ସତ୍ତା ହରାଇଲା ବାଉଁଶ ସଂରକ୍ଷଣ ଯୋଜନା: ଉଜୁଡ଼ିଗଲା ନଗଡ଼ା ବାଉଁଶ ବଣ

Advertisment
ସତ୍ତା ହରାଇଲା ବାଉଁଶ ସଂରକ୍ଷଣ ଯୋଜନା: ଉଜୁଡ଼ିଗଲା ନଗଡ଼ା ବାଉଁଶ ବଣ

କାଳିଆପାଣି: ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍‌ର ନଗଡ଼ା ପାହାଡ଼ ଓ ଏହାର ପାର୍ଶ୍ବବର୍ତ୍ତୀ ଜଙ୍ଗଲରେ ଥିବା ବହୁ ବାଉଁଶ ବଣ ୫ ବର୍ଷ ମଧ୍ୟରେ ସଂପୂର୍ଣ୍ଣ ଉଜୁଡ଼ି ଯାଇଛି। ସୁକିନ୍ଦା-ବ୍ରାହ୍ମଣୀପାଳ ରେଞ୍ଜ ରାଁସୋଳ-ଦୈତାରୀ ସେକ୍ସନ ଅନ୍ତର୍ଗତ ହଜାରହଜାର ସଂଖ୍ୟାରେ ଥିବା ବାଉଁଶ ବୁଦା ଆଉ ଦେଖିବାକୁ ମିଳୁନାହିଁ। ପୂର୍ବରୁ ନାଲିଆଡାବ-ଗୁହିଆଶାଳ ବାଟରେ ଥିବା ଶହଶହ ବାଉଁଶ ବୁଦା, ନଗଡ଼ା ଓ ଗୁହିଆଶାଳ ମୌଜା ଅତିରିକ୍ତ ନାଲିଆଡାବ, ତୁମୁଣି ଓ ଅଶୋକଝର ଗାଁ ପାଖାପାଖି ଇଲାକା‌ରେ ବହୁଳ ମାତ୍ରାରେ ଦେଖା ଯାଉଥିବା ବାଉଁଶବଣ ଏବେ ସ୍ବପ୍ନ ହୋଇରହିଛି।

ନଗଡ଼ାର ୩ଟି ପାହାଡ଼ ସାତକୁଲିଆ, କମାରୁଣି ଓ କମୁଣ୍ଡେଇଥଳ ଏବଂ ପଡ଼ୋଶୀ ଢେଙ୍କାନାଳ ଜିଲ୍ଲା ଏକୁଲ ଓ କେନ୍ଦୁଝର ଜିଲ୍ଲା ରେବଣା-ପଳାସପାଳ, ତାଳପଦା, ସାନଝିମେଇ ଓ ବଡ଼ ଝିମେଇ ଜଙ୍ଗଲରେ ଶୋଭା ବର୍ଦ୍ଧନ କ‌ରିଆସିଥିବା ସ୍ବତନ୍ତ୍ର ପ୍ରଜାତିର ମୋଟା କଣ୍ଟା ବାଉଁଶ ଏବେ ନିଶ୍ଚିହ୍ନ ହୋଇଯାଇଛି। ପାରମ୍ପରିକ ବୀଜ ବିକ୍ଷେପ ପଦ୍ଧତିରେ ପୁନଶ୍ଚ ବାଉଁଶ ବୁଦା ଓ ବଣ ଗଢ଼ି ଉଠିବ ବୋଲି ପୂର୍ବାନୁମାନ କରିଥିବା ବନ ବିଭାଗର ଧାରଣା ଭୁଲ ପ୍ରମାଣିତ ହୋଇଛି। ୨୦୧୯ରେ ବସନ୍ତ ଋତୁ ଆଗମନରେ ଏସବୁ ଜଙ୍ଗଲର ବାଉଁଶ ଗଛରେ ଫୁଲ ଧରିଥିଲା। ୨ ରୁ ୩ ମାସ ପର୍ଯ୍ୟନ୍ତ ସବୁ ବାଉଁଶ ଗଛ‌ରେ ଫୁଲ ଝୁଲୁଥିଲା। ସ୍ଥାନୀୟଲୋକେ ଏହାକୁ ସେତେବେଳେ ଅଶୁଭ ସୂଚକ ବୋଲି କହୁଥିଲେ। ଏହାର କିଛିଦିନ ମଧ୍ୟରେ ଗ୍ରୀଷ୍ମ ପ୍ରବ‌‌ାହ ଓ ଖରାତାତି ବଢ଼ିବା ସଂଗେସଂଗେ ବାଉଁଶ ବୁଦା ଧୀରେଧୀରେ ଶୁଷ୍କପ୍ରାୟ ଅବସ୍ଥାକୁ ଆସିଯିବା ସହ ଅଧିକାଂଶ ଗଛ ମରିଯାଇଥିଲା। ସତେଯେମିତି ଏଭଳି ଏକ ଦୁଃସମୟକୁ ସ୍ଥାନୀୟ ଅବୁଝା ଜୁଆଙ୍ଗ ଅପେକ୍ଷା କରି ରହିଥିଲେ। ପୋଡ଼ୁଚାଷ ଯୋଜନାରେ ଥିବା ଜୁଆଙ୍ଗ ଜନଜାତି ପାଳିକରି ସବୁ ବାଉଁଶବୁଦାରେ ନିଆଁ ଲଗାଇ ଦେଇଥିଲେ। ୧୫ ଦିନ ମଧ୍ୟରେ ସବୁ ବାଉଁଶବୁଦା ପୋଡ଼ି ପାଉଁଶ ହୋଇଯାଇଥିଲା। ବନ ବିଭାଗ, ଓଡ଼ିଶା ବନ ଉନ୍ନୟନ ନିଗମ ଓ ଜିଲ୍ଲା ପ୍ରଶାସନ ଆଖି ଆଗରେ ବାଉଁଶବଣ ଜଳିପୋଡ଼ି ଛାରଖ‌ାର ହୋଇଯାଇଥିଲା।

ଅନ୍ୟପକ୍ଷରେ, ନଗଡ଼ା ଘଟଣାବଳୀ ଲୋକ‌ଲୋଚନକୁ ଆସିବା ଦିନରୁ ବାଉଁଶକୁ କଞ୍ଚାମାଲ ଭାବେ ବ୍ୟବହାର କରି ନଗଡ଼ାବାସୀଙ୍କୁ ସ୍ବାବଲମ୍ବୀ କରାଇବାର ଯୋଜନା ପ୍ରସ୍ତୁତ କରିଥିବା ଓଡ଼ିଶା ଜୀବିକା ମିସନ(ଓଏଲ୍‌ଏମ୍‌)ର ‘ନଗଡ଼ା କୁଟୀର ଶିଳ୍ପ ଯୋଜନା’ ପାଣିର ଗାର ହୋଇଯାଇଛି। ୨୦୧୭ରେ ବାଉଁଶ କଳାରେ ନିପୁଣ ଥିବା ସ୍ବତନ୍ତ୍ର ପ୍ରଶିକ୍ଷକଙ୍କୁ ଅଣାଯାଇ ନଗଡ଼ାବାସୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲେ ହେଁ ଏହା ଆଉ ଆଗକୁ ବଢ଼ିପାରିନାହିଁ। ଏସଂପର୍କରେ ଗୁହିଆଶାଳ ପ୍ରାଥମିକ ସ୍କୁଲ ଶିକ୍ଷକ ଅନାମ ଜୁଆଙ୍ଗଙ୍କୁ ‌ଯୋଗାଯୋଗ କରିବାରେ ସ୍ଥାନୀୟ ଜଙ୍ଗଲରେ ଆଉ ବାଉଁଶବଣ ଦେଖା ଯାଉ ନଥିବ‌ା କହିଛନ୍ତି। ରେଞ୍ଜର ବିପିନ ବିହାରୀ ରାଉତରାୟଙ୍କୁ ପଚାରିବାରେ ବାଉଁଶବୁଦାରେ ଭୟଙ୍କର ଅଗ୍ନିକାଣ୍ଡ ପାଇଁ ମଞ୍ଜି ପୋଡ଼ିଯିବା ସହ ଜମିର ଅଙ୍କୁରୋଦଗମ୍‌ କ୍ଷମତା ହ୍ରାସ ପାଇଥିବାରୁ ଏହି ପ୍ରାକୃତିକ ସମ୍ପଦ ସତ୍ତା ହରାଇଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe