ପଦାହେଲାଣି ବାଲୁଖଣ୍ଡ ଅଭୟାରଣ୍ୟ

କଟାଯାଉଥିବା ଗଛର ହେଉନି ନମ୍ବରିଂ, ୫ ବର୍ଷ ପରେ ବି ‘ଫନି’ ଆଳରେ ଚାଲିଛି ଗଛକଟା

ପଦାହେଲାଣି ବାଲୁଖଣ୍ଡ ଅଭୟାରଣ୍ୟ

ପୁରୀ: ପ୍ରଳୟଙ୍କରୀ ବାତ୍ୟା ‘ଫନି’କୁ ୫ ବର୍ଷ ବିତିବାକୁ ବସିଲାଣି। ତଥାପି ବନବିଭାଗ ପକ୍ଷରୁ ପୁରୀ ବାଲୁଖଣ୍ଡ-କୋଣାର୍କ ଅଭୟାରଣ୍ୟରୁ ‘ଫନି’ ଆଳରେ ଏବେ ବି ଅବାଧ ଗଛ କଟା ଚାଲିଛି। ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ୍‌ ରାସ୍ତାରେ ଏଭଳି ହଜାର ହଜାର ଗଛ କାଟି ଜଙ୍ଗଲ ସବୁକୁ ପଦା କରି ଦିଆଗଲାଣି। ଯଦି ବନବିଭାଗ ଏହାକୁ କାଟୁଛି, ଏହାର ହିସାବ ରଖିବା କଥା। ଏଥିପାଇଁ ଗଛ ସବୁ ନମ୍ବରିଂ ହେବା କଥା। କିନ୍ତୁ କାଁ ଭାଁ ଗଛ ନମ୍ବରିଂ ହୋଇଥିବା ବେଳେ ଅଧିକାଂଶ ଗଛ ନମ୍ବରିଂ ହୋଇନି। ନମ୍ବରିଂ ହୋଇନଥିବା ଗଛ ଭିତରେ ଛୋଟ ସହ ବହୁ ବଡ଼ ବଡ଼ ଆକାଶିଆ, ପଟାସ, ଝାଉଁ ଆଦି ଗଛ ରହିଛି। ଏହା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ସେପଟେ ଅନେକ ଭଲ ଗଛକୁ ବି କାଟି ଦିଆଯାଇଥିବା ଅଭିଯୋଗ ହୋଇଛି। ଏଭଳି ସ୍ଥିତିରେ ବନ ବିଭାଗ ‘ଫନି’ରେ ଭାଙ୍ଗିଥିବା କେତେ ଗଛ କାଟିଲାଣି, ତାକୁ ସାର୍ବଜନୀନ କରିବାକୁ ଦାବି ହୋଇଛି। ଅନ୍ୟପଟେ ଅଞ୍ଚଳବାସୀ ବିନା ନମ୍ବରିଂରେ କଟା ହେଉଥିବା ଏହି ଗଛର ଚୋରାଚାଲାଣ ହେଉଥିବା ଅଭିଯୋଗ କରି ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି।

୨୦୧୯ ମସିହା ପ୍ରଳୟଙ୍କରୀ ବାତ୍ୟା ‘ଫନି’ରେ ବାଲୁଖଣ୍ଡ ଅଭୟାରଣ୍ୟର ଲକ୍ଷ ଲକ୍ଷ ଗଛ ଉପୁଡ଼ି ପଡ଼ିଥିଲା। ପରେ ପରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ବନନିଗମ ଏହି ଗଛ କାଟି ସ୍ବର୍ଗଦ୍ବାର ସହ ସ୍ଥାନୀୟ ଜଙ୍ଗଲ ସୁରକ୍ଷା ସମିତିକୁ ଯୋଗାଇ ଦେବ ବୋଲି ନିଷ୍ପତ୍ତି ହୋଇଥିଲା। ପରେ ନିଗମ ପକ୍ଷରୁ ଅଭୟାରଣ୍ୟରୁ ଏହି ଉପୁଡ଼ି ପଡ଼ିଥିବା, ଭାଙ୍ଗିଯାଇଥିବା ଗଛ କଟା ଆରମ୍ଭ ହୋଇଥିଲା। ୪ ବର୍ଷ ପରେ ବି ଫନି ଆଳରେ ଏହି ଗଛ କଟା ଜାରି ରହିବା ଗଟଣାକୁ ଅଞ୍ଚଳବାସୀ ସନ୍ଦେହଚକ୍ଷୁରେ ଦେଖିଛନ୍ତି। ପୁରୀରୁ କୋଣାର୍କକୁ ସଂଯୋଗ କରୁଥିବା ରାସ୍ତା କଡ଼ରେ ବିସ୍ତୃତ ଜଙ୍ଗଲରେ ଏବେ ବଡ଼ ବଡ଼ ଗଛ ସହ ଛୋଟ ଗଛ ବି ସବୁ କାଟି ଦିଆଯାଇଥିବା ଦେଖିବାକୁ ମିଳିଛି। ଏବେ ବି ଗଛ କଟା ଜାରି ରହିଛି। ବାଲିଘାଇ ଛକରୁ ଲିଆଖିଆ ବ୍ରିଜ୍‌ ପର୍ଯ୍ୟନ୍ତ ଲମ୍ବିଥିବା ଜଙ୍ଗଲରେ ସର୍ବାଧିକ ଗଛ ‌କଟା ହୋଇଥିବା‌ ଦେଖିବାକୁ ମିଳିଛି।

publive-image

ହଜାର ହଜାର ସଂଖ୍ୟାରେ ଗଛ ଜଙ୍ଗଲରୁ କଟା ଯାଇଥିବା ବେଳେ ହାତଗଣତି କେତୋଟି ଗଛର ନମ୍ବରିଂ କରାଯାଇଛି। ଅନ୍ୟପଟେ କେବଳ ରାସ୍ତା କଡ଼ରେ ଥିବା କିଛି ଗଛର ନମ୍ବରିଂ କରାଯାଇଛି। ବାକି ଭିତରକୁ ଥିବା କୌଣସି ଗଛର ନମ୍ବରିଂ କରାଯାଇନି। ବେଲେଶ୍ବର ମନ୍ଦିର ରାସ୍ତାରେ ଥିବା ବାମପାର୍ଶ୍ବ ଜଙ୍ଗଲରୁ ବି ହଜାର ହଜାର ସଂଖ୍ୟାରେ ଗଛ କଟାଯାଇଛି। କିନ୍ତୁ ଏଠାରେ କୌଣସି ଗଛର ନମ୍ବରିଂ କରାଯାଇନି। ଏବେ ବି ଏଠାରେ ଗଛ କଟା ଜାରି ରହିଛି। ଏଥିପାଇଁ ବଡ଼ ବଡ଼ ଗାଡ଼ି ସବୁ ଜଙ୍ଗଲରେ ଲାଗୁଛି। ଏ ସମ୍ପର୍କରେ ବାଲୁଖଣ୍ଡ ବନାଞ୍ଚଳ ଅଧିକାରୀ ବେଣୁଧର ବେହେରା କହିଛନ୍ତି, ବନନିଗମ ଓ ସ୍ଥାନୀୟ ଜଙ୍ଗଲ ସୁରକ୍ଷା ସମିତି ସହଯୋଗରେ ଏହି ଗଛ କଟା ଚାଲିଛି। ‘ଫନି’ରେ ଭାଙ୍ଗି ପଡ଼ିଥିବା ଗଛକୁ ଜଙ୍ଗଲରୁ ସଫା କରାଯାଉଛି। କଟା ଗଛର ନମ୍ବରିଂ ସମ୍ପର୍କରେ ଶ୍ରୀ ବେହେରା କହିଛନ୍ତି, ଯାହା ଗଛ କଟାଯାଉଥିବ, ନିଗମ ତାର ନମ୍ବରିଂ କରୁଥିବ। ବିନା ନମ୍ବରିଂରେ ଗଛ କଟା ସମ୍ପର୍କରେ ସେ ଜାଣିନଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe