି ସେ ଯେତେ ବେଆଇନ୍‌ କାମ କଲେ ବି ତାଙ୍କୁ ସୁରକ୍ଷା ଦିଆଯାଉଛି। ଠିକାଦାରଙ୍କ ନିୟନ୍ତ୍ରଣରେ ଚାଲିଛି ବାଲେଶ୍ବର ବଡ଼ ଡାକ୍ତରଖାନା। ଯଦି କେହି କାମ କରିବେନି, ତାହେଲେ ଆମେ କି ସେବା ଯୋଗାଉଛୁ ବୋଲି ଲୋକେ ପ୍ରଶ୍ନ କରୁଛନ୍ତି।

ଅନ୍ୟପକ୍ଷରେ, ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅବ୍ୟବସ୍ଥା ନେଇ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରିବାକୁ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ନିର୍ଦ୍ଦେଶ ଦେଇଛନ୍ତି। ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକଙ୍କ ନେତୃତ୍ବରେ ଅଧିକାରୀ ସ୍ତରରେଏକ ଉଚ୍ଚସ୍ତରୀୟ କମିଟି ଗଠନ କରି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ସ୍ବାସ୍ଥ୍ୟ ସଚିବଙ୍କୁ ଶ୍ରୀ ଦାସ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୩ ଦିନ ମଧ୍ୟରେ କମିଟି ପୂର୍ଣ୍ଣାଙ୍ଗ ରିପୋର୍ଟ ଦେବା ସହ ଦାୟିତ୍ବରେ ଅବହେଳା କରିଥିବା କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବା ଅବ୍ୟବସ୍ଥା ନେଇ ଗତକାଲି କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ତଥା ବାଲେଶ୍ବର ଲୋକସଭା ସାଂସଦ ପ୍ରତାପ ଷଡ଼ଙ୍ଗୀ ଆନ୍ଦୋଳନାକାରୀଙ୍କ ସହ ଧାରଣାରେ ବସିଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ମଧ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସଙ୍କ ସହ ବ୍ୟକ୍ତିଗତ ଆଲୋଚନା ବି କରିଥିଲେ। ରିପୋର୍ଟ ମିଳିବା ପରେ ନିଜେ ମନ୍ତ୍ରୀ ମୁଖ୍ୟ ଚିକିତ୍ସାଳୟ ଗସ୍ତ କରି ସମସ୍ୟା ସମାଧାନ କରିବାରେ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe