ବିଦ୍ୟୁତ୍‌ ବିଭାଗକୁ ବାଉଁଶ ଢିରା

Advertisment
ବିଦ୍ୟୁତ୍‌ ବିଭାଗକୁ ବାଉଁଶ ଢିରା

ଦଶରଥପୁର: ବିଦ୍ୟୁତ୍‌ ବିଭାଗକୁ ବାଉଁଶ ଢିରା ଭରସା। ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ୍‌ରେ ଏପରି ଚିତ୍ର ଦେଖିବାକୁ ମିଳିଛି। ଏକାଧିକ ସ୍ଥାନରେ ବାଉଁଶ ଢିରା ଦେଇ ବିଦ୍ୟୁତ୍‌ ତାରକୁ ଟେକି ରଖାଯାଇଛି। ସାମାନ୍ୟ ଏପଟସେପଟ ହେଲେ ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି। ସ୍କୁଲ ଆଗରେ, ଗାଁ ମଝିରେ ଛଣଛପର ଘର ଉପରେ ଝୁଲୁଥିବା ତାରକୁ ବାଉଁଶ ଖୁଣ୍ଟରେ ଟେକି ରଖାଯାଇଛି। ମୁଖ୍ୟ ରାସ୍ତା କଡ଼ରେ ମଧ୍ୟ ବାଉଁଶ ଖୁଣ୍ଟ ରହିଛି। ଏ ସଂପର୍କରେ ବହୁବାର ଅଭିଯୋଗ ହୋଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ନିରବଦ୍ରଷ୍ଟା ସାଜିଛନ୍ତି।

ଦଶରଥପୁର ବ୍ଲକ ଦୁଦୁରାଅନ୍ତା ପଞ୍ଚାୟତ କଣ୍ଟପଡ଼ା ଗାଁରେ ପ୍ରାୟ ୧୦ରୁ ଅଧିକ ସ୍ଥାନରେ ବାଉଁଶ ଖୁଣ୍ଟରେ କାମ ଚାଳାଇଛି ବିଦ୍ୟୁତ୍‌ ବିଭାଗ। କଣ୍ଟପଡ଼ା ବିଦ୍ୟାଳୟ, ଗାଁ ଦାଣ୍ଡ, ପାଲାମଣ୍ଡପ, ମନ୍ଦିର, ବିଲ ଆଦି ସ୍ଥାନରେ ବାଉଁଶ ଖୁଣ୍ଟରେ ବିଦ୍ୟୁତ୍‌ ତାରକୁ ଟେକି ରଖାଯାଇଛି। ଅନେକ ସ୍ଥାନରେ ଖୁଣ୍ଟ ଶୋଇରହି ତାର ଓଳି ରହିଛି। ଏଭଳି ସ୍ଥିତିରେ କେତେବେଳେ ବି କିଛି ଅଘଟଣ ଘଟିପାରେ ବୋଲି ଗାଁ ଲୋକେ ଆଶଙ୍କା କରୁଛନ୍ତି।

ନିଜାମପୁର ପଞ୍ଚାୟତ ରଡ଼ଙ୍ଗା ଗ୍ରାମର ପୋଖରୀକୂଳ, ଇଜାପୁର, କେରୁଣାଁ, ଚରପଡ଼ା ଆଦି ରାସ୍ତା ଉପରେ ବାଉଁଶ ଖୁଣ୍ଟରେ ବିଦ୍ୟୁତ୍‌ ତାର ଝୁଲୁଛି। ବିଭାଗର ଦାୟିତ୍ୱହୀନ କାର୍ଯ୍ୟ ପାଇଁ ଲୋକମାନଙ୍କ ଧନଜୀବନ ପ୍ରତି ସବୁବେଳେ ବିପଦ ଆଶଙ୍କା ରହୁଛି। ସଂପ୍ରତି ବିଭାଗ ପକ୍ଷରୁ ମରାମତି, ବିଦ୍ୟୁତ୍‌ ଖୁଣ୍ଟ ସ୍ଥାପନ, ତାର ସଂଯୋଗ ତଥା ଅନ୍ୟାନ୍ୟ ଆଧୁନିକୀକରଣ କାର୍ଯ୍ୟ ଚାଲିଛି।

ଏ ଦିଗରେ ପ୍ରତିବର୍ଷ ବିପୁଳ ଅର୍ଥ ଖର୍ଚ୍ଚ ହେଉଥିବାବେଳେ ଏଠାରେ ଏପରି ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ଏଥିପ୍ରତି ତୁରନ୍ତ ଟାଟା ପାୱାର କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe