ସରୁନି ମିଟ୍‌କୁନ୍ଦୁରୀ-ଲହଣ୍ଡା ବ୍ରିଜ୍‌ ନିର୍ମାଣ: ନଦୀ ପାର୍‌ କରିବାକୁ ବାଉଁଶ ପୋଲ ସାହାରା

ପ୍ରତିଦିନ ବିପଦ୍‌ଜନକ ଯାତ୍ରା କରୁଛନ୍ତି ଶତାଧିକ, ପ୍ରଶାସନର ନିଘା ନାହିଁ

ସରୁନି ମିଟ୍‌କୁନ୍ଦୁରୀ-ଲହଣ୍ଡା ବ୍ରିଜ୍‌ ନିର୍ମାଣ: ନଦୀ ପାର୍‌ କରିବାକୁ ବାଉଁଶ ପୋଲ ସାହାରା

ରାଉରକେଲା: ଗୁଜୁରାଟ ମୋର୍‌ବି ଝୁଲାପୋଲ ଭାଙ୍ଗି ଶତାଧିକ ନିରୀହଙ୍କ ଜୀବନ ଯିବା ଘଟଣା ଦେଶବାସୀଙ୍କ ସ୍ତବ୍ଧ କରିଦେଇଛି। ଏହି ଦୁଃଖଦ ଘଟଣାପରେ ରାଜ୍ୟ ସରକାର ନିଦରୁ ଉଠି ଏଭଳି ପୁରୁଣା ତଥା ଅପେକ୍ଷାକୃତ ଦୁର୍ବଳ ହୋଇ ପଡ଼ିଥିବା ଝୁଲା ପୋଲ ଉପରେ ଗମନାଗମନରେ କଟକଣା ଲଗାଇଛନ୍ତି। ବିଡ଼ମ୍ବନା, ନଦୀ ଉପରେ ତିଆରି ଅସ୍ଥାୟୀ ବାଉଁଶ ପୋଲରେ ବିପ୍‌ଦଜନକ ଯାତ୍ରାକୁ କିନ୍ତୁ ଜିଲ୍ଲା ପ୍ରଶାସନର ନଜର ନାହିଁ। ଏବେ ବି ଶତାଧିକ ଲୋକ ବାଉଁଶ ପୋଲ ପାର୍‌ କରି ସ୍ମାର୍ଟସିଟି ରାଉରକେଲାକୁ ଯିବାଆସିବା କରୁଛନ୍ତି।

publive-image

ଦେଓ ନଦୀ ଉପରେ ନିର୍ମାଣାଧୀନ ମିଟ୍‌କୁନ୍ଦୁରୀ-ଲହଣ୍ଡା ବ୍ରିଜ୍‌ ସଂଲଗ୍ନ ଏହି ଅସ୍ଥାୟୀ ବାଉଁଶ ପୋଲ ନିର୍ମାଣ କରାଯାଇଛି। ଗତ ୩/୪ ଦିନ ପୂର୍ବେ ପ୍ରାୟ ୧୦/୧୨ ଫୁଟ ଲମ୍ବର ଏହି ବାଉଁଶ ପୋଲ ତିଆରି ହୋଇଛି। ଯେଉଁଠାରେ ନଦୀର ଜଳସ୍ତର ଢ଼େର୍‌ ଅଧିକ ରହିଛି, ସେଠାରେ ଏହି ପୋଲ ନିର୍ମାଣ ହୋଇଛି। ପ୍ରଥମେ ଲୋକେ ଜୀବନକୁ ବାଜି ଲଗାଇ ଆଣ୍ଠୁଏ ପର୍ଯ୍ୟନ୍ତ ପାଣିରେ ଚାଲିଚାଲି ଅଧା ନଦୀ ପାର୍‌ ହେଉଛନ୍ତି। ଏହାପରେ ଉକ୍ତ ବାଉଁଶ ପୋଲରେ ଚଢ଼ି ନଦୀର ଗଭୀରତମ ଅଞ୍ଚଳକୁ ପାର୍‌ କରୁଛନ୍ତି। ପ୍ରତିଦିନ ଶତାଧିକ ଲୋକ ଏଭଳି ବିପଦ୍‌ଜନକ ଯାତ୍ରା କରୁଥିବା ଦେଖିବାକୁ ମିଳିଛି। ଆଜି ଝିରପାଣି ସାପ୍ତାହିକ ବଜାର ଥିବାରୁ ଭିଡ଼ ଦ୍ବିଗୁଣିତ ହୋଇଥିଲା। ଠେଲାପେଲା ହୋଇ ତଥା ଲମ୍ବା ଲାଇନ୍‌ ଲଗାଇ ଲୋକେ ଯିବାଆସିବା କରୁଥିବା ଦେଖିବାକୁ ମିଳିଥିଲା।

publive-image

ଉଲ୍ଲେଖଯୋଗ୍ୟ, କୋଏଲ ନଦୀରେ ତିଆରି ହୋଇଥିବା ବାଉଁଶ ପୋଲ ଦୁଇ ବର୍ଷ ପୂର୍ବେ ବନ୍ୟା ଜଳରେ ଭାସିଯାଇଥିଲା। ଏହି ବାଉଁଶ ପୋଲକୁ ପାର୍‌ ହୋଇ କୁଆରମୁଣ୍ଡା-ନୂଆଗାଁ ବ୍ଲକର ବହୁ ଲୋକ ଯିବାଆସିବା କରୁଥିଲେ। ବିଶେଷକରି କୁଆରମୁଣ୍ଡା ବ୍ଲକର ରିଉଁ, ପସରା, ସାନଦଲକି, କାରିଛାପଲ, କର୍‌ମାବାହାଲ, ବିଜୁବନ୍ଧ, ସିଆଲଯୋର, ହରପାଲି, ରାମପୁର, କଚାରୁ, ଝାରବେଡ଼ା, ଟାଙ୍ଗରାଣୀ, ଲୋହାମାଲ ଏବଂ ନୂଆଗାଁ ବ୍ଲକର ଲହଣ୍ଡା, ରାଣାକଟା, କନ୍ଦରକେଲା, ଅଙ୍କୁରପାଲି, ଲାଙ୍କୋଇ, କଦଳୀବାହାଲ, ସେମେର୍ତ୍ତା, ବାଲିମୁଣ୍ଡା, ବରେଇଗଡ଼ା, ସତରା, ମେନମେନା, ରେଙ୍ଗାଲବେଡା, ରୋକେଡେଗା, ବାଲିଆପୋଷ ଆଦି ଅଞ୍ଚଳର ସ୍କୁଲକଲେଜ ପଢ଼ୁଆ ଛାତ୍ରଛାତ୍ରୀ, ସରକାରୀ ଓ ବେସରକାରୀ ସଂସ୍ଥାର କର୍ମଚାରୀ, ପରିବା ବିକାଳି, ଦିନ ମଜୁରିଆ ଆଦି ଯିବାଆସିବା କରୁଥିଲେ। ଏମିତିକି ପଡ଼ୋଶୀ ଝାଡ଼ଖଣ୍ଡ, ଛତିଶଗଡ଼ର ଲୋକ ଏହି ପୋଲ ଉପରେ ନିର୍ଭରଶୀଳ ଥିଲେ। କିନ୍ତୁ ବନ୍ୟା ଜଳରେ ବାଉଁଶପୋଲ ଭାସିଯିବାରୁ ଏମାନେ ପ୍ରାୟ ୪୦ କିଲୋମିଟର ବୁଲି ସହରକୁ ଆସିବାକୁ ବାଧ୍ୟହେଲେ। ଅଞ୍ଚଳବାସୀଙ୍କ ସୁବିଧା ପାଇଁ ଦେଓ ନଦୀ ଉପରେ ଗତ ପାଞ୍ଚ ବର୍ଷ ହେଲା ମିଟ୍‌କୁନ୍ଦୁରୀ-ଲହଣ୍ଡା ସେତୁ ନିର୍ମାଣ କରାଯାଉଛି; କିନ୍ତୁ ଜମି ଅଧିଗ୍ରହଣ ପ୍ରକ୍ରିୟା ଶେଷ ହୋଇନଥିବାରୁ ପ୍ରକଳ୍ପ ଅଧପନ୍ତରିଆ ହୋଇ ରହିଛି। ନିର୍ଦ୍ଦିଷ୍ଟ କେବେ ପ୍ରକଳ୍ପ ଶେଷ ହେବ ତାହା ଏଯାଏଁ ସ୍ପଷ୍ଟ ଜଣାପଡ଼ିନି। ଫଳରେ ନଦୀ ପାର୍‌ ହେବାକକୁ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଏକ ଅସ୍ଥାୟୀ ବାଉଁଶ ପୋଲ ନିର୍ମାଣ କରିବାକୁ ବାଧ୍ୟ କରିଛି। ଏହି ବାଉଁଶ ପୋଲ ଯୋଗୁଁ ବହୁ ଲୋକ ଉପକୃତ ହେଉଛନ୍ତି ସତ; କିନ୍ତୁ ବିପଦ୍‌ଜନକ ଯାତ୍ରା ଯୋଗୁଁ ‌ଯେ କୌଣସି ସମୟରେ ଅଘଟଣ ଘଟିବାର ଆଶଙ୍କା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe