ଦେବଗଡ଼: ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମଠାରେ ଅନୁଷ୍ଠିତ ହେଉଥିବା ୩୧ତମ ବାମଣ୍ଡା କପ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ମଙ୍ଗଳବାର ରାଉରକେଲା ୟୁଥ କ୍ରିକେଟ୍ କ୍ଲବ୍ ବନାମ ଭୁବନେଶ୍ୱରର ରାମେଶ୍ୱର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଉର୍କେଲା ଦଳ ୪ ୱିକେଟ୍ରେ ଭୁବନେଶ୍ୱରକୁ ପରାସ୍ତ କରିଛି। ରାମେଶ୍ୱର କ୍ଲବ୍ ଭୁବନେଶ୍ୱର ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା। ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ଦଳ ୧୩୮ ରନ କରିଥିଲା। ରମଣୀ ଜେନା ୩୧ ଓ ସରଣ ସୁବୁଦ୍ଧି ୨୫ ରନ୍ କରିଥିଲେ। ରାଉରକେଲା ଦଳର ସୁବାଶିଷ ସାହୁ, ମହମ୍ମଦ ଆକ୍ରମ ଓ ଶୁଭେନ୍ଦୁ ମୁଦୁଲି ୨ଟି ଲେଖାଏଁ ୱିକେଟ୍ ନେଇଥିଲେ। ଜବାବରେ ରାଉରକେଲା ଦଳ ୨୦ ଓଭର୍ରେ ୬ ୱିକେଟ୍ ହରାଇ ୧୩୯ ରନ କରିଥିଲା। ଦଳ ପକ୍ଷରୁ ନୀରଜ ସାହୁ ୫୧ ଓ ସମୀର ସାମନ୍ତରାୟ ୪୬ ରନ୍ କରିଥିଲେ।
ଭୁବନେଶ୍ୱରର ବିଶ୍ୱଜିତ ମଲିକ ୩ ୱିକେଟ ନେଇଥିଲେ। ଅମ୍ପାୟାର ଭାବେ ପରାସର ବିଶ୍ୱାଳ ଓ ସତ୍ୟ ରଥ ଖେଳ ପରିଚାଳନା କରିଥିଲେ। ଦିଲୁ ଦସଭାୟା ସ୍କୋର୍ର ଏବଂ ବେଣୁଧର ଗଡ଼ନାୟକ, ରମା କାନ୍ତ ପ୍ରଧାନ ଓ ଚେତନ ସିହ୍ନା ଧାରାବିବରଣୀ ପ୍ରଦାନ କରିଥିଲେ। ରାଉରକେଲା ଦଳର ନୀରଜଙ୍କୁ ମ୍ୟାନ୍ ଅଫ ଦି ମ୍ୟାଚ୍ ଭାବେ ପୁରସ୍କୃତ କରାଯାଇଛି। ପୁରସ୍କାର ବିତରଣୀ ଉତ୍ସବରେ କ୍ଲବ୍ର ସମ୍ପାଦକ ସୁଜିତ ପ୍ରଧାନ, ଉପସଭାପତି ଅଶୋକ ନନ୍ଦ, ସତ୍ୟ ନାରାୟଣ ପାଣି, ମୋତିଲାଲ ଶର୍ମା ପ୍ରମୁଖ ଯୋଗ ଦେଇ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ। ବୁଧବାର ପ୍ରୋଗ୍ରେସିଭ୍ ଝାରସୁଗୁଡା ଓ ୟୁଥ କ୍ରିକେଟ୍ କ୍ଲବ ରାଉରକେଲା ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ।
Follow Us